ବୌଦ୍ଧ : ଦେଶରେ ଉପୁଜିଛି ଆର୍ଥିକ ମାନ୍ଦାବସ୍ଥାର ସ୍ଥିତି। ୧୮ ମାସ ପୂର୍ବରୁ ହିଁ ଦେଶ ଏଭଳି ଏକ ଆର୍ଥିକ ସଙ୍କଟର ସାମନା କରିବ ବୋଲି ଆଶଙ୍କା ଦେଖାଯାଇଥିଲା। ତାହା ହିଁ ହେଲା। ପ୍ରଥମେ ବ୍ୟାଙ୍କ ସେବା ଓ ପରେ ପରେ ଜାତୀୟ, ଅନ୍ତର୍ଜାତୀୟ ଶିଳ୍ପ ପ୍ରତିଷ୍ଠାନ ସମେତ ବିଭିନ୍ନ କ୍ଷେତ୍ରରେ ଏହାର ସିଧାସଳଖ ପ୍ରଭାବ ପଡୁଥିବା ଦେଖାଯାଉଛି। ତେବେ କେବଳ ଶିଳ୍ପ କି ବଜାର ନୁହେଁ, ଚାଷ ଓ ଚାଷୀଙ୍କ ଉପରେ ବି ଏହାର ସିଧାସଳଖ ପ୍ରଭାବ ପଡ଼ିବ ବୋଲି ଏବେଠାରୁ ସ୍ପଷ୍ଟ ଜଣାପଡ଼ି ସାରିଲାଣି।
ବର୍ତ୍ତମାନ ଖରିଫ ଋତୁ। ପ୍ରଥମେ ବର୍ଷାଭାବ ଓ ପରେ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସହ ଜୁଝିବା ପରେ ଚାଷୀମାନେ ଦମ୍ଭ କରି ଚାଷ କାର୍ଯ୍ୟକୁ ଖାସ କରି ଧାନଚାଷକୁ ଆଗେଇ ନେଇଛନ୍ତି। ଆସନ୍ତା ନଭେମ୍ବରରୁ ଫସଲ ଅମଳ ହେବ। ସରକାରୀ ନୀତି ନିର୍ଦ୍ଧାରଣ ପରେ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ। ଗତ ବର୍ଷ ଓଡ଼ିଶାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପ୍ରତି ୧୭୫୦ଟଙ୍କା ରହିଥିଲା। ଏବର୍ଷ ଖରିଫ ଆରମ୍ଭରେ କେନ୍ଦ୍ର ସରକାର ଧାନର କ୍ବିଣ୍ଟାଲ ପ୍ରତି ୬୫ଟଙ୍କା ବୃଦ୍ଧି କରିଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ ୧୮୧୫ଟଙ୍କା ଧାର୍ଯ୍ୟ କରାଯାଇଛି। ମାତ୍ର ମୁଦ୍ରାସ୍ଫୀତି ବା ଦରଦାମରେ ଘଟୁଥିବା ବୃଦ୍ଧି ହିସାବରେ ଦେଶରେ ବିଗତ ଦଶ ବର୍ଷରେ ଚାଷୀଙ୍କ ପ୍ରକୃତ ଆୟରେ ଟିକିଏ ବି ପରିବର୍ତ୍ତନ ହୋଇ ନାହିଁ। ବର୍ତ୍ତମାନ ଚାଷ ଖର୍ଚ୍ଚ ଢେର ଅଧିକ ରହିଛି। ତେଣୁ ଚାଷୀର ଲାଭ ଗତ ୧୦ ବର୍ଷ ତୁଳନାରେ ଖୁବ କମିଥିବା ଜଣାଯାଇଛି। ସରକାର ସ୍ଥିର କରୁଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀଙ୍କ ପାଇଁ ବିଶେଷ ସହାୟକ ହେଉ ନାହିଁ। ଫଳରେ ବିଗତ କିଛି ବର୍ଷରେ ଚାଷୀଙ୍କ ଆର୍ଥିକ ସ୍ଥିତି ଓ କ୍ରୟ କ୍ଷମତା ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନର ମୁଦ୍ରାସ୍ଫୀତି ଓ ବଜାର ଦର ଚାଷୀଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ହୋଇଛି।
ତେଣୁ ଓଡ଼ିଶାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଉଛି। ଏମିତିକି ବର୍ତ୍ତମାନ ଦେଶରେ ଦେଖାଯାଇଥିବା ଆର୍ଥିକ ମାନ୍ଦାବସ୍ଥା କୃଷି କ୍ଷେତ୍ର ଓ ଚାଷୀମାନଙ୍କ ଉପରେ କେତେ ପ୍ରଭାବ ପକାଇବ ତାକୁ ନେଇ ଚାଷୀ ମହଲରେ ମାନସମନ୍ଥନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ପୂର୍ବରୁ ନିର୍ଦ୍ଧାରଣ କରିଥିବା ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇ ଏହାକୁ ପୁନଃ ନିର୍ଦ୍ଧାରଣ କରିବାର ଆବଶ୍ୟକତା ଦେଖା ଦେଇଛି ବୋଲି ଚାଷୀ ନେତାମାନେ ଯୁକ୍ତି କରୁଛନ୍ତି। ନଚେତ୍ ରାଜ୍ୟ ସରକାର ଚାଷୀଙ୍କୁ ଧାନ ଉପରେ ଅତିରିକ୍ତ ବୋନସ ଦେଲେ ହୁଏତ କୃଷି କ୍ଷେତ୍ର ଓ ଚାଷୀକୁଳ ଆର୍ଥିକ ମାନ୍ଦାବସ୍ଥା ସଙ୍କଟରୁ ବର୍ତ୍ତିପାରନ୍ତେ ବୋଲି ଚାଷୀ ମହଲରେ ଆଶା କରାଯାଉଛି।
ଗତ ୨୦୧୫ରେ ଦେଶରେ ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କ୍ବିଣ୍ଟାଲ ପିଛା ୧୦୦ଟଙ୍କାର ବୋନସ ଘୋଷଣା କରିଥିଲେ। ବର୍ତ୍ତମାନ ଦେଶ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ରାଜ୍ୟ ସରକାର ରାଜ୍ୟର ଚାଷୀଙ୍କୁ ବୋନସ ଦେବା ସଂପର୍କରେ କ’ଣ ପଦକ୍ଷେପ ନେବେ ତାହା ବେଶ ଗୁରୁତ୍ବ ବହନ କରୁଛି। ଅପରପକ୍ଷେ କୃଷି ଉପକରଣ, ଟ୍ରାକ୍ଟର, ରାସାୟନିକ ସାର, ଔଷଧ ବଜାରରେ ମଧ୍ୟ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ପଡ଼ିବା ଆଶଙ୍କାକୁ ଦେଖାଯାଇଛି। ସରକାର ଏସବୁ ଚାଷୀଙ୍କୁ ରିହାତି ଦରରେ ଯୋଗାଇ ଆସୁଛନ୍ତି। ମାତ୍ର ଆର୍ଥିକ ମାନ୍ଦାବସ୍ଥାର ଫାଇଦା ନେଇ ଏ ସବୁର କଳାବଜାର ଆଶଙ୍କା ମଧ୍ୟ ରହୁଛି। ଏହା ପ୍ରତ୍ୟକ୍ଷ ଭାବେ ଚାଷୀଙ୍କୁ ପ୍ରଭାବିତ କରିବ ବୋଲି ମଧ୍ୟ ଆଶଙ୍କା ରହୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/pp.png)