ଭୁବନେଶ୍ବର : ଚଳିତ ଖରିଫରେ ୯ ହଜାର କୋଟି ଟଙ୍କା ମଧ୍ୟରୁ ୫ ହଜାର ୮୦୨ ଟଙ୍କା କୃଷି ଋଣ ୧୨ ଲକ୍ଷ ୭୬ ହଜାର ୪୪୫ ଜଣ ଚାଷୀଙ୍କୁ ଦିଆଯାଇଛି। ଏଥିସହିତ ୩ ଲକ୍ଷ ୬୦ ହଜାର କ୍ୱିଣ୍ଟାଲ ବିହନ ଯୋଗାଇ ଦିଆଯାଉଛି। ଆହୁରି ୧ ଲକ୍ଷ କ୍ୱିଣ୍ଟାଲ ବିହନକୁ ପ୍ୟାକ୍ସଗୁଡ଼ିକୁ ତୁରନ୍ତ ପ୍ରଦାନ ପାଇଁ ନିର୍ଦେଶ ହୋଇଛି। ରାଜ୍ୟ କୃଷି ଏବଂ ଯୋଗାଣ ବିଭାଗର ଯୁଗ୍ମ ସମୀକ୍ଷା ବୈଠକରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ଉପସ୍ଥିତ ଥିଲେ। ଉଭୟ ବିଭାଗର ସମନ୍ବୟ ଉପରେ ଗୁରୁତ୍ବ ଦିଆଯାଇଛି। ରାଜ୍ୟ, ଜିଲ୍ଲା, ବ୍ଲକ୍ ସ୍ତରରେ ମିଳିତ ଭାବରେ ଉଭୟ ବିଭାଗର ବୈଠକ ନିୟମିତ କରାଯାଇ ଚାଷୀଙ୍କ ସମସ୍ୟା ଆଲୋଚନା ପାଇଁ କୁହାଯାଇଥିଲା।
କୃଷି କାର୍ଯ୍ୟରେ ଫସଲ ଋଣଠାରୁ ଆରମ୍ଭ କରି ବିହନ, ସାର ଆଦିରେ ସମବାୟ ବିଭାଗ ଅଧୀନସ୍ଥ ସୋସାଇଟି ଉପରେ ଚାଷୀ ନିର୍ଭରଶୀଳ। ଋଣ ପ୍ରଦାନ ପ୍ରକ୍ରିୟାକୁ ତ୍ବରାନ୍ବିତ, ଧାର୍ଯ୍ୟ ଲକ୍ଷ୍ୟ ପୂରଣ, ଫସଲ ଋଣ ପ୍ରଦାନରେ ଯୁଗ୍ମ ଦେୟ ଗୋଷ୍ଠୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ପାଇଁ ନିର୍ଦେଶ ହୋଇଥିଲା। ଏଥିରେ କୁହାଯାଇଛି, କୋଭିଡ୍-୧୯ ପରିସ୍ଥିତିରେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇ ପାରି ନାହିଁ। ଧାନ ଉତ୍ପାଦନ ବଜାୟ ରହି ଖାଦ୍ୟ ନିରାପତ୍ତା ସୁନିଶ୍ଚିତ ହୋଇ ପାରିଛି। ୨୦-୨୧ରେ ରେକର୍ଡ ଧାନ ସଂଗ୍ରହ ହୋଇ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ଦିଆଯାଇଛି। ଜୁଲାଇ ୧୫ ତାରିଖଠାରୁ ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ଅନ୍ଲାଇନ୍ ମାଧ୍ୟମରେ ନାମ ପଂଜୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏ ସଂକ୍ରାନ୍ତରେ ପ୍ରଚାରର ଆବଶ୍ୟକତା ରହିଛି। ପଞ୍ଜୀକରଣ ପ୍ରସ୍ତୁତିର ଯାଞ୍ଚ କାର୍ଯ୍ୟରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏଥି ସହିତ ଫସଲର ବିବିଧିକରଣ କରି ଅଣଧାନ ଚାଷରେ ଅଧିକ ଅର୍ଥ ଉପାର୍ଜନ, ଅଧିକ ଚାଷୀଙ୍କୁ ବୀମାଭୂକ୍ତ କରାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବୈଠକରେ କୃଷି ଯାନ୍ତ୍ରିକୀକରଣ, ପ୍ୟାକ୍ସ, ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ଦ୍ୱାରା ଇ-ନାମ ମାଧ୍ୟମରେ କୃଷି ସାମଗ୍ରୀ ବିକ୍ରି, ରାଜ୍ୟରେ ଶୀତଳ ଭଣ୍ଡାରର ସ୍ଥିତି ଆଦି ବିଷୟରେ ବିଶଦ ଭାବରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁ କୁମାର, କୃଷି ବିଭାଗର କମିଶନର ତଥା ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦର ସଦସ୍ୟ ସଚିବ, ଉଦ୍ୟାନ କୃଷି ନିର୍ଦ୍ଦେଶକ, ନିବନ୍ଧକ ସମବାୟ ସମିତି ସମୂହ, ସମବାୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ, ମାର୍କଫେଡ୍ର ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା କୃଷି-ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ, ଆପିକଲର ପରିଚାଳନା ନିର୍ଦ୍ଦେଶକ, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ରାଜ୍ୟ ସଂଯୋଜକଙ୍କ ସମେତ ଦୁଇ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/farmer.jpg)