ଅମଳ ସରିବା ବେଳକୁ କୀଟନାଶକ ବିଜ୍ଞପ୍ତି

ଜିଏସ୍‌ଟି ଓ ଡିବିଟି ଚାଷୀଙ୍କ ପାଇଁ କାଳ

ଭୁବନେଶ୍ୱର : ଚାଷୀଙ୍କ ପାଇଁ ସରକାର କେତେ ସମ୍ବେଦନଶୀଳ ତାର ସବୁଠାରୁ ବଡ଼ ପ୍ରମାଣ ହେଉଛି ଗତକାଲି (ନଭେମ୍ବର ୧ ତାରିଖ) କୃଷି ବିଭାଗ ଜାରି କରିଥିବା କୀଟନାଶକ ସଂପର୍କିତ ବିଜ୍ଞପ୍ତି। ଇତିମଧ୍ୟରେ ପଶ୍ଚିମ ଓଡ଼ିଶାରେ ଖରିଫ ଧାନଚାଷ ଅମଳ ସରିବାକୁ ବସିଲାଣି। ସରକାର ମଧ୍ୟ ନଭେମ୍ବର ୧ରୁ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ନେଡ଼ି ଗୁଡ଼ କହୁଣୀକୁ ଗଲା ପରେ ଗତକାଲି ରାଜ୍ୟସ୍ତରୀୟ ବୈଷୟିକ କମିଟିର ଅନୁମୋଦନ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ କେଉଁ କେଉଁ କମ୍ପାନିର କୀଟନାଶକ, କବକନାଶକ, ତୃଣନାଶକ, ଜୈବ କୀଟନାଶକ, କେତେ ରିହାତିରେ ଚାଷୀ କିଣିପାରିବ ସେ ନେଇ କମ୍ପାନି ଏବଂ ୪୩ ପ୍ରକାରର କୀଟନାଶକ ଉତ୍ପାଦ, ସେଗୁଡ଼ିକର ମୂଲ୍ୟ ନିର୍ଧାରଣ କରାଯାଇଛି। ଗତ ସେପ୍ଟେମ୍ବର ମାସ ୨୫ ତାରିଖରେ ଏସବୁ ସାମଗ୍ରୀ କିଣିବା ପାଇଁ କୃଷି ବିଭାଗ ନିୟମାବଳୀ ପ୍ରଣୟନ କରିଥିଲା। ଯଦି ବରଗଡ଼ ଚାଷୀ ଆତ୍ମହତ୍ୟା ଏବଂ ଫସଲପୋଡ଼ି ଭଳି ଅଭାବନୀୟ ଘଟଣା ଘଟିନଥାନ୍ତା, ସମ୍ଭବତଃ ଏଭଳି ବିଜ୍ଞପ୍ତି ପ୍ରକାଶ କରିନଥାନ୍ତା କି କୃଷି ବିଭାଗ? ଅନ୍ୟପକ୍ଷରେ ସରକାରଙ୍କ ଏହି ବିଜ୍ଞପ୍ତି ଚାଷୀଙ୍କ ପାଇଁ ଉପହାସ ବୋଲି କେହି କେହି କହିବା ଆରମ୍ଭ କଲେଣି।

ଉଲ୍ଲେଖଯୋଗ୍ୟ, ଏଥର ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ସାଙ୍ଗକୁ ତାତି ବି ଜାରି ରହିଥିଲା। ଫଳରେ ଆର୍ଦ୍ରତା ବଢ଼ିବା ଯୋଗୁଁ ଧାନଜମିରେ ଚକଡ଼ା ପୋକ ବଢ଼ିବାରେ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଛି। ଜଣେ କୃଷି ବିଶେଷଜ୍ଞଙ୍କ କହିବାନୁସାରେ ଚକଡ଼ା ପୋକ ପ୍ରଥମେ ଧାନଗଛ ମୂଳକୁ ଆକ୍ରାନ୍ତ କରେ। ସେତେବେଳେ ଏହି ରୋଗକୁ ଧରିପାରେ ନାହିଁ ଚାଷୀ। ଧାନ ପାଚିବା ବେଳକୁ ପୋକ ପୂରା ମାଡ଼ି ଯାଇ ଏକର ଏକର ଫସଲକୁ ଆକ୍ରାନ୍ତ କରିଦିଏ। ଫଳରେ ଧାନଗଛ ଶୁଖି ଅଗାଡ଼ି ପାଲଟିଯାଏ।

ସରକାରୀ ତଥ୍ୟ ବୟାନ କରୁଛି ଯେ ବରଗଡ଼, କଳାହାଣ୍ଡି, ସୋନପୁର, ସମ୍ବଲପୁର, ଗଞ୍ଜାମ ଜିଲ୍ଲା ସମେତ ସାରା ରାଜ୍ୟରେ ୪୮୭୪୫ ହେକ୍ଟର ଧାନ ଫସଲରେ ଚକଡ଼ା ପୋକ ଲାଗିଛି। ସେଥିମଧ୍ୟରୁ ଚାଷୀମାନେ ୩୦୭୦୯ ହେକ୍ଟର ଜମିରେ ଔଷଧ ଦେଇଛନ୍ତିି। ମାଟିଆଗୁଣ୍ଡି ପୋକ ସହିତ କାଣ୍ଡବିନ୍ଧା, ପତ୍ରପୋଡ଼ା, ମୂଳପଚା, ମୂଳସଢ଼ା, ଗନ୍ଧିପୋକ, ମହିଷା ରୋଗ ଆଦି ରୋଗରେ ରାଜ୍ୟର ମୋଟ ୧ଲକ୍ଷ ୨୭ହଜାର ୨୨୨ ହେକ୍ଟର ଜମି ଆକ୍ରାନ୍ତ ହୋଇଥିଲା। ସେଥିମଧ୍ୟରୁ ୮୦୫୮୪ ହେକ୍ଟର ଜମିରେ ଚାଷୀ ଔଷଧ ବ୍ୟବହାର କରିଥିବା ସରକାରୀ ଭାବେ କୁହାଯାଇଛି। ତେବେ ବାସ୍ତବ ସ୍ଥିତି ସରକାରୀ ପରିସଂଖ୍ୟାନଠାରୁ ଢେର ଅଧିକ ହୋଇପାରେ।

ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ଘରୋଇ ଡିଲର ବା ସରକାରୀ ପଞ୍ଜୀକୃତ ବିକ୍ରେତା ‘ସୁରଭି’ ବିକ୍ରୟକେନ୍ଦ୍ରରେ କୀଟନାଶକ ବିକ୍ରି କରାଯାଏ। ରାଜ୍ୟର ସମସ୍ତ ୩୧୪ ବ୍ଲକରେ ସୁରଭି କେନ୍ଦ୍ର ଖୋଲାଯିବାର ଲକ୍ଷ୍ୟ ଥିଲେ ବି ଅଦ୍ୟାବଧି କାଗଜକଲମରେ ଖୋଲିଛି ୩୦୭ଟି। ସେଥିମଧ୍ୟରୁ ଅଧିକାଂଶ ବସ୍ତୁତଃ ଅଚଳ କହିଲେ ଚଳେ। ମାତ୍ର ୨୫ଟି ସୁରଭି କେନ୍ଦ୍ରରେ କୀଟନାଶକ ଉପଲବ୍ଧ ଥିବା କୁହାଯାଉଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍‌ ମୁତାବକ ପ୍ରତି ୨ଟି ପଞ୍ଚାୟତରୁ ଗୋଟିକରେ ପଞ୍ଜୀକୃତ ଘରୋଇ ଡିଲରଙ୍କ ବିକ୍ରୟକେନ୍ଦ୍ର ରହିବା କଥା। ମାତ୍ର ୮୪୯ଟି ପଞ୍ଚାୟତ ଏବଂ ପୌର ପରିଷଦରେ ୧୬୩୩ଟି ଘରୋଇ ବିକ୍ରୟକେନ୍ଦ୍ର ଖୋଲିଛି। ଫଳରେ କୀଟନାଶକ ପାଇବା ପାଇଁ ବରଗଡ଼ର ଚାଷୀ ବାଧ୍ୟ ହୋଇ ରାୟପୁରର କୀଟନାଶକ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ସରକାରୀ ଧାର୍ଯ୍ୟ କୀଟନାଶକର ମୂଲ୍ୟଠାରୁ ରାୟପୁର କୀଟନାଶକର ମୂଲ୍ୟ ଢେର କମ୍‌। ତା’ ସାଙ୍ଗକୁ ସରକାର ସିଧାସଳଖ ସବ୍‌ସିଡି ହସ୍ତାନ୍ତର(ଡିବିଟି) ଜରିଆରେ ପଞ୍ଜୀକୃତ ଚାଷୀମାନେ ପଞ୍ଜୀକୃତ ବିକ୍ରେତାଠାରୁ ଧାର୍ଯ୍ୟ ମୂଲ୍ୟରେ କୀଟନାଶକ କ୍ରୟ କରିବାର ସର୍ତ ରଖିଛନ୍ତି। ସେମାନେ ଜିଏସ୍‌ଟି ପ୍ରଦତ୍ତ ବିଲ୍‌ ସହିତ କୃଷି ବିଭାଗର ପର୍ମିଟ୍‌ ଦାଖଲ କଲେ ସେମାନଙ୍କ ବ୍ୟାଙ୍କ ଖାତାରେ ସବ୍‌ସିଡି ଅର୍ଥ ଜମା ହେବ। ଏଭଳି ସର୍ତମୂଳକ ଡିବିଟି ରାଜ୍ୟର ଗରିବ ଚାଷୀଙ୍କ ପାଇଁ ସୁବିଧା ପରିବର୍ତେ କାଳ ପାଲଟିଛି।

ସମ୍ବନ୍ଧିତ ଖବର