ଯାଜପୁର: ଚାଷୀମାନଙ୍କର ଅର୍ଥନୈତିକ ସ୍ଥିତି ସୁଧାରିବା ପାଇଁ ରାଜ୍ୟରେ ଜଳ ବିଭାଜିକା ଜରିଆରେ ୫ଲକ୍ଷ କ୍ଷେତପୋଖରୀ ଖନନ ପାଇଁ ଲକ୍ଷ୍ୟ ରହିଥିଲା। ଯାଜପୁର ଜିଲ୍ଲାରେ ୨୦୨୦ ମସିହାଠାରୁ ୨୦୨୩ ଜାନୁଆରି ପର୍ଯ୍ୟନ୍ତ ୬୬୧ ଟି କ୍ଷେତ ପୋଖରୀ ଖୋଳା ହୋଇଛି ବୋଲି ସରକାରୀ ତଥ୍ୟ କହୁଛି। ମାତ୍ର, ବଡ଼ଚଣା ବ୍ଲକ୍‌ରେ କେବଳ କାଗଜପତ୍ରରେ କ୍ଷେତପୋଖରୀ ଖୋଳାଯାଇଥିବା ଅଭିଯୋଗ ହେବାପରେ ଜିଲ୍ଲାପାଳ ଏହାର ତଦନ୍ତ ନି‌ର୍ଦ୍ଦେଶ ଦେଇଛନ୍ତି।

Advertisment

୨୦୨୦-୨୨ ବର୍ଷ ମଧ୍ୟରେ ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଚଣ୍ଡିତଳ ପଞ୍ଚାୟତର ବାଘୁଆ ଓ ତେଲିଗଡ଼ ଗ୍ରାମରେ କ୍ଷେତପୋଖରୀ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି। ବାଘୁଆ ଗ୍ରାମର ଧୀରେନ୍ଦ୍ର ସାମଲ, ବିଜୟ ସାମଲ, ସଂଗ୍ରାମ ସାମଲ ଓ ପ୍ରଶାନ୍ତ ରାଉତଙ୍କ ସମେତ ତେଲିଗଡ଼ ଗ୍ରାମର ସୁରେଶ ଶୁକ୍ଳ ଓ ଇନ୍ଦୁମତୀ ଶତପଥୀଙ୍କ ନାମରେ ଫାର୍ମ ପଣ୍ଡ୍ (ବଗିଚା ପୋଖରୀ) ଖନନ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ସ୍ବର୍ଗତ କ୍ଷୀରୋଦ ସାମଲଙ୍କ ପୁଅ ଧୀରେନ୍ଦ୍ର, ବିଜୟ ଓ ସଂଗ୍ରାମଙ୍କ ପୁରୁଣା ପୋଖାରୀ ଥିଲା। ସେହି ପୋଖରୀକୁ ଫାର୍ମପଣ୍ଡ ଦେଖାଯାଇଛି। ଏପରିକି ବିଭିନ୍ନ ସ୍ଥାନରେ ନିୟୋଜିତ ଲୋକଙ୍କ ନାମରେ ଥିବା ଜବ୍ କାର୍ଡ଼ ଅର୍ଥ ହଡ଼ପ କରାଯାଇଛି। ଧୀରେନ୍ଦ୍ର ଏକ ଘରୋଇ ସଂସ୍ଥାରେ ଜଣେ ନିରାପତ୍ତା ରକ୍ଷୀ ଭାବେ କାର୍ଯ୍ୟ କରି ଆସୁଥିବାବେଳେ ତାଙ୍କ ପତ୍ନୀ ସୁଜାତା ସାମଲ ଚଣ୍ଡିତକ ପଞ୍ଚାୟତର ଏମବିକେ ଅଛନ୍ତି। ୨୦୨୧-୨୦୨୨ ବର୍ଷରେ ବିଜୟ ସାମଲଙ୍କ ପୋଖରୀରେ ଧୀରେନ୍ଦ୍ର, ସୁଜାତା ଓ ତାଙ୍କ ପୁଅ କାମ କରି ହଜାର ହଜାର ଟଙ୍କା ମଜୁରି ନେଇଥିବା ସରକାରୀ କାଗଜପତ୍ରରୁ ଜଣାପଡ଼ିଛି। ବିଜୟ ସାମଲଙ୍କ ପୋଖରୀ ବାବଦରେ ମୋଟ ୧ଲକ୍ଷ ୬୬ହଜାର ୨୮୬ ଟଙ୍କା ଏବଂ ଧୀରେନ୍ଦ୍ର ସାମଲଙ୍କ ପୋଖରୀ ବାବଦରେ ମୋଟ ୫୦ହଜାର ୬୧୬ ଟଙ୍କା ପୈଠ କରାଯାଇଛି।

ସଂଗ୍ରାମ ସାମଲଙ୍କ ଦଖଲରେ ଥିବା ସରକାରୀ ଜମି ଓ ନିଜ ଜମି ମିଶାଇ ଖୋଳିଥିବା ବେଆଇନ୍ ମୋରମ ଖାଦାନକୁ ମଧ୍ୟ ଫାର୍ମ ପୋଖରୀ ଦର୍ଶାଯାଇଛି। ଏଥିରେ ବଡ଼ଚଣା ଥାନାରେ ମାମଲା ହୋଇଥିଲା। ଏଥିରେ ବି ୬୪ହଜାର ୬୦୨ ଟଙ୍କା ପୈଠ ହୋଇଛି। ସେହିପରି, ପ୍ରଶାନ୍ତ ରାଉତଙ୍କ ଫାର୍ମ ପୋଖରୀ ମୋଟ ପ୍ରାୟ ୨୦ହଜାର ଟଙ୍କା ବ୍ୟୟ କରି ମେସିନ୍ ସାହାଯ୍ୟରେ ଏକ ଛୋଟ ଗଡ଼ିଆ ଖୋଳାଯାଇଛି। ୧ଲକ୍ଷ ୨୮ହଜାର ୩୮୨ ଟଙ୍କା ବିଲ୍ ହୋଇଛି। ତେଲିଗଡ଼ ଗ୍ରାମର ସୁରେଶ ଶୁକ୍ଳ ଏବଂ ତାଙ୍କ ବୋହୂ ଇନ୍ଦୁମତୀ ଶତପଥୀଙ୍କ ନାମରେ ମଧ୍ୟ ଦୁଇଗୋଟି ପୋଖରୀ ଖନନ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ସୁରେଶଙ୍କ ପୋଖରୀ ବାବଦରେ ମୋଟ ୧ଲକ୍ଷ ୫୪ହଜାର ୫୧୨ ଟଙ୍କା ଓ ଇନ୍ଦୁମତୀ ପୋଖରୀ ବାବଦରେ ମୋଟ ୨ଲକ୍ଷ ୮ହଜାର ୯୮୦ ଟଙ୍କା ପୈଠ ହୋଇଛି। ଗୋଟିଏ ପୋଖରୀ ଖୋଳାଯାଇ ଦୁଇଟି ବିଲ୍ ହୋଇଛି। ଆଇନଜୀବୀ ଉଦୟନାଥ ଏନେଇ ଅଭିଯୋଗ କରିବା ପରେ ଜିଲ୍ଲାପାଳ ତଦନ୍ତ ନି‌ର୍ଦ୍ଦେଶ ଦେଇଛନ୍ତି।