କଳାହାଣ୍ଡି ବିକାଶର ଭୂଖଣ୍ଡ ପାଲଟିଛି: କୃଷି ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ କୃଷି ନୀତି ଅନୁଯାୟୀ କଳାହାଣ୍ଡି ଜିଲ୍ଲାରେ ଚାଷ ଓ ଆନୁସଙ୍ଗିକ କ୍ଷେତ୍ରରେ ଯଥେଷ୍ଟ ବିକାଶ ଆସିଛି। ଏକଦା ଭୋକର ଭୂଗୋଳ ଥିବା କଳାହାଣ୍ଡି ଏବେ ବିକାଶର ଭୂଖଣ୍ଡ ପାଲଟିଛି। ପାରମ୍ପରିକ ଚାଷ ଏବେ ଲାଭଜନକ ଚାଷରେ ପରିଣତ ହୋଇପାରିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ ବିଧାନସଭାରେ କହିଛନ୍ତି।

ଆଜି ବିଧାନସଭାର ପ୍ରଶ୍ନକାଳରେ ମୌଷଧି ବାଗଙ୍କ ମୂଳ ପ୍ରଶ୍ନ ଥିଲା, କୃଷି ନୀତି ଅନୁଯାୟୀ କଳାହାଣ୍ଡି ଜିଲ୍ଲାରେ ବିଗତ ପାଞ୍ଚ ବର୍ଷରେ କି କି ସୁଫଳ ଅନୁଭୂତ ହୋଇଛି ? ମନ୍ତ୍ରୀଙ୍କ ଉତ୍ତର ଥିଲା, ଗତ ପାଞ୍ଚ ବର୍ଷରେ ଆପିକଲ୍‌ ମାଧ୍ୟମ‌େର କଳାହାଣ୍ଡିରେ ୮ଟି କୃଷି ଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା କରାଯାଇଛି। ଏହା ଦ୍ବାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୪୦ ଜଣ ଆତ୍ମନିଯୁକ୍ତି ପାଇପାରିଛନ୍ତି। ସେହିପରି ୫ ବର୍ଷରେ ୫୯ଟି କୃଷି ସେବା କେନ୍ଦ୍ର ସ୍ଥାପନ କରାଯାଇ ୨ କୋଟି ୫୯ ଲକ୍ଷ ୧୩ ହଜାର ୬୩୩ ଟଙ୍କାର ରିହାତି ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପ ପ୍ରତିଷ୍ଠା ଫଳରେ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୨୯୫ ଜଣ ଆତ୍ମନିଯୁକ୍ତି ପାଇପାରିଛନ୍ତି। ଜଳନିଧି ଯୋଜନାରେ ୨୦୧୪-୧୫ରୁ ୨୦୧୯-୨୦ ମଧ୍ୟରେ ୧୯୮୦ ହିତାଧିକାରୀଙ୍କୁ ଗଭୀର ନଳକୂପ ଖନନ ନିମନ୍ତେ ୧୦ କୋଟି ୬୫ ଲକ୍ଷ ୮୧ ହଜାର ୬୪୭ ଟଙ୍କାର ରିହାତି ପ୍ରଦାନ କରାଯାଇଛି। ଏହା ଦ୍ବାରା ୪୯୫୦ ହେକ୍ଟର ଜମିକୁ ଜଜସେଚିତ କରାଯାଇ ୩୯୬୦ ଜଣ ଆତ୍ମନିଯୁକ୍ତି ପାଇପାରିଛନ୍ତି।

ଭୂପିନ୍ଦର ସିଂହ, ନିତ୍ୟାନନ୍ଦ ସାହୁ, ସୁରେଶ ରାଉତରାୟ, ପ୍ରଦୀପ କୁମାର ଦିସାରୀ ଓ ମହିଧର ରଣା ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର