ପ୍ରଫେସର ପ୍ରସନ୍ନଜିତ୍ ମିଶ୍ର
ଦେଶର ଦ୍ୱିତୀୟ ପୁରାତନ କୃଷି ବିଶ୍ୱବିଦ୍ୟାଳୟ ଭାବରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଚ୍ଚତ୍ତର ଶିକ୍ଷା ବ୍ୟତୀତ ଗବେଷଣା ଓ ଗବେଷଣାଲବ୍ଧ ଜ୍ଞାନକୁ କୃଷିକ୍ଷେତ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଗତ ୬୩ ବର୍ଷ ଧରି କାର୍ଯ୍ୟ କରିଆସୁଅଛି। ସଂପ୍ରତି ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ କରି ଜଳବାୟୁ ଅନୁକୂଳ କୃଷି, ବଜାର ଭିତ୍ତିକ କୃଷି ଆଦି ନୂତନ ପ୍ରକାରର ଜ୍ଞାନକୌଶଳକୁ ଗ୍ରହଣ କରିବା ପାଇଁ ଆମ କୃଷକମାନେ ଆଗଭର ହେଲେଣି। ଆମ ରାଜ୍ୟର ୭୩ ପ୍ରତିଶତ ଗ୍ରାମୀଣ ପରିବାର ଏବେ ମଧ୍ୟ କୃଷି କ୍ଷେତ୍ର ଉପରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ନିର୍ଭରଶୀଳ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଥିବା ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ନୂତନ ଭାବରେ ଉଦ୍ଭାବିତ ବା ଆବିଷ୍କୃତ ଜ୍ଞାନକୌଶଳକୁ ଓଡ଼ିଶାର ପ୍ରତ୍ୟେକ କୃଷି ପରିବାରର ଦ୍ୱାରରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଅଛି। ଏହି ନିର୍ଦ୍ଦେଶାଳୟ ଅଧୀନରେ ରାଜ୍ୟର ୨୮ଟି ଜିଲ୍ଲାରେ ୩୧ଟି କୃଷି ବିଜ୍ଞାନ କେନ୍ଦ୍ର ଏହି କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଏହା ବ୍ୟତୀତ ଦୂରଶିକ୍ଷା କାର୍ଯ୍ୟକ୍ରମ, ବ୍ଲକ୍ ସଂପ୍ରସାରଣ ଯୋଜନା, ପତ୍ରପତ୍ରିକା ପ୍ରକାଶନ, କୃଷି ବୈଷୟିକ ସୂଚନା କେନ୍ଦ୍ର, ଭିଡ଼ିଓ ପ୍ରକଳ୍ପ, କୃଷି ଶିକ୍ଷା ସଂଗ୍ରହାଳୟ, କୃଷକ ଉତ୍ପାଦକ ସଂଗଠନ ଉତ୍କର୍ଷ କେନ୍ଦ୍ର ଓ ସୂଚନା ବିଭାଗ ମଧ୍ୟ ସଂପ୍ରସାରଣ ନିର୍ଦ୍ଦେଶାଳୟରେ ରାଜ୍ୟର କୃଷକମାନଙ୍କ ପାଇଁ ନିରନ୍ତର କାମ କରୁଅଛି।
କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ କୃଷକମାନଙ୍କ ପାଇଁ ଆଲୋକବର୍ତ୍ତିକା ସଦୃଶ। ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ବିଭିନ୍ନ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ଅନୁଷ୍ଠିତ ୧୭୦୩ଟି ତାଲିମ୍ ମାଧ୍ୟମରେ ୪୬୯୬୯ ଜଣ କୃଷକ ଓ କୃଷିଜୀବୀ ମହିଳାଙ୍କୁ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ତାଲିମ୍ ପ୍ରଦାନ କରାଯାଇଛି। ଏହା ବ୍ୟତୀତ ୬୨୬୦ ଜଣ ଗ୍ରାମୀଣ ଯୁବକ ଯୁବତୀ ବିଭିନ୍ନ ଧନ୍ଦାମୂଳକ ପ୍ରଶିକ୍ଷଣ ପାଇ ରୋଜଗାରକ୍ଷମ ହୋଇପାରିଛନ୍ତି। ୪୧୮୨ ସଂଖ୍ୟକ ସଂପ୍ରସାରଣ ଅଧିକାରୀମାନଙ୍କୁ ମଧ୍ୟ ଉନ୍ନତ ଜ୍ଞାନକୌଶଳ ଉପରେ ତାଲିମ୍ ପ୍ରଦାନ କରାଯାଇଛି। ଚଳିତ ବର୍ଷ ୫୬୬ ଟି ଆଗୁଆଧାଡ଼ି କ୍ଷେତ୍ର ପ୍ରଦର୍ଶନ ମାଧ୍ୟମରେ ୭୪୧୪ ଜଣ ଚାଷୀ ଉପକୃତ ହୋଇପାରିଛନ୍ତି। ଏହା ବ୍ୟତୀତ ଗୃହପାଳିତ ପଶୁପାଳନ, ମତ୍ସ୍ୟଚାଷ, ମହୁଚାଷ, ଛତୁଚାଷ, ଫୁଲଚାଷ ଆଦିକୁ ସ୍ୱରୋଜଗାର ମାଧ୍ୟମ ଭାବେ ଗ୍ରହଣ କରି ବହୁ ଚାଷୀ ଉପକୃତ ହୋଇପାରିଛନ୍ତି।
ଓଡ଼ିଶା ଏକ ପରିବର୍ତ୍ତିତ ଜଳବାୟୁ ଦ୍ୱାରା ପ୍ରଭାବିତ ରାଜ୍ୟ। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଥିବା ଓଡ଼ିଶାର କୃଷକଙ୍କ ପାଇଁ ୯ଟି ଜିଲ୍ଲାରେ ‘ଜଳବାୟୁ ଅନୁକୂଳ କୃଷି ଉପରେ ଜାତୀୟ ଯୋଜନା’ (ନିକ୍ରା) କାର୍ଯ୍ୟ କରୁଛି। କୃଷକମାନେ ବନ୍ୟା, ମରୁଡ଼ି ସହଣୀ କୃଷି କିପରି କରିବେ, ସେ ସମ୍ବନ୍ଧରେ ଜ୍ଞାନ ହାସଲ କରୁଛନ୍ତି। ନରୱେ ସରକାରଙ୍କ ସହାୟତାରେ ଭାରତରେ ପ୍ରମାଣ ଆଧାରିତ ଜ୍ଞାନ ଓ ନୀତି ଆଧାରରେ ଜଳବାୟୁ ସହିଷ୍ଣୁ ଏବଂ ଅନ୍ୟାନ୍ୟ କୃଷି ପ୍ରଯୁକ୍ତିର ବିସ୍ତାରଣ (ରେଜିଲେନ୍ସ ପ୍ରକଳ୍ପ) ୪ଟି ଜିଲ୍ଲାରେ ବର୍ତ୍ତମାନ କାର୍ଯ୍ୟରତ। ଯୁବକମାନଙ୍କ କୃଷିକ୍ଷେତ୍ର ପ୍ରତି ବିମୁଖତାକୁ ରୋକିବା ପାଇଁ କୃଷି ବିଜ୍ଞାନ କେନ୍ଦ୍ର ମାନଙ୍କରେ ‘ଆର୍ୟା’ ଯୋଜନା କାମ କରୁଛି। ଜିଲ୍ଲା ପାଇଁ ଉପଯୁକ୍ତ ସମ୍ମାନ ଯୋଗ୍ୟ ଆକର୍ଷଣୀୟ କୃଷି ଓ ଆନୁଷଙ୍ଗିକ କୃଷି ସମ୍ବନ୍ଧୀୟ ଆୟ ଯୋଗାଇବା ଏହି ଯୋଜନାର ଉଦ୍ଦେଶ୍ୟ। ଡ୍ରୋନ୍ ପ୍ରଯୁକ୍ତି ପ୍ରଦର୍ଶନ ପ୍ରକଳ୍ପ ଦ୍ୱାରା ଓଡ଼ିଶାର ପାଞ୍ଚଗୋଟି ଜିଲ୍ଲାରେ ବିଭିନ୍ନ ଫସଲରେ ନାନୋ ସାର, ଉଦ୍ଭିଦ ବୃଦ୍ଧି ହରମୋନ, କୀଟନାଶକ ସିଞ୍ଚନ ଇତ୍ୟାଦି ୨୦୨୪-୨୫ ମସିହାରେ ୨୮୪୦ ହେକ୍ଟର ଜମିରେ ପ୍ରଦର୍ଶନ କରାଯାଇଛି। ୬ଟି ଜିଲ୍ଲାରେ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକରେ ‘ଡାଲି ଜାତୀୟ ବିହନ ଉତ୍ପାଦନ କେନ୍ଦ୍ର’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହା ସହ ଡାଲି ଓ ତୈଳବୀଜ ଉତ୍ପାଦନ ବୃଦ୍ଧି ପାଇଁ କ୍ଲଷ୍ଟର ଭାବରେ ୧୨୫୦ ହେକ୍ଟର ଜମିରେ କ୍ଷେତ୍ର ପ୍ରଦର୍ଶନ କରାଯାଇ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି କରାଯାଉଛି।
ପ୍ରତ୍ୟେକ ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ରମାନଙ୍କରେ ମୃତ୍ତିକା ପରୀକ୍ଷାଗାର ସୁବିଧା କରାଯାଇ ପୋଷ୍ୟଗ୍ରାମର ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଯୋଗାଇ ଦିଆଯାଉଅଛି। କୃଷି ବିଜ୍ଞାନ କେନ୍ଦ୍ରରେ ଜୈବିକ କୃଷି ଓ ପ୍ରାକୃତିକ କୃଷିର ପ୍ରଚାର ଓ ପ୍ରସାର ପାଇଁ ବ୍ୟାପକ ଭାବେ ସଚେତନତା ଓ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ନିଆଯାଇଛି। ସମନ୍ୱିତ କୃଷି ସାଂପ୍ରତିକ ପରିବର୍ତିତ ପରିସ୍ଥିତିରେ କୃଷକର ନିରନ୍ତର ଆୟ ପାଇଁ ଏକ ଉନ୍ନତ ଚିନ୍ତାଧାରା। ଏହାକୁ ଚରିତାର୍ଥ କରିବା ପାଇଁ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଏହିପରି ସମନ୍ୱିତ କୃଷିର ମଡେଲ ସ୍ଥାପନ କରିବା ସହ ଅନ୍ୟ କୃଷକମାନଙ୍କୁ ତା’ଉପରେ ଶିକ୍ଷାଦାନ କରାଯାଉଛି। ଗତବର୍ଷ ବିଶ୍ୱବିଦ୍ୟାଳୟ ଦ୍ୱାରା ୧୨୪୩ ଟି ବିଭିନ୍ନ ପ୍ରକାର କୃଷି ସମ୍ବନ୍ଧୀୟ ସୂଚନା ମୋବାଇଲ୍ ମାଧ୍ୟମରେ ୨୨.୩ ଲକ୍ଷରୁ ଉର୍ଦ୍ଧ୍ୱ ସଂଖ୍ୟକ କୃଷକଙ୍କୁ ସଠିକ୍ ସମୟରେ ପ୍ରେରଣ କରାଯାଇଅଛି। ବିଶ୍ୱବିଦ୍ୟାଳୟ ଠାରେ ଏକ କୃଷି ଶୈକ୍ଷିକ ସଂଗ୍ରହାଳୟ ନିର୍ମିତ ହୋଇଛି।
ବିଶ୍ୱବିଦ୍ୟାଳୟର କୃଷି ବିଜ୍ଞାନ କେନ୍ଦ୍ରମାନେ ସରକାରଙ୍କ ବିଭିନ୍ନ ଯୋଜନା ଯଥା– ଜାତୀୟ ଖାଦ୍ୟ ନିରାପତ୍ତା ମିଶନ, ଜାତୀୟ ଉଦ୍ୟାନ ମିଶନ, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଓ ବିଭିନ୍ନ ରାଜ୍ୟସ୍ତରୀୟ ଯୋଜନାର ଯଥା: ମିଲେଟ୍ ମିଶନ, ମକା ମିଶନ, ମସଲା ମିଶନ ଇତ୍ୟାଦି କାର୍ଯ୍ୟାନ୍ୱୟନରେ ଅଂଶୀଦାର ହୋଇ ଏହାର ସଫଳତା ପାଇଁ ସହଯୋଗ କରୁଛନ୍ତି। ବୀଜରୁ ବଜାର ପର୍ଯ୍ୟନ୍ତ ପ୍ରତ୍ୟେକ ସୋପାନକୁ ସରଳୀକୃତ ଓ ସୁସଂଗଠିତ କରାଇବା ଉଦ୍ଦେଶ୍ୟରେ ଓଡ଼ିଶାର ଏକ ମାତ୍ର କୃଷି ବିଶ୍ୱବିଦ୍ୟାଳୟ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସର୍ବଦା ପ୍ରଚେଷ୍ଟାରତ। କୃଷି ସଂପ୍ରସାରଣ ନିର୍ଦ୍ଦେଶାଳୟ ଏଥିରେ ଅଗ୍ରଦୂତର ଭୂମିକା ଗ୍ରହଣ କରି ଏହି କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିଆସୁଅଛି ।
ଅଧ୍ୟକ୍ଷ, ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର