ଭୁବନେଶ୍ୱର : ଫସଲର ସୁରକ୍ଷା ପାଇଁ ଆବଶ୍ୟକ ସମସ୍ତ ଜୈବ କୀଟନାଶକ ଓ ରାସାୟନିକ ସାରର ଅପବ୍ୟବହାରର ରୋକିବା ପାଇଁ କୃଷି ଡାକ୍ତର ଭାବେ କାର୍ଯ୍ୟ କରୁଥିବା ସହକାରୀ କୃଷି ଅଧିକାରୀଙ୍କ ଅନୁମୋଦିତ ଚିଠାକୁ ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ ଦେଇଛି ଓଡ଼ିଶା କୃଷି ସେବା ସଂଘ।
Sambad is now on WhatsApp
Join and get latest news updates delivered to you via WhatsApp
କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗଙ୍କୁ ସେବା ସଂଘର ସାଧାରଣ ସଂପାଦକ ନୀଳମାଧବ ଚାନ୍ଦଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସାକ୍ଷାତ କରି ବିଭିନ୍ନ ଦାବି, ପ୍ରସ୍ତାବ ସଂପର୍କରେ ଆଲୋଚନା କରିଛନ୍ତି। ସଂଘର ପ୍ରସ୍ତାବ ଅନୁଯାୟୀ କୃଷି ଡାକ୍ତରଙ୍କ ଚିଠାକୁ ବାଧ୍ୟତାମୂଳକ କରାଯାଇ ସେହି ଚିଠା ମୁତାବକ ଚାଷୀମାନେ ବଜାରରୁ କିଣିବେ। ତଦନୁଯାୟୀ ଗ୍ରାମ କୃଷି କର୍ମଚାରୀମାନେ ପର୍ମିଟ୍ କାଟିବେ। ସଂଘର ଅନ୍ୟାନ୍ୟ ପ୍ରମୁଖ ଦାବି ମଧ୍ୟରେ କୃଷି ଅଧିଦର୍ଶକଙ୍କ ପଦୋନ୍ନତି କ୍ଷେତ୍ରରେ ମଞ୍ଜୁରି ପଦବି ସଂଖ୍ୟାର ୧୦ ପ୍ରତିଶତ ମଧ୍ୟରେ ସୀମିତ ରଖିବା, ୨୦୧୩ରୁ ସହକାରୀ କୃଷି ଅଧିକାରୀଙ୍କ ବରିଷ୍ଠତା ତାଲିକା ଅଗ୍ରାଧିକାର ଭିତ୍ତିରେ ପ୍ରକାଶ, ସମସ୍ତ କୃଷି ଯୋଜନାଗୁଡ଼ିକର ଦାୟିତ୍ୱ ଜିଲ୍ଲା କୃଷି ଅଧିକାରୀଙ୍କୁ ନ୍ୟସ୍ତ କରାଯିବା, ବ୍ଲକର ୨ୟ ସର୍କଲରେ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ସ୍ଥାପନ, ୨୦୧୩ରୁ ଖାଲି ପଡ଼ିଥିବା ୧୬୩ରୁ ଅଧିକ କୃଷି ଅଧିକାରୀଙ୍କ ଆରଏସିପି ତୁରନ୍ତ ଅନୁମୋଦନ କରି ନିର୍ଦେଶନାମା ଜାରି ଆଦି ସଂପର୍କରେ ଆଲୋଚନା ହୋଇଥିଲା। ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷା ନନ୍ଦିନୀ ଦଳାଇ, କୋଷାଧ୍ୟକ୍ଷ ପ୍ରଦୀପ୍ତ କୁମାର ସାହୁ, ସଂଗଠନ ସଂପାଦକ ଦେବୀପ୍ରସନ୍ନ ଖୁଣ୍ଟିଆ, ସଂପାଦକ ତୁଷାରକାନ୍ତ ପତି ପ୍ରମୁଖ ଯୋଗ ଦେଇଥିଲେ।