କୃଷି ଓ ସମବାୟ ବିଭାଗର ଉଚ୍ଚସ୍ତରୀୟ ସମନ୍ବୟ ବୈଠକ : ଉନ୍ନତ ମାନର ବିହନ ଓ ସାର ‌ଯୋଗାଣକୁ ଗୁରୁତ୍ବ

ଭୁବନେଶ୍ବର : ଲୋକଙ୍କ ଖାଦ୍ୟ ସୁରକ୍ଷା କୃଷି କାର୍ଯ୍ୟ ଉପରେ ନିର୍ଭର କରୁଛି। କୋଭିଡ୍‌-୧୯ ସ୍ଥିତିରେ ରାଜ୍ୟରେ ଖରିଫ୍‌ ଚାଷ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାର ଆବଶ୍ୟକତା ରହିଛି। ଏହି ଦୃଷ୍ଟିରେ ରଖି ସମବାୟ ଓ କୃଷି ବିଭାଗର ଏକ ମିଳିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି କୃଷି ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଅରୁଣ କୁମାର ସାହୁ ଉପସ୍ଥିତ ରହି ଉଭୟ ବିଭାଗର ସମନ୍ବୟ ଉପରେ ଗୁରୁତ୍ବରୋପ କରିଥିଲେ।

ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ, ଖରିଫ ଚାଷ ପାଇଁ ଠିକଣା ସମୟରେ ଚାଷୀମାନଙ୍କୁ ଆବଶ୍ୟକ ବିହନ, ସାର ଓ ଅନ୍ୟ କୃଷି ସାମଗ୍ରୀ ଯୋଗାଇ ଦିଆଯାଉଛି। ଫସଲ ଋଣ ଯୋଗାଣ କ୍ଷେତ୍ରରେ ନୂଆ ଚାଷୀ ଓ ଯୁଗ୍ମଦେୟ ଗୋଷ୍ଠୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଋଣ ଦିଆଯାଉଛି। ଚଳିତ ଖରିଫରେ ଚାଷୀମାନଙ୍କୁ ୯ ହଜାର କୋଟି ଟଙ୍କାର ଫସଲ ଋଣ ସମବାୟ ସଂସ୍ଥା ମାଧ୍ୟମରେ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି। କୃଷି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ ଯେ ଖରିଫ ଫସଲ‌େର ଅଧିକ ଅଣଧାନ ଫସଲ ଯଥା ଡାଲି, ତୈଳବୀଜ, ପନିପରିବା ପରି ଅର୍ଥକାରୀ ଫସଲ ଚାଷ ଉପରେ ଗୁରୁତ୍ବ ଦିଆଯାଇଛି।

ଉଭୟ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା ଦିଗରେ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ପ୍ରତି ମାସର ପ୍ରଥମ ଓ ତୃତୀୟ ଶନିବାର ଦିନ ବ୍ଲକ୍‌ ସ୍ତରରେ ଅନୁଷ୍ଠିତ ହେଉଥିବା ଟେକ୍ନିକାଲ୍ ଟିମ୍‌ର ବୈଠକ ଅଧିକ ଉପଯୋଗୀ ହୋଇପାରିବ। ସମବାୟ, କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଆଦି ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ମିଳିତ ଭାବେ କାର୍ଯ୍ୟ କରି ତୃଣମୂଳ ସ୍ତରରେ ଚାଷୀଙ୍କ ସମସ୍ୟା ସମାଧାନ କରିବେ ବୋଲି ସମନ୍ବୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

କୋଭିଡ୍‌-୧୯ ସ୍ଥିତିରେ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଶାକୁ ଫେରୁଥିବା ପରିପ୍ରେକ୍ଷୀରେ ସେମାନଙ୍କୁ ଯୁଗ୍ମ ଦେୟ ଗୋଷ୍ଠୀ ଗଠନ ଜରିଆରେ କୃଷି କ୍ଷେତ୍ରରେ ନିୟୋଜିତ କରି କୃଷି ଋଣ ଯୋଗାଇ ଦେବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ବାଣିଜ୍ୟିକ ବ୍ୟାଙ୍କମାନେ କୃଷି କ୍ଷେତ୍ରରେ ଅଧିକ ଋଣ ଯୋଗାଇ ଦେବାର ଆବଶ୍ୟକତା ଦୃଷ୍ଟିରୁ ଏ ଦିଗରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହିତ ଏକ ସ୍ବତନ୍ତ୍ର ବୈଠକ ଆୟୋଜନ ପାଇଁ ମତପ୍ରକାଶ ପାଇଥିଲା।

ବୈଠକରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ସ୍ବତନ୍ତ୍ର ସଚିବ ସୁରେଶ କୁମାର ବଶିଷ୍ଠ ଓ ସମବାୟ ବିଭାଗର ସଚିବ ବୀର ବିକ୍ରମ ଯାଦବ ପ୍ରମୁଖ ଉପସ୍ଥିତ ରହି ଖରିଫ ଚାଷ ନିମନ୍ତେ ଚାଷୀମାନଙ୍କୁୂ ଉନ୍ନତମାନର ବିହନ, ସାର, ଖରିଫ ଫସଲ ଋଣ ଯୋଗାଣ, ଫସଲ ବୀମା ଏବଂ କୃଷିଜାତ ଦ୍ରବ୍ୟର ବିକ୍ରିବଟା, ରବି ଫସଲ ସଂଗ୍ରହ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଚାଷୀମାନେ ଯେପରି ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇପାରିବେ, ସେ ଦିଗରେ ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା ଭିତ୍ତିଭୂମିର ଉପଯୋଗ କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ, ଉଦ୍ୟାନ କୃଷି ନିର୍ଦ୍ଦେଶକ, ସମବାୟ ସମିତି ସମୂହର ନିବନ୍ଧକ, ମାର୍କଫେଡ୍‌ର ଓଡ଼ିଶା ରାଜ୍ୟ ବିହନ ନିଗମ ଓ ଓଡ଼ିଶା ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର