ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ ୨୦୨୫ର ଦ୍ୱିତୀୟ ଦିବସର ପ୍ରଥମ ଅଧିବେଶନରେ ‘କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ- ଓଡ଼ିଶାରେ ନିରନ୍ତର ଖାଦ୍ୟ ଓ ଅଭିବୃଦ୍ଧି’ ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ସେଥିରେ ମୋଟ ୧୭ଟି ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଥିଲା। ନିବେଶକମାନେ ୧୨୮୯ କୋଟି ଟଙ୍କାର ନିବେଶ ପାଇଁ ସହମତି ପ୍ରଦାନ କରିଥିଲେ। ଅଧିବେଶନକୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବିକଶିତ ଭାରତ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମକୁ ବିକଶିତ ଓଡ଼ିଶା ଗଠନ କରିବାକୁ ହେବ ବୋଲି କହିଥିଲେ। ଏଥିପାଇଁ ଜୈବିକ କୃଷି, ଜଳବାୟୁ ସହନଶୀଳ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ଆବଶ୍ୟକ। ଚାଷ କ୍ଷେତରୁ ବଜାର ମୂଲ୍ୟ ପର୍ଯ୍ୟନ୍ତ ସବୁଥିରେ ଅଭିବୃଦ୍ଧି ହେବା ଦରକାର। ସେଥିପାଇଁ ଓଡ଼ିଶାର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ନିବେଶ କରି ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ରୂପାନ୍ତରିତ କରିବାକୁ ସେ ଉଦ୍ୟୋଗୀମାନଙ୍କୁ ଆହ୍ବାନ ଦେଇଥିଲେ।
ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ ଏବଂ ସମ୍ଭାବନାରେ ଭରପୂର । କୃଷି, ପନିପରିବା, ମସଲା ଇତ୍ୟାଦି ଉତ୍ପାଦନରେ ଓଡ଼ିଶାର ପ୍ରଦର୍ଶନ ଉଲ୍ଲେଖନୀୟ । ଅଧିକ ପୁଞ୍ଜିନିବେଶ ଓଡ଼ିଶାକୁ ଆହୁରି ସଶକ୍ତ କରିବ ବୋଲି ସେ କହିଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ କହିଥିଲେ ଯେ ଓର୍ମାସ୍ ଓଡ଼ିଶା ଜୀବିକା ମିସନ ଜରିଆରେ ଓଡ଼ିଶାର ଗ୍ରାମ୍ୟ ଅର୍ଥନୀତି ସଶକ୍ତ ହେଉଛି। ଏହାକୁ ଅଧିକ ସଶକ୍ତ କରିବା ପାଇଁ ଉଦ୍ୟୋଗୀମାନେ ଆଗେଇ ଆସିବା ଦରକାର। ଏହି ଅବସରରେ ଶୀତଳଭଣ୍ଡାର ପୁସ୍ତିକା ଉନ୍ମୋଚିତ ହୋଇଥିଲା। ଆନୁଷ୍ଠାନିକ ଭାବେ ୫୮ଟି ଶୀତଳ ଭଣ୍ଡାର ଖୋଲାଯିବା ଯୋଜନା ଲାଗୁ କରାଯାଇଥିଲା। ଏଫ୍ପିଓ ଉପରେ ଏକ କଫି ଟେବୁଲ ପୁସ୍ତିକା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ କୃଷି ବିଭାଗ ପ୍ରମୁଖ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ନିଖିଲ ପୱନ୍ କଲ୍ୟାଣ ଓ ଶିଳ୍ପ ନିର୍ଦ୍ଦେଶକ ଡ. ପ୍ରଶାନ୍ତ କୁମାର ରେଡ୍ଡୀ ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/30/1R0m6LHEUajvsTClJdvQ.jpg)