ସରକାରଙ୍କୁ ଘାରିଲା ଚାଷ ଓ ପାଣି ଚିନ୍ତା

କୃଷି ଓ ସମବାୟ ସମେତ ୫ ବିଭାଗ ଜରୁରୀ ଶ୍ରେଣୀରେ ସାମିଲ
ଏଣିକି ଅଫିସ୍‌ ଆସିବେନି ୧୭ଟି ବିଭାଗର କର୍ମଚାରୀ
କର୍ମଚାରୀଙ୍କ ଅଫିସ ଆସିବା ନେଇ ସରକାରଙ୍କ ସାନି ନିର୍ଦ୍ଦେଶନାମା

ଭୁବନେଶ୍ବର : ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦ ଜାରି ରହିବ। ଏହି ସମୟରେ କୃଷି କାର୍ଯ୍ୟ ଓ ଫସଲ ଅମଳ ଯେପରି କୌଣସି ପ୍ରକାର ବାଧାପ୍ରାପ୍ତ ନ ହୁଏ, ସେ ନେଇ ସରକାରଙ୍କ ଚିନ୍ତା ପଶିଛି। ସେହିପରି ଖରାଦିନ ଯୋଗୁଁ ଗ୍ରାମାଞ୍ଚଳରେ ପିଇବା ପାଣିର ଘୋର ଅଭାବ ଦେଖାଦେଲାଣି। ଚାଷୀଙ୍କୁ ବିହନ, ସାର ଯୋଗାଣ, ଋଣ ସୁବିଧା ଯେପରି ତ୍ବରାନ୍ବିତ ହେବ, ସେଥିପାଇଁ କୃଷି ଓ ସମବାୟ ବିଭାଗର ସମସ୍ତ କର୍ମଚାରୀଙ୍କୁ ନିୟମିତ ଅଫିସ ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଅଣଜରୁରୀ ଶ୍ରେଣୀରେ ଥିବା ଏହି ଦୁଇଟି ବିଭାଗ ସମେତ ୫ଟି ବିଭାଗକୁ ସରକାର ଆଜି ଜରୁରୀ ବର୍ଗରେ ସାମିଲ କରିଛନ୍ତି। ଏହାସହିତ ୧୭ଟି ବିଭାଗକୁ ଅଣଜରୁରୀ ଶ୍ରେଣୀ ବୋଲି ଘୋଷଣା କରାଯାଇଛି। ଏହାକୁ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି।

ଆସନ୍ତା ୨୬ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ପରମ୍ପରା ଅନୁଯାୟୀ ଏହି ଦିନ ଅଖିମୁଠି ଅନୁକୂଳ ହୋଇ ଖରିଫ୍ ଚାଷ କାର୍ଯ୍ୟ ଆରମ୍ଭ କରାଯାଏ। ଏହାସହିତ ରବି ଫସଲ ଅମଳ ଋତୁ ହୋଇଥିବାରୁ ଚାଷୀମାନେ ସେମାନଙ୍କ ଉତ୍ପାଦ ବିକ୍ରି କରିବା ପାଇଁ ମଣ୍ଡିଗୁଡ଼ିକ ମଧ୍ୟ ଖୋଲା ରହିବା ଦରକାର। ଖାଲି ସେତିକି ନୁହେଁ, ଖରାଦିନରେ ନଳକୂପ ମରାମତି, ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣକୁ ବି ସୁନିଶ୍ଚିତ କରିବାକୁ ପଡ଼ିବ। ଏସବୁକୁ ଦୃଷ୍ଟିରେ ରଖି କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଶ୍ରମ ଓ ଇଏସ୍‌ଆଇ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ଜରୁରୀ ବର୍ଗ ବୋଲି ଘୋଷଣା କରାଯାଇଛି। ତାଲାବନ୍ଦ ସମୟରେ ଏହିସବୁ ବିଭାଗର କର୍ମଚାରୀମାନେ ଏଣିକି ନିୟମିତ ଅଫିସ ଆସି ଲୋକଙ୍କୁ ସେବା ଯୋଗାଇବାପାଇଁ କାର୍ଯ୍ୟ କରିବେ। ଫଳରେ ଜରୁରୀ ବିଭାଗ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି।

ସେହିପରି ଆଂଶିକ ଜରୁରୀ ବିଭାଗଗୁଡ଼ିକରେ ବି ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଅଣଜରୁରୀ ଶ୍ରେଣୀରେ ଥିବା ଜଙ୍ଗଲ ଓ ପରିବେଶ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ମହିଳା ଶିଶୁ ବିକାଶ ଓ ମିସନ ଶକ୍ତି ଏବଂ ଇସ୍ପାତ ଓ ଖଣି ବିଭାଗକୁ ଆଂଶିକ ଜରୁରୀ ବର୍ଗରେ ସାମିଲ କରାଯାଇଛି। ତାଲାବନ୍ଦ ସମୟରେ ମୋଟ୍‌ ୧୩ଟି ଆଂଶିକ ଜରୁରୀ ବିଭାଗର କର୍ମଚାରୀମାନଙ୍କ ମଧ୍ୟରୁ ଅନ୍ୟୂନ ପ୍ରତ୍ୟେକ ବିଭାଗରେ ୧୦% ଲେଖାଏଁ କର୍ମଚାରୀମାନଙ୍କୁ ଅଫିସ ଆସିବାକୁ ପଡ଼ିବ। ବାକି ଅଣଜରୁରୀ ବର୍ଗର କର୍ମଚାରୀମାନେ ଅଫିସ ଆସିବେ ନାହିଁ।

ସମ୍ବନ୍ଧିତ ଖବର