କୃଷି ବଜେଟ୍‌ : ରାଜ୍ୟ କୃଷକଙ୍କ ଆୟ ଦ୍ୱିଗୁଣିତ ହୋଇଛି, କୃଷି ପାଇଁ ୧୯,୪୦୮ କୋଟିର ବ୍ୟୟବରାଦ

ଭୁବନେଶ୍ୱର : ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ଏଥର ରାଜ୍ୟ ବଜେଟର ଆକାର ୧ ଲକ୍ଷ ୫୦ ହଜାର କୋଟିକୁ ବୃଦ୍ଧି ପାଇଛି । ଗତ ଥର ଭଳି ଏଥର ମଧ୍ୟ ବଜେଟକୁ ଦୁଇଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଉଛି କୃଷି ବଜେଟ ଓ ସାଧାରଣ ବଜେଟ । ରାଜ୍ୟରେ କୃଷି ଜିଡିପି ଅଭିବୃଦ୍ଧି ୪.୫ ପ୍ରତିଶତ ରହିଛି, ଯାହାକି ଜାତୀୟ ଅଭିବୃଦ୍ଧି ହାର ୩.୧ ପ୍ରତିଶତଠାରୁ ଅଧିକ । କୃଷି କ୍ଷେତ୍ର ପାଇଁ ଏଥର ୧୯,୪୦୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ବିଗତ ୫ ବର୍ଷରେ ୬ଟି ବୃହତ୍ତ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ଆଉ ୧.୮୪ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ବିନା ସୁଧରେ ଋଣ ପ୍ରଦାନ ପାଇଁ ୭୦୫ କୋଟିର ବ୍ୟୟ ବରାଦ କରାଯାଇଛି । ସେହିପରି ବିହନ ପାଇଁ ୧୦୦ କୋଟି ଓ ସାର ପାଇଁ ୧୦୦ କୋଟିର ଆବର୍ତ୍ତନ ପାଣ୍ଠି ରହିବ । ଏହାଛଡ଼ା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୭ ଶହ କୋଟିର ବ୍ୟୟବରାଦ କରାଯାଇଛି । ବନ୍ୟା ନିୟନ୍ତ୍ରଣ ପାଇଁ ୧୦୬୦ କୋଟିର ବ୍ୟୟବରାଦ କରାଯାଇଛି । ତେବେ ରାଜ୍ୟ ସରକାରଙ୍କ ଉଦ୍ୟମ ସତ୍ତ୍ୱେ କୃଷି କ୍ଷେତ୍ରକୁ ବ୍ୟାଙ୍କଋଣ ପ୍ରଦାନରେ ବିଶେଷ ଉନ୍ନତି ଆସିପାରିନାହିଁ । ଏ କ୍ଷେତ୍ରରେ ବ୍ୟାଙ୍କ ଋଣକୁ ପ୍ରେତ୍ସାହିତ କରିବାକୁ ସରକାର ବ୍ୟାଙ୍କମାନଙ୍କ ପାଇଁ ପୁରସ୍କାରର ଘୋଷଣା କରିଛନ୍ତି । ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୨୧୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ସମ୍ବନ୍ଧିତ ଖବର