କୃଷି ବିଭାଗ ସ୍ଥାଣୁ

ଭୁବନେଶ୍ୱର : ଚକଡ଼ା ପୋକ ଧାନ ଫସଲକୁ ଏମିତି ଖିନ୍‌ଭିନ୍‌ କରିଦେଲା ଯେ ହତାଶ ହୋଇ ଗତକାଲି ବରଗଡ ଜିଲ୍ଲା କଳାପାଣି ଗାଁର ବୃନ୍ଦାବନ ସାହୁ ନିଜ ଧାନ ଜମିରେ ନିଆଁ ଲଗାଇ ଦେଇଥିଲେ। ୨୪ଘଣ୍ଟା ପୂରିନି, ଆଜି ବୃନ୍ଦାବନ ବିଷ ପିଇ ଆତ୍ମହତ୍ୟା କରିବା ଘଟଣା ସମୁଦାୟ ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଏହାକୁ ମିଶାଇ ଗତ ସାତ ଦିନ ମଧ୍ୟରେ ବରଗଡ଼ ଜିଲ୍ଲାରେ ୪ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ହେଲେ କୃଷି ବିଭାଗ କିନ୍ତୁ ଏତେ ବେଫିକର ଯେ ତଦନ୍ତ କରାଯାଉଛି, ଅଫିସର ଯାଇଛନ୍ତି, ବିଶେଷଜ୍ଞ ପଠାଯାଇଛି, କ୍ଷତିପୂରଣ ଦିଆଯିବ ବୋଲି ବିବୃତି ଦେଇ ସମୟ ଗ଼ଡାଇ ଚାଲିଛନ୍ତି। ବୃନ୍ଦାବନ ସାହୁ ଆତ୍ମହତ୍ୟା ଘଟଣା କ୍ଷେତ୍ରରେ ବି ଆଜି ଅନୁରୂପ ପ୍ରତିକ୍ରିୟା ମିଳିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ସଚିବାଳୟରେ ମୁଖ୍ୟଶାସନ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀଙ୍କୁ ବସାଇ ଏକ ବୈଠକ କରିଥିବା କହିଲେ। ଘଟଣାକୁ ନେଇ ନିଜର ଉଦ୍‌ବେଗ ପ୍ରକାଶ କରିଥିଲେ। ହେଲେ ପୁଣି ୪୮ ଘଣ୍ଟାର ମହଲତ ମାଗିଥିଲେ। କହିଥିଲେ, ବରଗ଼଼ଡ଼ ସମେତ ଚକ଼ଡ଼ା ପୋକ ଲାଗିଥିବା ଅନ୍ୟ ଜିଲ୍ଲାର ଜିଲ୍ଲାପାଳଙ୍କୁ କୁହାଯାଇଛି, ସେମାନେ ସ୍ଥିତି ଅନୁଧ୍ୟାନ କରି ଦୁଇଦିନ ମଧ୍ୟରେ ରିପୋର୍ଟ ଦେବା ପରେ ରିଲିଫ୍‌ କୋର୍ଡରେ କ୍ଷତିପୂରଣ ନେଇ ଯେଉଁ ବ୍ୟବସ୍ଥା ରହିଛି, ସେ ନେଇ ସରକାର ପଦକ୍ଷେପ ନେବେ। କ୍ଷତିପୂରଣ ମିଳିବ। ସମାନ୍ତରାଳ ଭାବେ ବୃନ୍ଦାବନ ସାହୁ ଆତ୍ମହତ୍ୟା ଘଟଣା ପଛର କାରଣ ବି ଖୋଜି ରିପୋର୍ଟ ଦେବା ଲାଗି ଜିଲ୍ଲା ପ୍ରଶାସନକୁ କୁହାଯାଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ।

ନକଲି ଔଷଧ ନେଇ ବିରୋଧୀଙ୍କ ଅଭିଯୋଗକୁ ମନ୍ତ୍ରୀ କଟାକ୍ଷ କରିଥିଲେ ହେଁ ଏହି ପ୍ରସଙ୍ଗକୁ ଟାଳି ପାରିନଥିଲେ। କହିଥିଲେ, ତାଙ୍କର ବି ଔଷଧ ନେଇ ସନ୍ଦେହ ରହିଛି। ଏହି ଘଟଣାରେ ଯିଏ ବି ଦୋଷୀ ଥିବ, ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଚାଷୀ ଆତ୍ମହତ୍ୟାକୁ ନେଇ ବିଭିନ୍ନ ମହଲରେ ଦେଖାଦେଇଥିବା ଉଦ୍‌ବେଗକୁ ମନ୍ତ୍ରୀ ଏମିତି ଢଙ୍ଗରେ କିଛି ସମୟ ପାଇଁ ପ୍ରଶମିତ କରିବାରେ ସକ୍ଷମ ହୋଇଛନ୍ତି। କିନ୍ତୁ କୃଷି ବିଭାଗ ଅଧିକାରୀ ଓ ଜିଲ୍ଲାପାଳଙ୍କ ମନମାନି, ପ୍ରଶାସନିକ ସ୍ଥାଣୁତା ପଦାରେ ପଡିଯାଇଛି। କେବଳ ବରଗଡ଼ ଜିଲ୍ଲାକୁ ଉଦାହରଣ ଭାବେ ନେଲେ ଯେ କେହି ଜାଣିପାରିବ ଯେ ସରକାରଙ୍କ ଆଚରଣ ଓ ଉଚ୍ଚାରଣ ଭିତରେ ଦୂରତା କେତେ ପରିମାଣରେ ବଢିଯାଇଛି।

କାରଣ ଗତ ୨୫ ତାରିଖ ଦିନ ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକର ମନମୁଣ୍ଡା ଅଞ୍ଚଳର ଇନ୍ଦ୍ର ବରିହା ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସରକାର ଏହାର ତଦନ୍ତ କରାଯିବ ବୋଲି ସୂଚନା ଦେଇଥିଲେ। ୨୭ ତାରିଖରେ ପାଇକମାଳର ଜଳଗଡ଼ ଅନ୍ତର୍ଗତ ଜଗଦିଶ ଗୁଡ଼େକ ନାମକ ଆଉ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଥିଲା। ୩୦ ତାରିଖରେ ପୁଣି ଅଭିଯୋଗ ହେଲା ଯେ ବରଗ଼଼ଡ଼ ସଦର ବ୍ଲକର ତୋରା ଅଞ୍ଚଳର ଅକ୍ଷୟ ତରାଇ ଆତ୍ମହତ୍ୟା କରିଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣାରେ ଜିଲ୍ଲାପାଳ ଓ ଏସ୍‌ପି ମିଳିତ ଭାବେ ତଦନ୍ତ କରି ରିପୋର୍ଟ ଦେବା କଥା। ମାତ୍ର ଏ ତିନିଟି ଆତ୍ମହତ୍ୟା ଘଟଣା ପଛର ରହସ୍ୟ ଆଜି ବି ଉନ୍ମୋଚିତ ହୋଇପାରିନାହିଁ ଓ ମନ୍ତ୍ରୀ ଏସବୁକୁ ଚାଷ ଜନିତ ଆତ୍ମହତ୍ୟା ବୋଲି ମାନିବାକୁ ନାରାଜ। ବରଂ ଏକଥା ପଚାରିଲେ, ଗଣମାଧ୍ୟମ ଉପରେ ମନଇଚ୍ଛା ଗର୍ଜୁଛନ୍ତି ମନ୍ତ୍ରୀ। ଯେମିତି ଗଣମାଧ୍ୟମ ହିଁ ଏଭଳି ଅଭାବନୀୟ ଘଟଣା କରାଇ ଦେଇଛି। ନିଜ ମନ ଭିତର ଅସନ୍ତୋଷକୁ କ୍ୟାମେରା ସାମ୍ନାରେ ରଖି ସରକାରଙ୍କ ଅସହାୟତା ଧରାପକାଇବାରେ କୌଣସି ସୁଯୋଗ ହାତଛଡା କରୁନାହାନ୍ତି।

ପ୍ରଶାସନିକ ସ୍ଥାଣୁତାର ଆଉ ଏକ ଉଦାହରଣ ବି ସାମ୍ନାକୁ ଆସିଛି। ଚାଷରେ ଚକ଼ଡ଼ା ପୋକ ଲାଗିବା ଘଟଣା ଗତକାଲି କିମ୍ବା ଆଜି ଜଣାପଡିନାହିଁ। ଢେର୍‌ ଦିନ ତଳୁ ଏହା ସାମ୍ନାକୁ ଆସିଲାଣି। ବିଭିନ୍ନ ଗଣମାଧ୍ୟମରେ ଏ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇଛି ଓ ସରକାରଙ୍କ ନଜରରେ ମଧ୍ୟ ଏହା ଥିଲା। ଚାଷୀମାନେ ମଧ୍ୟ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ଓ କୃଷି ଅଧିକାରୀଙ୍କ ନଜରକୁ ଆଣିଥିଲେ। ଏହାପରେ ବି ସ୍ଥିତି ଅଣାୟତ ହେଲା କେମିତି?

ଗତକାଲି ମନ୍ତ୍ରୀ ନିଜେ କହିଥିଲେ ଯେ ପୋକ ଜନିତ ସମସ୍ୟା ସମାଧାନ ପାଇଁ ବିଭାଗର ନିର୍ଦେଶକ ବହୁ ପୂର୍ବରୁ ଜାଣି ତୁରନ୍ତ ଔଷଧ କିଣି ଚାଷୀଙ୍କୁ ଯୋଗାଇବା ଲାଗି ସଂପର୍କରେ ଉପନିର୍ଦେଶକମାନଙ୍କୁ। ଏବେ ଅଭିଯୋଗ ଆସିଛି ଯେ ଚାଷୀ ଯେଉଁ ଔଷଧ ବା କୀଟନାଶକ ଜମିରେ ସିଞ୍ଚନ କଲେ, ସେଥିରେ ଚକଡ଼ା ପୋକ ମରୁନାହାନ୍ତି। ଅର୍ଥାତ୍‌ ଔଷଧ ନକଲି ହୋଇଥାଇପାରେ କିମ୍ବା ଚାଷୀ ପକାଉଥିବା ଔଷଧ ଚକଡ଼ା ପୋକ ମାରିବା ପାଇଁ ଉଦ୍ଦିଷ୍ଟ ନୁହେଁ। ପଞ୍ଚାୟତସ୍ତରଠାରୁ ଆରମ୍ଭ କରି ବ୍ଲକ, ଜିଲ୍ଲା ପର୍ଯ୍ୟନ୍ତ ଚାଷୀମାନଙ୍କ ସମସ୍ୟା କଥା ବୁଝିବା ପାଇଁ ଅନେକ ଅଫିସର ଅଛନ୍ତି। ଏମାନେ ଏକଥା ଜାଣିପାରିଲେ ନାହିଁ କେମିତି? ଯଦି ଚାଷୀର ସମସ୍ୟା ସମାଧାନ କ୍ଷେତ୍ରରେ ଏମାନଙ୍କର କୌଣସି ଭୂମିକା ରହିବ ନାହିଁ କିମ୍ବା ସରକାର ଏମାନଙ୍କୁ ଆଖିବୁଜା ସୁରକ୍ଷା ଦେଇ ଚାଲିବେ, ତେବେ ଚାଷୀର ଭାଗ୍ୟ କଣ ହେବ? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି। ଏଯାଏ କିନ୍ତୁ ବିଭାଗ ଜଣେ ବି କାହାକୁ ଦୋଷୀ ବୋଲି ଚିହ୍ନଟ କରିିନି କି କାର୍ଯ୍ୟାନୁଷ୍ଠାନ ବି ନାହିଁ।

ଉଲ୍ଲେଖଯୋଗ୍ୟ, ବରଗଡ଼ ଜିଲ୍ଲାର ଗୋଟିଏ ପଟେ ମରୁ଼ଡ଼ି ମାଡ଼ ହୋଇଛି। ଆଖିଦେଖା ରିପୋର୍ଟକୁ ଭିତ୍ତି କରି ସରକାର ଇନ୍‌ପୁଟ୍‌ ସବ୍‌ସିଡି ଘୋଷଣା କରିଛନ୍ତି। ହେଲେ ଜଳସେଚିତ ଅଞ୍ଚଳରେ ଭଲ ଫସଲ ହୋଇଥିଲା। ଏବେ ଚକଡ଼ା ପୋକ ଦାଉ ସାଧୁଛନ୍ତି ଓ ସରକାରଙ୍କ କାଳ କ୍ଷେପଣ ନୀତି, ସ୍ଥାଣୁତା ଚାଷୀକୁ ହତାଶ ଭିତରକୁ ଠେଲି ଦେଲେଣି।

ଏଠାରେ ପ୍ରକାଶଥାଉକି ଆଜି ରାଜସ୍ୱ ବିଭାଗ ପକ୍ଷରୁ ୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି। ରୋଗ ପୋକ ଜନିତ କେତେ ଫସଲ ନଷ୍ଟ ହୋଇଛି ସେ ନେଇ ରିପୋର୍ଟ ଦେବା ଲାଗି ରାଜସ୍ୱ ବିଭାଗ ନିର୍ଦ୍ଦେଶ ଦେଇଛି। ଏସବୁୁ ଜିଲ୍ଲାଗୁଡ଼ିକ ହେଲା ବରଗଡ଼, ଗଞ୍ଜାମ, କୋରାପୁଟ, ବଲାଙ୍ଗୀର, ନୂଆପଡ଼ା, ସମ୍ବଲପୁର, ସୋନପୁୁର ଓ କଳାହାଣ୍ଡି।

ସମ୍ବନ୍ଧିତ ଖବର