ଓଡ଼ିଶା ଚାଷୀଙ୍କୁ କାଳ ସିଙ୍ଗିଲ୍‌ ନୋଡାଲ ଆକାଉଣ୍ଟ ବ୍ୟବସ୍ଥା: କେବଳ କୃଷି ବିଭାଗ ହରାଇପାରେ ୧୨୦୦ କୋଟି

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ସିଙ୍ଗିଲ୍‌ ନୋଡାଲ ଆକାଉଣ୍ଟ ବ୍ୟବସ୍ଥା ଓଡ଼ିଶାର ଚାଷୀମାନଙ୍କ ପାଇଁ କାଳ ହେବାକୁ ଯାଉଛି। ଏହି ନୂଆ ବ୍ୟବସ୍ଥା ଯୋଗୁଁ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରୀୟ କୃଷି ଯୋଜନାରେ କେନ୍ଦ୍ର ସରକାରଙ୍କଠାରୁ ମିଳିବାକୁ ଥିବା ପାଖାପାଖି ୧୨ଶହ କୋଟି ଟଙ୍କା ପାଇବାରୁ ଓଡ଼ିଶା ବଞ୍ଚିତ ହେବ। ଏବେଠୁ ଏହା ଜଳଜଳ ଦିଶିଲାଣି। କିନ୍ତୁ ଏଥିପ୍ରତି ଓଡ଼ିଶା ସରକାର କିମ୍ବା ବିଭାଗୀୟ ମନ୍ତ୍ରୀ ପାଟି ନ ଖୋଲିବା ଚାଷୀ ଓ ବୁଦ୍ଧିଜୀବୀମହଲରେ ଅସନ୍ତୋଷ ସୃଷ୍ଟି କରିଛି।

ରାଜ୍ୟ କୃଷି ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ୨୦୨୧-୨୨ ମସିହାର କେନ୍ଦ୍ରୀୟ ବଜେଟ୍‌ରେ କୃଷି ସଂକ୍ରାନ୍ତୀୟ ୧୫ଟି ବିଭିନ୍ନ ପ୍ରକାର ଯୋଜନା ବାବଦରେ ଓଡ଼ିଶା ସରକାରଙ୍କୁ ୧୩୪୩ କୋଟି ଟଙ୍କା ପ୍ରଦାନର ବ୍ୟବସ୍ଥା ରହିଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାକୁ ସମୁଦାୟ ବଜେଟ୍‌ର ମାତ୍ର ୯ ପ୍ରତିଶତ ଅର୍ଥାତ୍‌ ୧୨୦.୮୭ କୋଟି ଟଙ୍କା ମିଳିଛି। ବାକି ଟଙ୍କା ଖୁବ୍‌ଶୀଘ୍ର ମିଳିଯିବ ବୋଲି କୁହାଯାଉଛି। ତେବେ ସମସ୍ୟା ହେଲା, କେନ୍ଦ୍ର ସରକାରଙ୍କଠାରୁ ମିଳୁଥିବା ଅନୁଦାନ ମାର୍ଚ ସୁଦ୍ଧା ଖର୍ଚ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥାଏ। ଟଙ୍କା ଖର୍ଚ୍ଚ କରି ନପାରିଲେ, ତାହା ପୁଣି କେନ୍ଦ୍ରକୁ ଫେରିଯିବ। କିନ୍ତୁ ଏ ପର୍ଯ୍ୟନ୍ତ ଏକ ହଜାରରୁ ଊର୍ଧ୍ବ କୋଟି ଟଙ୍କାର ଅନୁଦାନ ଆସିନାହିଁ। ଏବେ ବାକି ଥିବା ସବୁତକ ଅନୁଦାନ ଆସିଲେ ବି ହାତରେ ଆଉ ମାତ୍ର ୨ମାସରୁ କମ୍‌ ସମୟ ଥିବାରୁ ରାଜ୍ୟ କୃଷି ବିଭାଗ ତାହାକୁ କିପରି ଖର୍ଚ୍ଚ କରିବ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନୁଦାନ ନ ମିଳିବା ବିଭାଗୀୟ ଅଧିକାରୀମାନେ ସଫେଇ ଦେଇଛନ୍ତି। ସେମାନଙ୍କର କହିବା କଥା ହେଲା, ୨୦୨୧ ମସିହାରେ ପ୍ରଥମ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀରୁ ଥାଇ କେନ୍ଦ୍ରୀୟ ଅନୁଦାନ ଅର୍ଥର ନିରୀକ୍ଷଣ ପାଇଁ ପ୍ରତ୍ୟେକ ସ୍କିମରେ ସିଙ୍ଗିଲ ନୋଡାଲ ଆକାଉଣ୍ଟ ବ୍ୟବସ୍ଥା ପାଇଁ ନିର୍ଦେଶ ଦିଆଯାଇଛି। ଏଥିରେ କେନ୍ଦ୍ର ସରକାର ଦେଉଥିବା ଟଙ୍କାର ତିନି-ଚତୁର୍ଥାଂଶ ରାଜ୍ୟଗୁଡ଼ିକ ଖର୍ଚ କରି ବିନିଯୋଗପତ୍ର ଦାଖଲ କଲେ ବାକି ଟଙ୍କା ଦେବାର ବ୍ୟବସ୍ଥା କରାଯାଇଛି। ପ୍ରଥମତଃ ଏହି ଆକାଉଣ୍ଟ ରୂପରେଖ ଏବଂ ଏହାର ଖୋଲିବା ପ୍ରକ୍ରିୟା ନେଇ ବହୁ ସମୟ ନଷ୍ଟ ହୋଇଯାଇଥିଲା। ଓଡ଼ିଶା ସରକାର ସମସ୍ତ କେନ୍ଦ୍ରୀୟ ସ୍କିମ ପାଇଁ ସ୍ବତନ୍ତ୍ର ଆକାଉଣ୍ଟ ଖୋଲି ସାରିଛନ୍ତି। ଏହା ସତ୍ତ୍ବେ ଟଙ୍କା ମିଳିନାହିଁ। ଏହି ଅନୁଦାନ ଟଙ୍କା ଯଥାଶୀଘ୍ର ପ୍ରଦାନ ପାଇଁ ପ୍ରତ୍ୟେକ ସ୍କିମ ଅଧିକାରୀମାନେ କେନ୍ଦ୍ର ସରକାରଙ୍କୁ ଜଣାଇ ସାରିଛନ୍ତି। ଏହାପରେ ମଧ୍ୟ କୌଣସି ଲାଭ ହୋଇନାହିଁ ବୋଲି ରାଜ୍ୟ କୃଷି ବିଭାଗର ଜଣେ ଅଧିକାରୀ କହିଛନ୍ତି।

ଏଠାରେ ଉଲ୍ଲେଖଥାଉକି, କିଛି ଦିନ ପୂର୍ବରୁ ରାଜ୍ୟ କୃଷି ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଅନୁଦାନ ନ ମିଳିବା ନେଇ ପୂର୍ବରୁ ଓଡ଼ିଶା ସରକାର କେନ୍ଦ୍ର ପ୍ରତି ଯେଉଁଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରୁଥିଲେ, ବର୍ତ୍ତମାନ ସେଥିରେ ପରିବର୍ତ୍ତନ ହୋଇଛି। ଓଡ଼ିଶାର ବିଭାଗୀୟ ମନ୍ତ୍ରୀ ନିରବ।

ସୂଚନାଯୋଗ୍ୟ, ଜାତୀୟ କୃଷି ବିକାଶ ଯୋଜନା, ଜାତୀୟ ଉଦ୍ୟାନ ମିସନ, କୃଷି ଯାନ୍ତ୍ରୀକରଣ ବ୍ୟବସ୍ଥାର ପ୍ରୋତ୍ସାହନ ପାଇଁ କୃଷି ମେକାନିଜମ, ଜାତୀୟ ଖାଦ୍ୟ ସୁରକ୍ଷା ମିସନ ଏବଂ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ବାବଦରେ ମିଳୁଥିବା ଅର୍ଥର ମାତ୍ର ୮ରୁ ୧୦ ପ୍ରତିଶତ ଟଙ୍କା ହିଁ ଓଡ଼ିଶାକୁ ମିଳିଥିବାରୁ ଏହି ଯୋଜନାଗୁଡ଼ିକ ଚଳିତ ବର୍ଷ ରାଜ୍ୟରେ ବାଧାପ୍ରାପ୍ତ ହୋଇଛି।

ସମ୍ବନ୍ଧିତ ଖବର