ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ୨୦୨ ହେକ୍ଟର ଜମିରେ ପ୍ରତିଷ୍ଠା ହୋଇଛି ସରକାରୀ କୃଷି ଫାର୍ମ। ବହୁ ବର୍ଷ ହେଲା ଏହାର ପୁନରୁଦ୍ଧାର ହୋଇପାରୁ ନଥିବା ବେଳେ ସୁରକ୍ଷା ବ୍ୟବସ୍ଥା କହିଲେ କିଛି ନାହିଁ। ଏପରିକି ପାଚେରି ନଥିବା କାରଣରୁ ଜବରଦଖଲ ବଢ଼ିବାରେ ଲାଗିଛି। ସରକାରୀ ଜମିର ଏମିତି କବ୍ଜା ଚାଲିଥିଲେ ସୁଦ୍ଧା କୃଷି ବିଭାଗ ନାଚାର। ବିହନ ଉତ୍ପାଦନ ଉଦ୍ଦେଶ୍ୟରେ ଏହି ଫାର୍ମ ପ୍ରତିଷ୍ଠା ହୋଇଥିଲା। ବିହନ ପ୍ରକ୍ରିୟାକରଣ ୟୁନିଟ୍ ମଧ୍ୟ ଏହି ଫାର୍ମରେ ରହିଛି। ମୋଟ ଜମିରୁ ୩୪ହେକ୍ଟର ଜମିରେ ବିହନ ପାଇଁ ଧାନ ଚାଷ ହେଉଛି। ୧୫ ହେକ୍ଟରରେ ନାଇଜର, ହରଡ ୨ ହେକ୍ଟର, ମାଣ୍ଡିଆ ୪ ହେକ୍ଟର, ଧନିଚା ୩ ହେକ୍ଟର ଓ ସୋରିଷ ୨ ହେକ୍ଟର ଜମିରେ ଚାଷ ହେଉଛି। ଏହାବ୍ୟତୀତ ଫାର୍ମରେ ୧୧୬୦ କାଜୁ ଗଛ ରହିଥିବା ବେଳେ ୩୭୦ ଆମ୍ବ ଗଛ ମଧ୍ୟ ରହିଛି। ଚାଷ ନିମନ୍ତେ ପର୍ଯ୍ୟାପ୍ତ ପାଣି ଆବଶ୍ୟକ ହେଉଥିବାରୁ ଗୋଟିଏ ଗଭୀର ନଳକୂପ ରହିଛି। ସେହିପରି ଦୁଇଟି ପୋଖରୀ ବି ଖନନ କରାଯାଇଛି। ଏଠାରେ ଥିବା ବିହନ ପ୍ରକ୍ରିୟାକରଣ ୟୁନିଟ୍ରେ ଆଖପାଖ ଅଞ୍ଚଳର ଚାଷୀଙ୍କଠାରୁ ସଂଗୃହୀତ ଧାନକୁ ବିହନ କରାଯାଉଛି। ପ୍ରକ୍ରିୟାକରଣ ପରେ ଏହାକୁ ବିହନ ନିଗମକୁ ପଠାଯାଉଛି।
ଚାଷ ପାଇଁ ଉପଯୋଗୀ ଏହି ଫାର୍ମରେ ଏବେ ଗୋଟିଏ ପରେ ଗୋଟିଏ ବଡ଼ ସମସ୍ୟା ଉଭା ହେବାରେ ଲାଗିଛି। ପ୍ରାୟ ଅଧା ଜମି ଅବ୍ୟବହୃତ ହୋଇ ରହିଛି। ତେଣୁ ଜଙ୍ଗଲିଆ ପରିବେଶ ସୃଷ୍ଟି ହୋଇଛି। ବଡ଼ ଅଞ୍ଚଳ ହୋଇଥିବାରୁ ପାଚେରି ବି ନାହିଁ। ଯାହାର ସୁଯୋଗ ନେଇ ଜବରଦଖଲ ସମୟକ୍ରମେ ବଢ଼ିବାରେ ଲାଗିଛି। ଏହାକୁ ହଟାଇବା ପାଇଁ କୌଣସି ପଦକ୍ଷେପ ନିଆଯାଉନି। ସରକାର ବିଭିନ୍ନ ଯୋଜନାରେ ସାଧାରଣ ଚାଷୀଙ୍କ ଜମି ମରାମତି ପାଇଁ ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଅଥଚ ଏହି ଫାର୍ମର ଚାଷ ଜମି ମରାମତି ପାଇଁ ଅନୁଦାନ ନାହିଁ। ସେହିପରି ବହୁ ବର୍ଷ ତଳେ ଯେଉଁ ଜଳଉତ୍ସ ସୃଷ୍ଟି କରାଯାଇଥିଲା ବର୍ତ୍ତମାନ ସେଥିରୁ ପର୍ଯ୍ୟାପ୍ତ ପାଣି ମିଳୁନାହିଁ। ଯାହାର ସିଧାସଳଖ ପ୍ରଭାବ ଏଠାରେ ହେଉଥିବା ଚାଷ ଉପରେ ପଡ଼ିଛି। ଆଶାନୁଯାୟୀ ଅମଳ ବି ହୋଇପାରୁନି। ଏମିତି ଅବ୍ୟବସ୍ଥା ମଧ୍ୟରେ କୃଷି ଫାର୍ମ ନିମନ୍ତେ ଯାହା ବି ଅନୁଦାନ ମିଳୁଛି ତାହା ସବୁବେଳେ ନିଅଣ୍ଟ ପଡ଼ୁଛି। ଏହି କାରଣରୁ କୃଷି ଫାର୍ମର ବିକାଶ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ଅଭିଯୋଗ ହେଲାଣି।
ଜିଲ୍ଲାର ବରିଷ୍ଠ ଚାଷୀଙ୍କ ମତ ହେଲା, ଏଠାରେ ମକା, ଡାଲି ଜାତୀୟ ଶସ୍ୟ, ପନିପରିବା ବିହନ ଉତ୍ପାଦନ ହେଲେ ବାହାର ଜିଲ୍ଲା ବିହନ ଉପରେ ନିର୍ଭରଶୀଳତା କମିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/gdjgjgjgj-1.jpg)