କୋମାକୁ ଯାଉଛି କୃଷି ବିଭାଗ!

ଭୁବନେଶ୍ୱର : କେମିତି କେହି ଜାଣିପାରିଲେନି, ଆଉ ଚକଡ଼ା ପୋକ ଗିଳିଦେଲା ୧ଲକ୍ଷ ୨୮ ହଜାର ହେକ୍ଟର ଫସଲ? ଚାଷୀର ସୁନାର ଫସଲରେ ନିଆଁ ଲାଗିବା ପଛର ଅସଲ ଖଳନାୟକ କିଏ?

ରାଜ୍ୟରେ ଚକଡ଼ା ଆଦି ପୋକ ଜନିତ ଫସଲହାନି ପ୍ରସଙ୍ଗରେ ଏବେ ଏଭଳି ଅନେକ ପ୍ରଶ୍ନ ଆଜି ବି ଅସମାହିତ ହୋଇରହିଛି। କୌଣସି ଜଣକ ବିରୋଧରେ ବି ଏଯାଏ କାର୍ଯ୍ୟାନୁଷ୍ଠାନ ନିଆଯିବା ତ ଦୂରର କଥା, ସେ ଦିଗରେ ଖୋଳତାଡ଼ କରିବା ଲାଗି ସରକାରଙ୍କ ଠାରେ ଆଗ୍ରହ ପରଲକ୍ଷିତ ହେଉନାହିଁ।

ଓଲଟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୩୭ କୋଟି ଟଙ୍କାର ଇନ୍‌୍‌ପୁଟ୍‌ ସବ୍‌ସିଡି ଘୋଷଣା କରିଦେଇ ଚୁପ୍‌ ବସିଯାଇଛନ୍ତି। ଯେମିତି ତାଙ୍କ ଦାୟିତ୍ଵ ସରିଯାଇଛି। ସେହିଭଳି ଚାଷୀ ସମସ୍ୟା କଥା ଉଠିଲା ମାତ୍ରେ ଖିଙ୍କାରି ଉଠୁଛନ୍ତି କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। କେତେବେଳେ ଗଣମାଧ୍ୟମ ଉପରେ ବର୍ଷୁଛନ୍ତି, କେତେବେଳେ ଚାଷୀ ମନ୍ତ୍ରୀଙ୍କ ବାକ୍ୟବାଣର ଶରବ୍ୟ ହେଉଛନ୍ତି। ବିଭାଗର ତ୍ରୁଟି ଖୋଜିବା ଓ ଚାଷୀକୁ ଆଶ୍ୱାସନା ଦେବା ପରିବର୍ତ୍ତେ ସବୁ ସେ ଜାଣିଛନ୍ତି ବୋଲି କହି ବାରମ୍ବାର ଗଣମାଧ୍ୟମ ସାମ୍ନାରେ ବୟାନବାଜି ଜାରି ରଖିଛନ୍ତି ଓ ଚାଷୀର ସଉତୁଣୀ ଭଳି ବ୍ୟବହାର କରୁଥିବା ଅଭିଯୋଗ ବଢ଼ିବାରେ ଲାଗିଛି।

ହେଲେ ଚକଡ଼ା ପୋକ ଯୋଗୁଁ ଚାଷ କ୍ଷତିଗ୍ରସ୍ତ ଘଟଣାରେ ରାଜ୍ୟ ସରକାରଙ୍କ କୃଷି ବିଭାଗର ମୂଳରୁ ଚୂଳ ଯାଏ ଅବହେଳା ଓ ଅପାରଗତା ଧୀରେ ଧୀରେ ପଦାକୁ ଆସିବାରେ ଲାଗିଲାଣି। କେବଳ ସେତିକି ନୁହେଁ, ଦାୟିତ୍ଵହୀନତା, ବେଫିକର ଏ ବିଭାଗକୁ କୋମାକୁ ନେଇଗଲାଣି ଓ ଚାଷୀ ତା ଭିତରେ ଅଣନିଶ୍ୱାସୀ ହୋଇ ଛଟପଟ ହେଉଛି।

କାହିଁକି ପୋକ ନିୟନ୍ତ୍ରଣ କରିବାରେ ବିଭାଗ ବିଫଳ ହେଲା? କୃଷିି ବିଶେଷଜ୍ଞଙ୍କର କହିବା କଥା ହେଉଛି, ନିୟମାନୁସାରେ, ଚାଷୀର ଭଲ ମନ୍ଦ ଓ ଚାଷ ଜନିତ ସମସ୍ୟା ସମାଧାନ ଲାଗି ରାଜ୍ୟ ସରକାର ପ୍ରତି ପଞ୍ଚାୟତ ଲାଗି ଗ୍ରାମ କୃଷି କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି। କୃଷକ ସାଥୀ ବି ଅଛନ୍ତି। ଏମାନେ ହିଁ ପ୍ରଥମେ ପୋକ ଲାଗିବା ସଂପର୍କରେ ଖବର ପାଇବା କଥା।

କାରଣ ପ୍ରତିଦିନ ଅତିକମ୍‌ରେ ଦୁଇଟି ଗାଁ ଓ ସପ୍ତାହକୁ ୪ ଦିନ ଅର୍ଥାତ୍‌ ୮ଟି ଗାଁରେ ଏମାନେ ବୁଲିବେ ଓ ଚାଷ ସଂପର୍କିତ ଟିକିନିଖି ତଥ୍ୟ ପ୍ରତି ମଙ୍ଗଳବାର ବା ବୁଧବାର ସହକାରୀ କୃଷି ଅଧିକାରୀଙ୍କୁ ଦେବା କଥା। ସହକାରୀ କୃଷି ଅଧିକାରୀ ପୋକ ଲାଗିବା ସଂପର୍କରେ ଅନୁଶୀଳନ କରିବା ପରେ ଇ-ପେଷ୍ଟ ସର୍ଭିଲାନ୍‌ସ ପେଜ୍‌ରେ ତଥ୍ୟ ରଖିବେ ଓ ସମାନ୍ତରାଳ ଭାବେ ପ୍ଲାଣ୍ଟ୍‌ ପ୍ରୋଟେକ୍ସନ ଅଫିସରଙ୍କ ସହିତ ସରଜମିନ ତଦନ୍ତ କରି ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନେବା କଥା। ଏହି କ୍ରମରେ ଜିଲ୍ଲା କୃଷି ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଉପନିର୍ଦେଶକ ଏବଂ ନିର୍ଦେଶକ ଓ ସଚିବ ସାମିଲ ହେବେ ଓ ପ୍ରତି ସପ୍ତାହରେ ରିପୋର୍ଟ ପ୍ରସ୍ତୁତ ହେବାର ବ୍ୟବସ୍ଥା ରହିଛି।

ଏହା ସତ୍ତ୍ୱେ ପୋକ ପ୍ରଭାବିତ ୨୪ଟି ଜିଲ୍ଲାର ଜଣେ ବି ଅଧିକାରୀଙ୍କୁ ସେମାନେ କାହିଁକି ଠିକଣା ଭାବେ ଦାୟିତ୍ଵ ନିର୍ବାହ କରିଲେ ନାହିଁ, ସେକଥା କେହି ପଚାରିନାହାନ୍ତି। ଏଇଥିପାଇଁ ଯେ ଘଟଣାରେ ବିଭାଗର ଶୀର୍ଷସ୍ତର ପର୍ଯ୍ୟନ୍ତ ବିଫଳତା ଓ ଦାୟିତ୍ଵହୀନତାର ଝଲକ ଦେଖିବାକୁ ମିଳୁଛି। ଚାଷୀ ଠିକଣା ଭାବେ କୀଟନାଶକ ବ୍ୟବହାର କରିପାରିଲା ନାହିଁ ବୋଲି ଅଧିକାରୀମାନେ ଦୋଷ ଠେଲୁଛନ୍ତି। ହେଲେ ଚାଷୀ କେମିତି କୀଟନାଶକ ପ୍ରୟୋଗ କରିବ ଓ କେତେ ସାର ବ୍ୟବହାର କରିବ, ତାହା ଜଣାଇବା ରାଜ୍ୟ ସରକାରଙ୍କ ଦାୟିତ୍ଵ ନୁହେଁ କି?

କୃଷି ବିଭାଗର ଜଣେ ଅଧିକାରୀଙ୍କ କହିବା କଥା ହେଉଛି, ପୂର୍ବରୁ ଓଡ଼ିଶା କୃଷି ଶିଳ୍ପ ନିଗମ ଜରିଆରେ କୀଟନାଶକ ବିତରଣ ହେଉଥିଲା। ସେଠାରେ ଯଦିଓ ହେରାଫେରି ଅଭିଯୋଗ ଆସୁଥିଲା, ତଥାପି ଚାଷୀ କେମିତି ଏହାକୁ ପ୍ରୟୋଗ କରିବ, ସେ ପରାମର୍ଶ ମିଳୁଥିଲା। ରାଜ୍ୟ ସରକାର ଚଳିତବର୍ଷ ଡିବିଟି ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ଚାଷୀ ସୁରଭି କେନ୍ଦ୍ର ବା ଘରୋଇ ଡିଲରମାନଙ୍କର ଠାରୁ କୀଟନାଶକ କିଣିବା କଥା। ମାତ୍ର ସରକାରଙ୍କ କାଳକ୍ଷେପଣ ନୀତି କାରଣରୁ ଡିଲର ଓ ହାଟରେ ବିକ୍ରି ହେଉଥିବା କୀଟନାଶକ କିଣିବାକୁ ଚାଷୀ ବାଧ୍ୟ ହୋଇଛି। ଏପରିସ୍ଥଳେ ତାକୁ ସେଠାରେ ପରାମର୍ଶ କିଏ ଦେଇଥାନ୍ତା?

ଚାଷୀମାନଙ୍କର କହିବା କଥା ହେଉଛି, କୀଟନାଶକ କିଭଳି ପ୍ରୟୋଗ ହେବ, ସେକଥା ଗ୍ରାମ କୃଷି ଅଧିକାରୀ କାହାକୁ କହିଛନ୍ତି କି? ସେମାନଙ୍କ ପାଦ ଗାଁ ଦାଣ୍ଡରେ ପଡୁନି। ଏଣୁ କୀଟନାଶକ ଡିଲର ବା ହାଟ ବିକ୍ରେତା ଯେମିତି କହିଲା, ସେମିତି ପକାଗଲା। ଫି ବର୍ଷ ପୁଣି କୀଟନାଶକର ବ୍ରାଣ୍ଡ ବଦଳୁଛି ଓ ନୂଆ ତରିକାରେ ଆସୁଛି। ଏଭଳିସ୍ଥଳେ ଆମର ଦୋଷ କଣ?

ବିଶେଷଜ୍ଞଙ୍କର ମତ ହେଉଛି, ତୃଣମୂଳସ୍ତରଟି ଯେମିତି ଢିଲା, ଉପରସ୍ତର ଯାଏ ତାହା ଲମ୍ବିଛିା ସିଂହଭାଗ ଗ୍ରାମ କୃଷି ଅଧିକାରୀ ପଦବି ଖାଲି ପଡିଛି ଓ ଜଣେ ଜଣେ ଏକାଧିକ ପଞ୍ଚାୟତ ଦାୟିତ୍ଵରେ ଅଛନ୍ତି। ଏଣୁ ଗୋଟିଏ ଗାଁର ଲୋକେ ଖୋଜିବା ବେଳକୁ ସେ ଅନ୍ୟ ଗାଁରେ ଥିଲେ ବୋଲି ବାହାନା କରୁଛନ୍ତି। ଏହାବ୍ୟତୀତ ଜିଲ୍ଲାରେ ଏସବୁ କାମର ତଦାରଖ ଲାଗି ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ଯାଉଛି। ଏ ଟଙ୍କା କାହା କାମରେ ଲାଗୁଛି ଓ କେଉଁଠି ଖର୍ଚ୍ଚ ହେଉଛି, ତାହା ଅନୁସନ୍ଧାନ ସାପେକ୍ଷ। ଏତେ ସବୁ ବ୍ୟବସ୍ଥା ଥିବା ବେଳେ କେହି କେମିତି ଚକଡ଼ା ପୋକର ଉପସ୍ଥିତି ଜାଣିପାରିଲେନି, ଆଉ ଏବେ ଚାଷୀ ହନ୍ତସନ୍ତ ହେଲା, ସରକାରୀ ତହବିଲରୁ ୧୩୭ କୋଟି ଟଙ୍କା ଗଲା, ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକତା ରହିଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟର ୨୪ଟି ଜିଲ୍ଲାରେ ଚାଷୀର ସୁନାର ଫସଲକୁ ଉଜାଡିଦେଇଛନ୍ତି ଚକଡ଼ା ପୋକ। ଯଦିଓ ବାସ୍ତବ କ୍ଷତି ପରିମାଣ ଅଧିକ, ସରକାରଙ୍କ ତଥ୍ୟ କହୁଛି, ୧୫୦ ବ୍ଲକ ଓ ୩୫ଟି ପୌରାଞ୍ଚଳର ୧ଲକ୍ଷ ୨୮ ହଜାର ୩୧୮ ହେକ୍ଟର ପରିମିତ ଅଞ୍ଚଳର ଚାଷ ୩୩ ପ୍ରତିଶତରୁ ଅଧିକ ନଷ୍ଟ ହୋଇଯାଇଛି। ରାଜ୍ୟ ସରକାର ୧୩୭ କୋଟି ୫୧ଲକ୍ଷ ଟଙ୍କାର ଇନ୍‌ପୁଟ୍‌ ସବ୍‌ସିଡି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି, ଯାହା ଚାଷୀର ଖର୍ଚ୍ଚ ତୁଳନାରେ ସମୁଦ୍ରକୁ ଶଙ୍ଖେ ଭଳି। ଏପରିସ୍ଥଳେ ଚାଷୀର ମାନିସିକ ସ୍ଥିତି ଦୋହଲିଯିବନି?

ସମ୍ବନ୍ଧିତ ଖବର