କୃଷି ବିଭାଗ ଅଧିକାରୀ କ୍ଷେତ୍ର ଯାଉ ନାହାନ୍ତି: ସୂର୍ଯ୍ୟ

ଦାମ କହିଲେ, ମୁହଁ ଖୋଲିଲେ ସରକାରଙ୍କୁ କ୍ଷତି

ଭୁବନେଶ୍ୱର : ଆସନ୍ତା ୨୫ ତାରିଖ ସୁଦ୍ଧା ଫସଲର ବର୍ଷା ଜନିତ କ୍ଷୟକ୍ଷତି ସମ୍ପର୍କରେ ସରକାର ରିପୋର୍ଟ ମାଗିଛନ୍ତି। କୃଷି ଓ ରାଜସ୍ୱ ବିଭାଗର କର୍ମଚାରୀମାନେ ମିଳିତ ଭାବେ ଯାଞ୍ଚ କରି ରିପୋର୍ଟ ଦେବା ପାଇଁ କୁହାଯାଉଛି। କିନ୍ତୁ ଏହି ରିପୋର୍ଟ ଠିକ୍‌ ସମୟରେ ମିଳିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ଏ ନେଇ କ୍ଷେତ୍ର ଅଧିକାରୀମାନଙ୍କୁ ତାଗିଦ୍‌ କରିବାକୁ କୃଷି ବିଭାଗକୁ କହିଛନ୍ତି ଶ୍ରୀ ପାତ୍ର।

ଆଜି ସଚିବାଳୟରେ ଗଣମାଧ୍ୟମକୁ ଶ୍ରୀ ପାତ୍ର କହିଥିଲେ, ଫସଲ କ୍ଷତି ଆକଳନ କରିବାକୁ କୃଷି ବିଭାଗର ଅଧିକାରୀମାନେ ଆସୁ ନାହାନ୍ତି ବୋଲି କିଛି ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଏ ନେଇ ତାଗିଦ୍‌ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ କୁହାଯାଇଛି।

ସୂର୍ଯ୍ୟଙ୍କ ଏହି ମନ୍ତବ୍ୟ ଉପରେ କୃଷି ମନ୍ତ୍ରୀ ଦାମୋଦର ରାଉତଙ୍କ ପ୍ରତିକ୍ରିୟା ମଗାଯିବାରୁ ସେ କହିଲେ, ସୂର୍ଯ୍ୟ ବାବୁ ରାଜସ୍ୱ ମନ୍ତ୍ରୀ ଥିଲେ। ତେଣୁ ଫସଲ କ୍ଷତି ରାଜସ୍ୱ ବିଭାଗ ଆକଳନ କରେ ବୋଲି ସେ ଜାଣନ୍ତି। ତହସିଲ୍‌ଦାର୍‌ ଓ ଆର୍‌ଆଇଙ୍କୁ ଏହି କାମରେ କୃଷି ବିଭାଗର ଅଧିକାରୀମାନେ ସହଯୋଗ କରନ୍ତି। କୃଷି ବିଭାଗ ଅଧିକାରୀ ନିଜେ ଫସଲ କ୍ଷତି ଆକଳନ କରନ୍ତି ନାହିଁ। କୃଷି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଏହି କାମରେ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦିଆାଇଛି।

ତେବେ ସମବାୟ ମନ୍ତ୍ରୀ କାହିଁକି ଆରୋପ ଲଗାଇଲେ ବୋଲି ପ୍ରଶ୍ନ ହେବାରୁ ଶ୍ରୀ ରାଉତ କହିଥିଲେ, ତାଙ୍କ ମନ୍ତବ୍ୟ ଉପରେ ମୁଁ କୌଣସି ମତ ଦେବାକୁ ଚାହୁଁନାହାନ୍ତି। ମୁଁ କିଛି ମତ ଦେଲେ ତାହା ଗଣମାଧ୍ୟମକୁ ଲାଭ ହୋଇପାରେ। କିନ୍ତୁ ସରକାରଙ୍କୁ କ୍ଷତି ହେବ।

ସମ୍ବନ୍ଧିତ ଖବର