ଭିତ୍ତିଭୂମି ଅଛି, ଅଶାନୁରୂପ ଉତ୍ପାଦନ ହେଉନି

‘ଓଡ଼ିଶାରେ କୃଷିର ଉନ୍ନତି ପାଇଁ ଦିଗ ନିର୍ଦ୍ଧାରଣ’ ଆଲୋଚନାଚକ୍ର

ଓଡ଼ିଶାକୁ ଆଇସିଏଆର ଦେବ କୃଷି ଖସଡ଼ା

ଭୁବନେଶ୍ୱର : ଚକଡ଼ା ପୋକକୁ ନେଇ ଚାଲିଛି ରାଜନୀତି। କେନ୍ଦ୍ର ଓ ରାଜ୍ୟ ପରସ୍ପରକୁ ଦୋଷାରୋପ କରୁଛନ୍ତି। ଏଭଳି ସମୟରେ କେନ୍ଦ୍ର କୃଷି ସଚିବ ଏବଂ ଆଇସିଏଆର ମହାନିର୍ଦେଶକ ଆଜି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। କୃଷିର ବିକାଶ ଲାଗି ଓଡ଼ିଶାରେ ବ୍ୟାପକ ଭିତ୍ତିଭୂମି ରହିଥିଲେ ମଧ୍ୟ ତାହାର ଉପଯୋଗ କରାଯାଉ ନାହିଁ। ଗବେଷଣା ଲବ୍ଧ ଜ୍ଞାନକୌଶଳ ଚାଷୀଙ୍କ ପାଖରେ ପହଞ୍ଚିପାରୁନି ବୋଲି ସେମାନେ ମତ ବ୍ୟକ୍ତି କରିଛନ୍ତି।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ପରିସରରେ ଆଜି ଅନୁଷ୍ଠିତ ‘ଓଡ଼ିଶାରେ କୃଷିର ଉନ୍ନତି ପାଇଁ ଦିଗ ନିର୍ଦ୍ଧାରଣ’ ସମ୍ପର୍କିତ ଆଲୋଚନାଚକ୍ରରେ ଯୋଗଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟର ସଚିବ ଶୋଭନ୍‌ କୁମାର ପଟ୍ଟନାୟକ କହିଲେ, ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାରେ ବ୍ୟାପକ ଭିତ୍ତିଭୂମି ରହିଛି। ତଥାପି ଜାତୀୟ ହାରଠାରୁ କମ୍‌ ଉତ୍ପାଦିତ ହେଉଛି। ପ୍ରତିବର୍ଷ ୧୪୦୦ ମିଲିମିଟରରୁ ଅଧିକ ବୃଷ୍ଟିପାତ ହେଉଛି। ତାହାର ଉପଯୁକ୍ତ ବିନିଯୋଗ କରାଯାଇ ପାରୁନି। ଚାଷୀମାନେ କେବଳ ଧାନ ଚାଷରେ ସୀମିତ ରହୁଛନ୍ତି। ପନିପରିବା, ମତ୍ସ୍ୟ, ଫୁଲ ଚାଷକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ହେବ। ରାଜ୍ୟ ସରକାର ଏ କ୍ଷେତ୍ରରେ ଆଗେଇ ଆସିବା ଦରକାର। ଗବେଷଣା କାର୍ଯ୍ୟକୁ ବ୍ୟାପକ କରିବା ସହ ବଜାର ସୁବିଧା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର) ମହାନିର୍ଦ୍ଦେଶକ ତ୍ରିଲୋଚନ ମହାପାତ୍ର କହିଲେ ୫ ବର୍ଷରେ ଦେଶର ଖାଦ୍ୟଶସ୍ୟ ଉତ୍ପାଦନ ଦୁଇଗୁଣ କରିବା ନେଇ ବିଭିନ୍ନ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ଖସଡ଼ା ପ୍ରସ୍ତୁତ ହୋଇଛି। ତାହାକୁ ଖୁବ୍‌ଶୀଘ୍ର ରାଜ୍ୟଗୁଡ଼ିକୁ ଦିଆଯିବ। କ’ଣ ପାଇଁ ଓଡ଼ିଶା ପଛରେ ରହିଛି ସେନେଇ କେହି ବି ଦୃଷ୍ଟି ଦେଉ ନାହାନ୍ତି। ବରଂ ୧.୨ ଲକ୍ଷ ହେକ୍ଟର ଜମିରେ ଚକଡ଼ା ପୋକ ଲାଗିବା ପରେ ତାହାର ମୁକାବିଲା ପରିବର୍ତେ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ଚାଲୁଛି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ବି. ରାଜେନ୍ଦର କହିଲେ, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, କୁକୁଡ଼ା ଚାଷ, ପଶୁପାଳନକୁ ଗୁରୁତ୍ୱ ଦେବାକୁ ପଡ଼ିବ।

ରାଜ୍ୟ ସରକାରଙ୍କର କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସଚିବ ସୌରଭ ଗର୍ଗ ସ୍ୱାଗତ ଭାଷଣ ଦେଇ ଗତ ଏକ ଦଶନ୍ଧି ମଧ୍ୟରେ କୃଷି ଉତ୍ପାଦନ, ଉନ୍ନତ ବିହନ ବ୍ୟବହାର, ଜଳସେଚନ ସୁବିଧା ତଥା କୃଷି ଋଣ ଦେବାରେ ଓଡ଼ିଶା ଅଗ୍ରଗତି କରିଛି ବୋଲି କହିଥିଲେ। କୃଷି ଉତ୍ପାଦନ କମିସନର ଗଗନ କୁମାର ଧଳ ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରିଥିବା ବେଳେ କୃଷି ମହାବିଦ୍ୟାଳୟ ଅଧ୍ୟକ୍ଷ ଲଳିତ ମୋହନ ଗଡ଼ନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର