ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ହାବସପୁର ଗ୍ରାମର ମାଣିକ୍ୟ ବାଗ ହାବସପୁରରୁ ଜୁନାଗଡ଼କୁ ବାଇକ୍ରେ ଆସୁଥିବାବେଳେ ଏକ ଅଜଣା ବଲେରୋ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରକାଶ ଯେ, ନବରଙ୍ଗପୁର ଜିଲ୍ଲା କୁସୁମଖୁଣ୍ଟି ବ୍ଲକର ଗ୍ରାମୀୟ କୃଷି କର୍ମଚାରୀ ଭାବରେ ମାଣିକ୍ୟ ବାଗ (୨୯) କାର୍ଯ୍ୟ କରୁଥିଲେ। ଆସନ୍ତା ୨୬ ତାରିଖ ତାଙ୍କ ବିବାହ କାର୍ଯ୍ୟକ୍ରମ ଥିଲା। ଏଥି ନିମନ୍ତେ ନିଜ ସମ୍ପର୍କୀୟଙ୍କୁ ଆଣିବା ପାଇଁ ହାବସପୁରରୁ ଜୁନାଗଡ଼ ଅଭିମୁଖେ ଗତକାଲି ବାଇକ୍ରେ ଆସୁଥିଲେ। ବାଟରେ ଏକ ଅଜଣା ବଲେରୋ ଧକ୍କା ଦେଇଥିଲା।
ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜୁନାଗଡ଼ ଓ ପରେ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ବିଶାଖାପାଟଣା ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଗୁରବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଆସନ୍ତା ୨୬ ତାରିଖ ବିବାହ କାର୍ଯ୍ୟକ୍ରମ ଥିବାବେଳେ ମାଲକାନଗିରିରେ କନ୍ୟା ଠିକ୍ ହୋଇଥିଲା। ମାଣିକ୍ୟ ବାଗଙ୍କ ଦେହାନ୍ତ ପରେ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି। ସେ ପୂର୍ବରୁ ଭବାନୀପାଟଣା ଏବିସିଏସ ସ୍କୁଲରେ ୪ବର୍ଷ ଧରି ଶିକ୍ଷକତା କରୁଥିଲେ। ତାଙ୍କ ବିୟୋଗରେ ସ୍କୁଲରେ ମଧ୍ୟ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।