ଫାଇଲିନକୁ ୬ ବର୍ଷ : ଆଜି ବି ଶତାଧିକ ଏକର ଜମି ବାଲିଚର, ଧାନ କ୍ଷେତ ବଦଳରେ ଲହରି ଖେଳୁଛି କାଶତଣ୍ତି

ବାଲିକୁ ପ୍ରଶାସନ କାଢ଼ୁଛି ନା ଲୋକଙ୍କୁ ସୁଯୋଗ ଦେଉଛି, ଦାଦନ ଖଟିବାକୁ ଚାଲିଗଲେ ବହୁ ଭାଗଚାଷୀ

ଭଞ୍ଜନଗର : ଯେଉଁଠି ଦିନେ ସୁନା ଫଳୁଥିଲା ତାହା ଆଜି ବାଲିଚର ପାଲଟିଛି। ଧାନ କ୍ଷେତ ବଦଳରେ କାଶତଣ୍ତି ଲହରି ଖେଳୁଛି। କେବଳ ରାସ୍ତାଟିକୁ ଛାଡ଼ିଦେଲେ ଉଭୟ ପାର୍ଶ୍ବରେ ପାଞ୍ଚ ଛଅ ଫୁଟ ଉଚ୍ଚର କାଶତଣ୍ଡି ଗଛ ଦେଖିବାକୁ ମିଳୁଛି। ଶହ ଶହ ଚାଷୀଙ୍କ ଜୀବନଜୀବିକା ଉଜୁଡ଼ି ଯାଇଥିବାବେଳେ ଆଜି ବି ସେମାନେ ଅଣ୍ଟା ସଳଖି ଛିଡ଼ା ହୋଇପାରିନାହାନ୍ତି। ଇଏ ହେଉଛି, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଇଙ୍ଗିନାଠୀ ପଞ୍ଚାୟତ ରତଙ୍ଗ, ମନ୍ଦାର, ଉସ୍ତପଲ୍ଲୀ ଓ ସାରିଆପଲ୍ଲୀ ଗ୍ରାମର ବାସ୍ତବ ଚିତ୍ର।

ଆଜି ବି ଫାଇଲିନ୍‌ର ବିଭୀଷିକାକୁ ଏହି ୪ ଗ୍ରାମର ଚାଷୀ ଭୁଲାଇ ପାରିନାହାନ୍ତି। କାରଣ ଫାଇଲିନ୍‌ ପରେ ବଡ଼ନଦୀ ଓ ଲୋହାରାଖଣ୍ତିର ନଦୀ ଏମାନଙ୍କ ପାଇଁ ବିପଦ ଆଣି ଦେଇଥିଲା। ଫାଇଲିନ୍ ସମୟରେ ବଡ଼ନଦୀ ଓ ଲୋହରାଖଣ୍ଡି ନଦୀରେ ପାଣି ମାଡ଼ି ଆସି ଏହି ୪ଗାଁ ପ୍ରତି ବିପଦ ସୃଷ୍ଟି କରିଥିଲା। ବଡ଼ନଦୀ ଫୁଲିଯିବା ସହ ରତଙ୍ଗ ଗାଁ ନିକଟରେ ବିରାଟ ଘାଇ ସୃଷ୍ଟି ହେଲା। ପାଣିର ପ୍ରଖର ସ୍ରୋତ ଚାଷ ଜମି ଆଡ଼କୁ ମାଡ଼ିଯାଇ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ସେହି ସମୟରେ ପ୍ରଶାସନ ପକ୍ଷରୁ କିଛିଟା ସହାୟତା ମିଳିଲା । କିନ୍ତୁ ଚାଷ ଜମିରୁ ବାଲି ହଟାଇବାକୁ ଗୁରୁତ୍ବ ଦିଆଗଲାନି। କ୍ଷୋଭର ବିଷୟ ହେଉଛି, ଆଜି ପର୍ଯ୍ୟନ୍ତ ଜମିରୁ ବାଲି ବାହାରି ପାରି ନଥିବାରୁ ଚାଷ କାର୍ଯ୍ୟ ହୋଇପାରୁନି। ଫଳରେ ବହୁ ଚାଷୀ ଓ ଭାଗଚାଷୀ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ପଳାଉଛନ୍ତି।

ଦେଖୁ ଦେଖୁ ଫାଇଲିନକୁ ୬ ବର୍ଷ ବିତିସାରିଥିଲେ ମଧ୍ୟ ଆଜି ବି ଏକର ଏକର ଚାଷ ଜମିରେ ସମାନ ସ୍ଥିତି ଦେଖିବାକୁ ମିଳୁଛି। ବାଲିଚର ଜମିରେ ଫସଲ ଉତ୍ପାଦନ କରିବା ସମ୍ଭବପର ହୋଇପାରୁ ନାହିଁ। ଜମିରୁ ବାଲି ହଟାଇବା ପାଇଁ ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଉ ନଥିବା ବେଳେ ନିଜ ଜମିରୁ ଲୋକ‌େ ବାଲି ହଟାଇଲେ ବିରୋଧ କରାଯାଉଛି। ଯାହାଫଳରେ ଆଗ ଭଳି ଚାଷୀ ଆଉ ଧାନ, ମୁଗ, ବିରି ଓ ପନିପରିବା ଆଦି ଚାଷ କରିପାରୁନାହାନ୍ତି। ଜୀବିକା ହାରି ଭାଗଚାଷୀ ମାନେ ଚେନ୍ନାଇ ଓ ସୁରତ ଦାଦନ ଖଟିବାକୁ ପଳାଉଛନ୍ତି। ଆଉ ଦାଦନ ଖଟିବାକୁ ଯାଇ ପାରୁନଥିବା କିଛି ଚାଷୀ ଭଞ୍ଜନଗର ସହରକୁ ଆସି ମୂଲ ଲାଗି ଯାହା କିଛି ରୋଜଗାର କରୁଛନ୍ତି। ବିଡ଼ମ୍ବନା ହେଲା, ଯେଉଁ ଚାଷୀ ନିଜ ଜମିରୁ ଅମଳ ଫସଲ ବିକ୍ରି କରି ଲାଭବାନ ହେଉଥିଲେ, ସେମାନେ ଆଜି ଅନ୍ୟମାନଙ୍କ ନିକଟରେ ମୂଲ ଲାଗିବାକୁ ବାଧ୍ୟ ହେଉଛନ୍ତି।

ସମ୍ବନ୍ଧିତ ଖବର