ଚାଷୀଙ୍କ ପେଟକୁ ଦାଉ ସାଜିଲା ଲଗାଣ ବର୍ଷା : ବୁଡ଼େଇଲା ୮ହଜାରରୁ ଊର୍ଧ୍ବ ହେକ୍ଟର କ୍ଷେତ

୮ ବ୍ଲକର ୩୦୬ ଗାଁ ପ୍ରଭାବିତ, ବଡ଼ସାହିରେ ସର୍ବାଧିକ ୪ହଜାର୯ଶହ ୯୦ ହେକ୍ଟର କ୍ଷତି

ବାରିପଦା : ପ୍ରଥମେ ବର୍ଷା ଅଭାବରୁ ମରୁଡ଼ି। ଆଉ ଏବେ ପ୍ରବଳରୁ ଅତି ପ୍ରବଳ ବର୍ଷା ମୟୂରଭଞ୍ଜରେ ଚାଷୀଙ୍କ ପେଟକୁ ଦାଉ ସାଜିଛି। ଗୋଟିଏ ମାସରେ ଏକାଧିକ ଲଘୁଚାପ କାରଣରୁ ଜିଲ୍ଲାରେ ହୋଇଥିବା ଲଗାଣ ବର୍ଷା ଶସ୍ୟ ଓ ଅଣଶସ୍ୟ ଚାଷ ଜମିକୁ ମିଶାଇ ୮ହଜାର ୧ଶହ ୨ ହେକ୍ଟର କ୍ଷେତ ବୁଡ଼ାଇଥିବା ଜିଲ୍ଲା କୃଷି ବିଭାଗ ପକ୍ଷରୁ ଆକଳନ କରାଯାଇ ରିପୋର୍ଟ ପ୍ରଦାନ କରାଯାଇଛି। ଜିଲ୍ଲାର ଶ୍ୟାମାଖୁଣ୍ଟା, ବେତନଟୀ, ବଡ଼ସାହି, ରାସଗୋବିନ୍ଦପୁର, କରଞ୍ଜିଆ, ଶୁକୃଳି, ରରୁଁଆ ଏବଂ ବହଳଦା ଭଳି ୮ ବ୍ଲକ୍ ଅନ୍ତର୍ଗତ ୬୨ ପଞ୍ଚାୟତର ୩୦୬ଟି ଗାଁ ଏହି ଲଗାଣା ବର୍ଷା କାରଣରୁ ପ୍ରଭାବିତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

ମୋଟ କ୍ଷତିଗ୍ରସ୍ତ ହୋଇଥିବା ଚାଷଜମି ମଧ୍ୟରୁ ୭ହଜାର ୩୦ହେକ୍ଟର ଧାନ କ୍ଷେତ ଥିବାବେଳେ ପନିପରିବା, ମକା, ତୈଳବୀଜ ଜାତୀୟ ଅଣଶସ୍ୟ କ୍ଷେତର ପରିମାଣ ୧ହଜାର ୬୩ହେକ୍ଟର ପ୍ରଭାବିତ ହୋଇଥିବା ଜିଲ୍ଲା କୃଷି ବିଭାଗ ପକ୍ଷରୁ ଆକଳନ କରାଯାଇ ରିପୋର୍ଟ ପ୍ରଦାନ କରାଯାଇଛି। ବଡ଼ସାହି ବ୍ଲକରେ ସର୍ବାଧିକ ୧୪ ପଞ୍ଚାୟତ ଅନ୍ତର୍ଗତ ୧୧୨ଗାଁର ମୋଟ ୪ହଜାର ୯ଶହ ୯୦ ହେକ୍ଟର କ୍ଷେତ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଶ୍ୟାମାଖୁଣ୍ଟା ବ୍ଲକର ୪ ପଞ୍ଚାୟତ ଅନ୍ତର୍ଗତ ୧୪ଗାଁର ୧୭୫ହେକ୍ଟର, ବେତନଟୀ ବ୍ଲକର ୧୬ ପଞ୍ଚାୟତର ୮୮ ଗାଁରୁ ୧୭ଶହ, ରାସଗୋବିନ୍ଦପୁରର ୭ ପଞ୍ଚାୟତରୁ ୪୮ ଗାଁରୁ ୧ହଜାର ୫୦ ହେକ୍ଟର, କରଞ୍ଜିଆରୁ ୫ ପଞ୍ଚାୟତର ୧୨ ଗ୍ରାମରୁ ୮୪, ଶୁକୃଳିର ୫ ପଞ୍ଚାୟତର ୧୨ ଗାଁରୁ ୪୩, ରରୁଁଆର ୬ ପଞ୍ଚାୟତର ୧୨ ଗାଁରୁ ୨୮ ଏବଂ ବହଳଦାର ୫ ପଞ୍ଚାୟତର ୮ ଗାଁରୁ ୩୨ ହେକ୍ଟର ଚାଷ ଜମି ଆଜିସୁଦ୍ଧା ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଚଳିତ ଖରିଫ ଋତୁରେ ଜିଲ୍ଲାରେ ୨ଲକ୍ଷ ୯୨ହଜାର ୩୬୭ ହେକ୍ଟର ଶସ୍ୟ ଉତ୍ପାଦନ ନିମନ୍ତେ ଫସଲ ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ଆଜି ସୁଦ୍ଧା ୨ଲକ୍ଷ ୯୧ହଜାର ୪୯୦ ହେକ୍ଟର ଲକ୍ଷ୍ୟ ପୂରଣ କରାଯାଇଛି।

ସେହିପରି ୧ଲକ୍ଷ ୪୪ହଜାର ୬୩୩ ହେକ୍ଟର ଅଣଶସ୍ୟଜାତୀୟ ଫସଲ ଉତ୍ପାଦନ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଆଜିସୁଦ୍ଧା ୧ଲକ୍ଷ ୨୧ହଜାର ୩୫୮ହେକ୍ଟର ପୂରଣ ହୋଇଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦାମୋଦର ସେଠୀ ସୂଚନା ଦେଇଛନ୍ତି। ଲଗାଣ ବର୍ଷା କାରଣରୁ କ୍ଷତିଗ୍ରସ୍ତ ହୋଇଥିବା ବ୍ଲକର ଶସ୍ୟକ୍ଷେତ୍ର ସମ୍ପର୍କରେ ସଂପୃକ୍ତ ବ୍ଲକ୍‌ରୁ ରିପୋର୍ଟ ଆସିବା ପରେ କ୍ଷତିପୂରଣ ନିମନ୍ତେ ସରକାରଙ୍କୁ ଏହା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ବିନୀତ ଭରଦ୍ବାଜ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର