ଭୁବନେଶ୍ବର : ଆସନ୍ତାକାଲି ଗୋଟିଏ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ୩ଟି କ୍ୟାବିନେଟ୍ ବୈଠକ। ଭିଡିଓ କନଫରେନ୍ସିଂ ଜରିଆରେ ସନ୍ଧ୍ୟା ୫ଟା ୪୫ ମିନିଟ୍ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୋଟିଏ ପ୍ରସ୍ତାବ ଆସିବ ବୋଲି ଜଣାପଡ଼ିଛି। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୋଟିଏ ଅଧ୍ୟାଦେଶ ଜାରି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହା ପରେ ପରେ କୃଷି ଓ ଐତିହ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। କୋଭିଡ୍ ମହାମାରୀ ବିରୋଧରେ ରାଜ୍ୟ ସରକାର ସଂଗ୍ରାମ ଜାରି ରଖିଥିବାବେଳେ କୃଷି କ୍ଷେତ୍ରକୁ ଅଗ୍ରାଧିକାର ଦେଇ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଷଷ୍ଠ କୃଷି କ୍ୟାବିନେଟ୍ରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ଦୀର୍ଘଦିନ ଧରି କୃଷି କ୍ୟାବିନେଟ୍ ବୈଠକ ହେଉନଥିବା ନେଇ ସମ୍ବାଦରେ ଖବର ପ୍ରକାଶ ପାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ପାଳିର ଏହା ହେବ ପ୍ରଥମ କୃଷି କ୍ୟାବିନେଟ୍। ଏହି କ୍ୟାବିନେଟ୍ କମିଟିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥିବାବେଳେ କୃଷି ମନ୍ତ୍ରୀ, ସମବାୟ ମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ଅର୍ଥ ମନ୍ତ୍ରୀଙ୍କ ସମେତ ୧୧ ଜଣ ମନ୍ତ୍ରୀ ସଦସ୍ୟ ଅଛନ୍ତି। ମୁଖ୍ୟ ଶାସନ ସଚିବ ଏହି କମିଟିର ସଚିବ ରହିଥିବାବେଳେ କୃଷି ବିଭାଗ ସଚିବ ଏହାର ଆବାହକ ରହିଛନ୍ତି।
ସେହିପରି ୨୦୧୭ ଡିସେମ୍ବର ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସରେ ପୁରୀଠାରେ ପ୍ରଥମ କରି ଐତିହ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତାକାଲି ଏହି କମିଟି ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ନେଇ ଆଶା କରାଯାଉଛି।