ଭୁବନେଶ୍ବର : ଜୁଲାଇ ୧୫ ତାରିଖ ସୁଦ୍ଧା ବଡ଼ ବର୍ଷାର ଦରକାର ଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ମାତ୍ର ୮୨.୪ ମିଲିମିଟର ବର୍ଷା ହୋଇଛି। ୬୧ ଲକ୍ଷ ହେକ୍ଟର ଚାଷ ଜମିରୁ ମାତ୍ର ୬ ଲକ୍ଷ ୩୨ ହଜାର ଜମିରେ ଚାଷ କାର୍ଯ୍ୟ ଆରମ୍ଭ କରାଯାଇଛି। ଯେଉଁ ସ୍ଥାନରେ ଚାଷ ହୋଇପାରି ନାହିଁ ସେଠାରେ ଏଣିକି ଆଉ ୧୫୦ ଦିନିଆ ଦୀର୍ଘ ଅବଧି ବିହନ କାମ କରିବ ନାହିଁ ବୋଲି ଆଶଙ୍କା କରିଛନ୍ତି ଓୟୁଏଟିର କୃଷି ବିଶେଷଜ୍ଞ ପ୍ରଫେସର ଏସଆର ଦାସ। ଏଭଳି ସ୍ଥିତିରେ ଉତ୍ପାଦନ ଭୟଙ୍କର ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ରହିଛି।
ସୂଚନା ଅନୁଯାୟୀ, ଚାଷ ପାଇଁ ୬୦ ଦିନିଆ ବା ଅତି ସଅଳ କିସମ, ୭୭ରୁ ୯୦ କିମ୍ବା ୧୦୦ ଦିନର ସଅଳ କିସମ, ୧୨୦ରୁ ୧୪୦ ଦିନର ମଧ୍ୟମ କିସମ, ୧୫୦ରୁ ଅଧିକ ଦୀର୍ଘ ଅବଧି ବିହନ ରହିଛି। ୧୪୦ରୁ ୧୫୦ ଦିନିଆ ଦୀର୍ଘ ଅବଧି ବିହନରେ ଅଧିକ ଉତ୍ପାଦନ ଦେଉଥିବାରୁ ବିହନ ନିଗମ ପକ୍ଷରୁ ଏହି ବିହନ ବିତରଣ କରାଯାଏ ଏବଂ ଅଧିକାଂଶ ସ୍ଥାନରେ ୧୫୦ ଦିନିଆ ବିହନ ଚାଷ କରାଯାଏ। ପ୍ରଫେସର ଦାସଙ୍କ ଅନୁସାରେ, ବର୍ତ୍ତମାନ ଯେଉଁଭଳି ଅବସ୍ଥା ହେଲାଣି ବିହନର ଭୂମିକା ସମ୍ପୂର୍ଣ୍ଣ ଗୌଣ ହୋଇ ସାରିଛି। ବର୍ଷା ହେଲେ ହାତରେ ଯେଉଁ ବିହନ ଥିବ ଚାଷୀ ଚାଷ କରି ନେବା ଉଚିତ। କାରଣ ଯାହା ହେଲେବି ଅକ୍ଟୋବର ୧୫ ସୁଦ୍ଧା ଧାନ ଉତ୍ପାଦିତ ହୋଇଯିବା କଥା। ବର୍ତ୍ତମାନ ଯଦି ଚାଷୀ ୧୫୦ ଦିନିଆ ବିହନ କରନ୍ତି ତେବେ ଶୀତରେ ଫଳ ଧରିବ ନାହିଁ କିମ୍ବା ଫସଲ ଅଭିବୃଦ୍ଧି ହୋଇ ପାରିବ ନାହିଁ। ଉତ୍ପାଦନ ବାଧାପ୍ରାପ୍ତ ହେବ। ବର୍ଷା ଆରମ୍ଭ ହୋଇଗଲେ ୧୩୫ରୁ ୧୪୦ ଦିନିଆ ମଧ୍ୟମ କିସମ କିମ୍ବା ସଅଳ କିସମ ବିହନରେ ଚାଷ କରିବାକୁ ପରାମର୍ଶ ଦିଆଯାଇଛି। ୧୫ ତାରିଖ ପରେ ମଧ୍ୟ ବର୍ଷା ନହେଲେ ସ୍ଥିତି ଆହୁରି ସାଂଘାତିକ ହେବ। ଧାନ ଚାଷରେ ଆଗୁଆ ଜିଲ୍ଲା କଳାହାଣ୍ଡିରେ ୮୦.୪୩ ପ୍ରତିଶତ ଏବଂ ଗଞ୍ଜାମରେ ମାତ୍ର ୭୯ ପ୍ରତିଶତ ବର୍ଷା ହେବା ରାଜ୍ୟ ପାଇଁ ବଡ଼ ବିପଦଘଣ୍ଟି ହୋଇଛି। କନ୍ଧମାଳରେ ୭୯.୫%, କେନ୍ଦ୍ରାପଡ଼ାରେ ୮୨.୯୪%, ରାୟଗଡ଼ାରେ ୪୯% ବର୍ଷା ହେବା ସ୍ଥିତିକୁ ଆହୁରି ଉଦବେଗଜନକ କରିଛି। ଏଭଳି ସ୍ଥିତିରେ ଏହି ଅଞ୍ଚଳରେ ଦୀର୍ଘକାଳୀନ ବିହନ ହୋଇନପାରିଲେ ଉତ୍ପାଦନ କେଉଁ ସ୍ତର ପର୍ଯ୍ୟନ୍ତ ପହଞ୍ଚିବ ବର୍ତ୍ତମାନ ଠାରୁ ଆକଳନ କରିବା କଷ୍ଟକର। ଏଭଳି ଆଉ କେତେ ଦିନ ବର୍ଷା ଏଭଳି ଲୁଚକାଳି ଖେଳ ଖେଳିବ ତାକୁ ନେଇ ପ୍ରଶ୍ନବାଚୀ ରହିଛି।
ସଅଳ କିସମ ବିହନକୁ ଗୁରୁତ୍ବ ନାହିଁ, କ୍ଷତିରେ ଚାଷୀ
ମରୁଡ଼ି କିମ୍ବା ବର୍ଷାରେ ଫସଲ ନଷ୍ଟ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ୬୦ ଦିନିଆ ବା ଅତି ଶୀଘ୍ର କିସମ ଏବଂ ୯୦ ଦିନିଆ ଶୀଘ୍ର କିସମ ଧାନ ବିହନ ଉପଯୋଗୀ ହୋଇଥାଏ। କିନ୍ତୁ ବିହନ ନିଗମ କିମ୍ବା ଓୟୁଏଟି ପକ୍ଷରୁ କେହି ମଧ୍ୟ ଏହାକୁ ଗୁରୁତ୍ବ ଦିଅନ୍ତି ନାହିଁ। ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ସବୁ ଦିନିଆ ସମସ୍ୟା। ଏହା ସତ୍ତ୍ବେ ଜୈବିକ ବିହନ ବ୍ୟାଙ୍କରେ ୬୦ ଦିନିଆ କିସମ ଉପଲବ୍ଧ ଥିଲେ ସୁଦ୍ଧା ତାକୁ ବିକଶିତ କରାଯାଇ ନାହିଁ। ୯୦ ଦିନିଆ ଖଣ୍ଡଗିରି, ଉଦୟଗିରି ଆଦି ଦିନେ ଓୟୁଏଟି ପକ୍ଷରୁ ବିକଶିତ କରାଯାଇଥିଲା। କିନ୍ତୁ ବିହନ ନିଗମରେ ଏହା ଅଛିକି ନାହିଁ ତାହା ଜଣା ପଡ଼ୁ ନାହିଁ। ବର୍ତ୍ତମାନ ବର୍ଷା ଯେଉଁଭଳି ବିଳମ୍ବିତ ହେଉଛି ଆଗାମୀ ଦିନରେ ଆହୁରି ଡେରି ହେବ। ତେଣୁ ସଅଳ ଏବଂ ଅତି ସଅଳ କିସମ ବିହନ ଚାଷୀଙ୍କୁ ଭରସା ଦେବ।