କୃଷି ଋଣ ପାଇଁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ୧୦% ବଦଳରେ ନାମମାତ୍ର ଟଙ୍କା

ସମବାୟ ସମିତିଙ୍କ ଅଂଶଧନ ସଂଯୋଗ ହ୍ରାସ

ଭୁବନେଶ୍ୱର : ଚାଷୀମାନଙ୍କୁ କୃଷି ମିଆଦ ଋଣ ପ୍ରଦାନ ପ୍ରକ୍ରିୟାକୁ ରାଜ୍ୟ ସରକାର ଆହୁରି ସରଳୀକରଣ କରିଛନ୍ତିି। କୃଷି ମିଆଦ ଋଣ ନେବା କ୍ଷେତ୍ରରେ ସମବାୟ ସମିତିମାନଙ୍କ ଅଂଶଧନ ସଂଯୋଗ(ସେୟାର ଲିଙ୍କେଜ୍‌) ହ୍ରାସ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦେଶ ଦେଇଛନ୍ତିି। ଅଂଶଧନ ସଂଯୋଗ ଉପରେ ପ୍ରଚଳିତ ୧୦ ପ୍ରତିଶତ ହାର ପରିବର୍ତେ ନାମମାତ୍ର ନିର୍ଦିଷ୍ଟ ରାଶି ଧାର୍ଯ୍ୟ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ମୁତାବକ ଏଣିକି ସମବାୟ ସମିତିମାନଙ୍କ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୧୦ ପ୍ରତିଶତ ବଦଳରେ ନିର୍ଦିଷ୍ଟ ୫୦୦ ଟଙ୍କା ଦେଇହେବ। ସେହିପରି ୫ରୁ ୧୦ ଲକ୍ଷ ଟଙ୍କାର ଋଣ ଉପରେ ୭୫୦ ଟଙ୍କା, ୧୦ରୁ ୧୫ ଲକ୍ଷ ଟଙ୍କାର ଋଣ ଉପରୁ ୮୫୦ ଟଙ୍କା ଏବଂ ୧୫ ଲକ୍ଷ ଟଙ୍କାର ଅଧିକ ଋଣ ଉପରେ ଏକ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ, ଚାଷୀମାନେ ସମବାୟ ସମିତିମାନଙ୍କର ସଦସ୍ୟ ଭାବେ ଟ୍ରାକ୍ଟର, ପାଓ୍ଵାର ଟିଲର ଆଦି କୃଷି ଉପକରଣ ପାଇଁ ମିଆଦ ଋଣ ନେଇଥାନ୍ତି। ସେଥିପାଇଁ ସେମାନଙ୍କୁ ୧୦ ପ୍ରତିଶତ ସେୟାର ଲିଙ୍କେଜ୍‌ ସହିତ ଅତିରିକ୍ତ ବନ୍ଧକ ଦେବାକୁ ପଡ଼ୁଛି।

ତେବେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଚାଷୀମାନଙ୍କୁ ଋଣ ବାବଦରେ ଆଉ ଅତିରିକ୍ତ ବନ୍ଧକ ଜମା ଦେବାକୁ ପଡ଼ିବ ନାହିଁ। ସେମାନେ ଋଣ ସୂତ୍ରରେ ନେଇଥିବା କୃଷି ଉପକରଣ ହିଁ ବନ୍ଧକ, ଅତିରିକ୍ତ ବନ୍ଧକ ବୋଲି ବିବେଚନା କରାଯିବ। ଋଣ ଉପରେ ନିର୍ଦିଷ୍ଟ ରାଶି ଧାର୍ଯ୍ୟ କରାଯିବା ଏବଂ ଅତିରିକ୍ତ ବନ୍ଧକ ଭଳି କଟକଣା ହଟିଯିବା ଫଳରେ ଚାଷୀମାନଙ୍କ ଉପରୁ ବୋଝ ହାଲୁକା ହେବ। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ସମବାୟ ବ୍ୟାଙ୍କଗୁଡ଼ିକ ଶସ୍ୟ ଋଣ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତିି। ଓଡ଼ିଶାରେ ସମବାୟ ବ୍ୟାଙ୍କ ପ୍ରାୟ ୬୫ ପ୍ରତିଶତ ଶସ୍ୟ ଋଣ ଦେଉଥିବା ବେଳେ ଅନ୍ୟ ସମସ୍ତ ଜାତୀୟ ବ୍ୟାଙ୍କ, ଘରୋଇ ବ୍ୟାଙ୍କ ଅବଶିଷ୍ଟ ଋଣ ପ୍ରଦାନ କରିଥାନ୍ତି। ତେବେ ଦେଶରେ ସମବାୟ ବ୍ୟାଙ୍କଗୁଡ଼ିକ ମାତ୍ର ୧୬ ପ୍ରତିଶତ ଋଣ ଦେଉଥିବା କୁହାଯାଇଛି।

ସମ୍ବନ୍ଧିତ ଖବର