କୃଷିମନ୍ତ୍ରୀଙ୍କ ନିବେଦନ : ଫସଲ ପୋଡ଼ନି, ଲକ୍ଷ୍ମୀ ଛାଡ଼ିଯିବେ

ଭୁବନେଶ୍ୱର : ଫସଲ ପୋଡ଼ିବା ଓ ଚାଷୀ ଆତ୍ମହତ୍ୟା ଘଟଣା ସରକାରଙ୍କୁ କିଲିବିଲି କରିଦେଲାଣି। ମନ୍ତ୍ରୀଙ୍କ ସମୀକ୍ଷା, ଅଫିସର୍‌ଙ୍କ ଗସ୍ତ କିଛି ପ୍ରଭାବ ପକାଉନି। ଚାଷୀଙ୍କ ସହ ସରକାର ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା ବି କାମ ଦେଉନି। ଶେଷରେ କୃଷିମନ୍ତ୍ରୀ ଦାମୋଦର ରାଉତ ଆଜି ଭଗବାନଙ୍କ ନାଁ ନେଇ ଚାଷୀଙ୍କ ମନରେ ଆବେଗ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ଫସଲ ପୋଡ଼ି ଲକ୍ଷ୍ମୀଛଡ଼ା ନ ହେବାକୁ ପରାମର୍ଶ ଦେଇଛନ୍ତି। ତଥାପି ବନ୍ଦ ହୋଇନି ଫସଲ ପୋଡ଼ି। ଆଜି ବି ଗଂଜାମ ଜିଲ୍ଲା ଚିକିଟି ବ୍ଲକ୍‌ ରମ୍ପା ଗ୍ରାମର କିଛି ଚାଷୀ ସମୂହ ଆତ୍ମହତ୍ୟା ଧମକ ଦେବା ସହ ନଷ୍ଟ ହୋଇଥିବା ପାଚିଲା ଧାନ କ୍ଷେତରେ ନିଆଁ ଲଗାଇ ଦେଇଛନ୍ତି।

ଆଜି ସଚିବାଳୟରେ ଗଣମାଧ୍ୟମ ପ୍ରତିନିଧିମାନେ ଫସଲ ପୋଡ଼ା ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ରାଉତଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ। ଚାଷୀମାନଙ୍କ ଉଦ୍ଦେଶ୍ୟରେ ମନ୍ତ୍ରୀ କହିଥିଲେ, ଚାଷୀଙ୍କୁ ହାତଯୋଡ଼ି ନିବେଦନ କରୁଛି। ମୋତେ କଷ୍ଟ ଲାଗୁଛି। ପୋକ ଖାଇଯାଉଥିବା ଧାନ କ୍ଷେତରେ ଯେଉଁମାନେ ନିଆଁ ଲଗାଇ ପୋଡ଼ୁଛନ୍ତି, ସେମାନେ ଠିକ୍‌ କରୁନାହାନ୍ତି। ଧାନ ଲକ୍ଷ୍ମୀ ଠାକୁରାଣୀ। ଲକ୍ଷ୍ମୀ ଠାକୁରାଣୀଙ୍କ ଦେହରେ ନିଆଁ ଲଗାନ୍ତୁ ନାହିଁ।

ଏହାକୁ ପୋଡ଼ନ୍ତୁ ନାହିଁ। ଧାନ ପୋଡ଼ିଲେ, ଲକ୍ଷ୍ମୀଛଡ଼ା ହୋଇଯିବ। ମୁଁ ରାଜନୈତିକ ଲୋକ ହିସାବରେ ଏହା କହୁ ନାହିଁ। ଜଣେ ଚାଷୀ ପରିବାରର ଲୋକ ହିସାବରେ କହୁଛି।

ମନ୍ତ୍ରୀ ତାଙ୍କ ଆଶ୍ୱାସନାକୁ ପୁଣି ଦୋହରାଇଥିଲେ। ସେ କହିଲେ, ଯଦି ନକଲି ଔଷଧ କେହି ଦେଇଥା’ନ୍ତି, ତେବେ କଠୋର କାର୍ଯ୍ୟାନୁଷ୍ଠାନ ନେବି। ଯେଉଁମାନଙ୍କର ଫସଲ କ୍ଷତି ହୋଇଛି, ତାହାର ଆକଳନ କରାଯାଉଛି। ଚାଷୀଙ୍କ ଘରକୁ ଯାଇ ଅଫିସର୍‌ମାନେ ସିଧାସଳଖ କଥାବାର୍ତ୍ତା କରୁଛନ୍ତି। ଯେଉଁମାନଙ୍କର ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଛି, ସେମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିସାରିଛନ୍ତି।

ବିରୋଧୀ ରାଜନୈତିକ ଦଳର ଏ ନେଇ ସମାଲୋଚନା ପ୍ରସଙ୍ଗରେ ପ୍ରଶ୍ନ ହେବାରୁ କୃଷି ମନ୍ତ୍ରୀ କହିଥିଲେ, ଏ ଅବସ୍ଥା ନ ସରିବା ପର୍ଯ୍ୟନ୍ତ ରାଜନୈତିକ ଦୃଷ୍ଟିରୁ କୌଣସି ମନ୍ତବ୍ୟ ଦେବି ନାହିଁ।

ଚିକିଟିରେ ପୁଣି ଫସଲ ଜାଳିଲେ, ଆତ୍ମହତ୍ୟା ଚେତାବନୀ ଆମ ଚିକିଟି ପ୍ରତିନିଧିଙ୍କଠାରୁ ପ୍ରକାଶ ଯେ ରୋଗପୋକ ଯୋଗୁଁ କ୍ଷତିଗସ୍ତ ଫସଲ ପାଇଁ ସରକାରଙ୍କ କ୍ଷତିପୂରଣ ଆଶ୍ୱାସନାକୁ ଭରସା କରିପାରୁନାହାନ୍ତି ଚାଷୀ। ଚିକିଟି ବ୍ଲକ୍‌ ରମ୍ପା ଗ୍ରାମରେ ପ୍ରାୟ ୧୦୦ ଏକର ଧାନ ଫସଲ ମାଟିଆଗୁଣ୍ଡି ପୋକ ପ୍ରଭାବରେ ସଂପୂର୍ଣ୍ଣ ନଷ୍ଟ ହୋଇଛି। ଗ୍ରାମର କିଛି ଚାଷୀ ପାଚିଲା ଧାନ କ୍ଷେତରେ ନିଆଁ ଲଗାଇ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଗ୍ରାମର ମହିଳା ଚାଷୀ ଡି. ଧନଲକ୍ଷ୍ମୀ ଓ କେ.ବାକେୟା ରେଡ଼ି। ସେମାନେ ଦୁଇ ଭରଣ(ଦଶ ଗୁଣ୍ଠ) ଫସଲକୁ ଜଳାଇ ଦେଇଛନ୍ତି। ଗ୍ରାମର ୫୦ରୁ ଅଧିକ ଚାଷୀ ତୁରନ୍ତ କ୍ଷତିପୂରଣ ନମିଳିଲେ ଗ୍ରାମର କିଛି ଚାଷୀ ଆତ୍ମହତ୍ୟା କରିବେ ବୋଲି ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଚାଷୀଙ୍କ ଏ ପ୍ରକାର ଚିଠି ଜିଲ୍ଲା ପ୍ରଶାସନକୁ ଅଡ଼ୁଆରେ ପକାଇଛି।

ସମ୍ବନ୍ଧିତ ଖବର