ଧାର୍ଯ୍ୟ ପରିମାଣର ସାର ଯୋଗାଉ କେନ୍ଦ୍ର, କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ‌ଲେଖିଲେ କୃଷି ମନ୍ତ୍ରୀ

ଭୁବନେଶ୍ବର : ଗତ ଦୁଇ ମାସ ହେଲା ଓଡ଼ିଶାକୁ ଧାର୍ଯ୍ୟ ଆବଣ୍ଟିତ ପରିମାଣର ସାର ଠାରୁ କମ୍ ସାର କେନ୍ଦ୍ର ଯୋଗାଉଛି। ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ରାଜ୍ୟ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ। ଏହି ପ୍ରସଙ୍ଗରେ ସେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି ଭି ସଦାନନ୍ଦ ଗୌଡ଼ାଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ତୁରନ୍ତ ସାର ଯୋଗାଇ ଦେବା ପାଇଁ ମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ସେ ଅନୁରୋଧ କରିଛନ୍ତି।

ମନ୍ତ୍ରୀ ଶ୍ରୀ ସାହୁ ଦର୍ଶାଇଛନ୍ତି ଯେ ଏପ୍ରିଲ୍‌ ମାସରେ ଓଡ଼ିଶାକୁ ଧାର୍ଯ୍ୟ ଆବଣ୍ଟିତ ପରିମାଣର ସାର ଆସିଥିଲା। କିନ୍ତୁ ମେ’ ମାସରେ ୪୮,୯୫୦ ମେଟ୍ରିକ୍ ଟନ୍ ୟୁରିଆ ଆସିବା ପାଇଁ ଧାର୍ଯ୍ୟ ହୋଇଥିଲା ବେଳେ ଆସିଥିଲା ୩୪,୪୪୦ ମେଟ୍ରିକ୍ ଟନ୍। ଜୁନ୍ ମାସରେ ୭୦,୮୩୦ ମେଟ୍ରିକ୍ ଟନ୍ ୟୁରିଆ ପାଇଁ ଧାର୍ଯ୍ୟ ହୋଇଥିଲା ବେଳେ ୧୮ ତାରିଖ ସୁଦ୍ଧା ମିଳିଛି ମାତ୍ର ୧୮,୬୯୦ ମେଟ୍ରିକ୍ ଟନ୍। ‌ସେହିପରି ଡିଏପ୍, ଏମ୍‌ଓପି ଓ ଏନ୍‌ପିକେ ଯୋଗାଣ ମଧ୍ୟ ଧାର୍ଯ୍ୟ ପରିମାଣ ଠାରୁ କମ୍ ରହିଛି। ଗତ ଖରିଫ ଋତୁରେ ରାଜ୍ୟକୁ ୪୫ ହଜାର ମେଟ୍ରକ୍ ଟନ୍ ୟୁରିଆ କମ୍ ଯୋଗାଣ ହୋଇଥିବାରୁ ରାଜ୍ୟରେ ଚାଷୀମାନେ ବହୁ ସମସ୍ୟାର ସାମ୍ନା କରିଥିଲେ। ବିଭିନ୍ନ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ତେଣୁ ରାଜ୍ୟ ସରକାର ଜୁନ୍ ଶେଷ ସୁଦ୍ଧା ରାଜ୍ୟର ସାର କ୍ରୟ ଏଜେନ୍ସି ମାଧ୍ୟମରେ ଦୁଇ ଲକ୍ଷ ମେଟ୍ରିକ୍ ଟନ୍ ସାର ମହଜୁଦ୍ କରିବାକୁ ଯୋଜନା କରିଛନ୍ତି। ତେଣୁ ଚଳିତ ମାସରେ ବଳକା ସାର ତୁରନ୍ତ ଯୋଗାଣ ପାଇଁ ପଦ‌କ୍ଷେପ ନେବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ ଶ୍ରୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର