ପଂଚାୟତ ସ୍ତରରେ ଚାଷୀଙ୍କୁ ପରାମର୍ଶ ଦେବେ କୃଷି ଅଧିକାରୀ: ସୌରଭ ଗର୍ଗ

୯୬ ଲକ୍ଷ ଟନ ଖାଦ୍ୟଶସ୍ୟ ଉତ୍ପାଦନ କରାଯିବାର ଲକ୍ଷ୍ୟ

ଭୁବନେଶ୍ୱର: ଚାଷୀମାନେ ନିଜ ପଂଚାୟତରେ କୃଷି ସଂପର୍କିତ ପରାମର୍ଶ ପାଇପାରିବେ। ଭିଏଲଡବ୍ଲ୍ୟୁମାନେ ପ୍ରତି ସୋମବାର ଚାଷୀମାନଙ୍କୁ ପରାମର୍ଶ ଦେବେ। କୃଷି ଓ କୃଷକ ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି। ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗର୍ଗ କହିଛନ୍ତି, ଭିଏଲଡବ୍ଲ୍ୟୁମାନେ ସୋମବାର ଦିନ ୧୨ଟାରୁ ଅପରାହ୍ନ ୨ଟା ଯାଏଁ ପଂଚାୟତରେ ଚାଷୀମାନଙ୍କ ସହିତ ଆଲୋଚନା କରିବା ସହିତ ପରାମର୍ଶ ଦେବେ।

ସେ କହିଛନ୍ତି, ’ଆମ କୃଷି କାର୍ଯ୍ୟକ୍ରମ’ ମାଧ୍ୟମରେ ଚାଷୀମାନେ ହେଲ୍‌ପଲାଇନ ନମ୍ବର (୧୮୦୦୧୦୨୫୧୬୬)ରେ ଯୋଗାଯୋଗ କରି ଚାଷ ସଂପର୍କିତ ତଥ୍ୟ ହାସଲ କରିପାରିବେ। ଚାଷର ଉନ୍ନତି ପାଇଁ ଏଲଆଇ, ସଏଲ୍ କଂଜର୍ଭେସନ୍ ଅଧିକାରୀ, ଉଦ୍ୟାନ ଅଧିକାରୀ ମଧ୍ୟ ଚାଷୀମାନଙ୍କୁ ପରାମର୍ଶ ଦେବେ।

ରାଜ୍ୟର ୬୦ରୁ ଅଧିକ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି। ସେଥିପାଇଁ ରାଜ୍ୟ ସରକାର ଖରିଫ ଚାଷକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଚଳିତ ବର୍ଷ ୬୨ ଲକ୍ଷ ହେକ୍ଟରରେ ଚାଷ ହେବ। ଏଥିରୁ ୯୬ ଲକ୍ଷ ଟନ ଖାଦ୍ୟଶସ୍ୟ ଉତ୍ପାଦନ କରାଯିବାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସରକାର ଅଧିକ ଧାନ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ପନିପରିବା, ଡାଲି ଓ ମସଲାଜାତୀୟ ଚାଷକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି।

ଚାଷ ପାଇଁ ମୁଖ୍ୟମନ୍ତ୍ରୀ ଏକ ବଡ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜ ଅନୁଯାୟୀ ଚଳିତ ବର୍ଷ ଚାଷ କାମରେ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରୁ ୨୫ ଲକ୍ଷ ଚାଷୀ ଉପକୃତ ହୋଇପାରିବେ। ଚାଷୀମାନଙ୍କୁ ୭୫ ପ୍ରତିଶତ ସବସିଡିରେ ଋଣ ମିଳିପାରିବ। ପନିପରିବା, ଫଳ ଆଦି ଚାଷ ପାଇଁ ମଧ୍ୟ ଋଣ ମିଳିପାରିବ। ପାନ ଚାଷ, ଫୁଲ ଚାଷ, ଛତୁ ଛାଷକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜରେ ଯୋଡ଼ାଯାଇଛି।

ରାଜ୍ୟ ସରକାର ଫାର୍ମ ପଣ୍ଡ ଯୋଜନା କରିଛନ୍ତି। ମନେରଗା ଯୋଜନାରେ ପୋଖରୀ ଖୋଲିବା ପାଇଁ ଚାଷୀଙ୍କୁ ସୁବିଧା ଯୋଗାଇ ଦିଆଯାଉଛି। ଚାଷୀମାନଙ୍କୁ ଫାର୍ମ ପଣ୍ଡ ଦେବା ପାଇଁ ପ୍ରତି ବ୍ଲକରେ ଅଧିକାରୀ ରଖିଛନ୍ତି। ଯେଉଁ ଚାଷୀ ନିଜ ଜମିରେ ପୋଖରୀ କରିବାକୁ ଚାହୁଁଛନ୍ତି, ସେମାନେ ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ।

ଚାଷୀମାନଙ୍କୁ ୨ ଲକ୍ଷ ଟନ ବିହନ ଯୋଗାଇ ଦିଆଯାଇସାରିଛି। ଦିଆଯାଇଛି। ୫ ଲକ୍ଷ ଟନ ବିହନ ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଯାଏଁ ସାଢ଼େ ୩ ଲକ୍ଷ ମେଟ୍ରିକ ଟନ ସାର ଦିଆଯାଇ ସାରିଛି। ଚଳିତ ବର୍ଷ ୯ଲକ୍ଷ ମେଟ୍ରିକ ଟନ ସାର ଦିଆଯିବାକୁ ଲକ୍ଷ୍ୟ ରଖିଛୁ ବୋଲି କହିଛନ୍ତି ଶ୍ରୀ ଗର୍ଗ। ଫସଲ ବୀମା ଯୋଜନାରେ ୩୦ ଲକ୍ଷ ଚାଷୀଙ୍କୁ ସାମିଲ କରିବାକୁ ଲକ୍ଷ ରଖିଛୁ। ଗତ ବର୍ଷ ୭ ଲକ୍ଷ ଚାଷୀ ଫସଲ ବୀମା ଯୋଜନାରୁ ଲାଭ ପାଇଥିଲେ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରୁ ଯୁବପୀଢ଼ି ଲାଭ ପାରିପାରିବେ। ସେମାନେ ନିକଟସ୍ଥ କୃଷି ଅଧିକାରୀମାନଙ୍କୁ ପଚାରିଲେ, ଏବାବଦରେ ବିସ୍ତତ ବିବରଣୀ ପାଇପାରିବେ।

କମିସନର ତଥା ଶାସନ ସଚିବ ବୀରବିକ୍ରମ ଯାଦବ କହିଛନ୍ତି, ଚାଷୀମାନଙ୍କ ପାଇଁ ରାଜ୍ୟ ସରକାର ୨୬୪୯ କୋଟି ଟଙ୍କାର ଋଣ ଯୋଗାଇ ଦେଇଛନ୍ତି। ଗତ ବର୍ଷ ତୁଳନାରେ ସରକାର ଚଳିତ ବର୍ଷ ୧୧୭ ପ୍ରତିଶତ ଋଣ ଅଧିକ ଯୋଗାଇଛନ୍ତି। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଋଣ ଦେବାକୁ ଯୋଜନ କରିଛୁ। ଡାଲି, ବାଦାମ ଓ ସୂର୍ଯ୍ୟମୁଖୀ ଚାଷକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

ଆମେ ଏପର୍ଯ୍ୟନ୍ତ ୨ ଲକ୍ଷ ୫୭ ହଜାର ଚାଷୀଙ୍କ ନାମ ପଂଜୀକରଣ କରିଛୁ। ଏପର୍ଯ୍ୟନ୍ତ ୧୦ ଲକ୍ଷ ୯୧ ହଜାର ମେଟ୍ରିକ ଟନ ଧାନ କିଣିସାରିଛୁ। ଗତ ବର୍ଷ ୭ ଲକ୍ଷ ୯୭ ହଜାର ମେଟ୍ରିକ ଟନ ଧାନ କିଣିଥିଲୁ। ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀମାନଙ୍କୁ ପେମେଣ୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଜୁନ ୩୦ ଯାଏଁ ଧାନ କିଣା ଚାଲିବ। ଚଳିତ ବର୍ଷ ଚାଷୀମାନଙ୍କ ନିକଟ ୧୪୧୨ ସୋସାଇଟିରେ ସାର ପହଂଚାଇସାରିଛୁ। କୋଭିଡ-୧୯ ସମୟରେ ଚାଷୀ ଯେପରି ସହଜରେ ସାର ଓ ବିହନ ପାଇପାରିବେ, ସେଥିପାଇଁ କାମ କରାଯାଉଛି। ସାମାଜିକ ଦୂରତାକୁ ରକ୍ଷା କରାଯାଇ ଧାନ କିଣାଯାଉଛି।

ସମ୍ବନ୍ଧିତ ଖବର