ଚାଷୀଙ୍କ ଆୟ ବଢ଼ାଇବ ‘କୃଷି ଉତ୍ପାଦନ କ୍ଲଷ୍ଟର୍‌’: ପ୍ରକଳ୍ପର ଦ୍ବିତୀୟ ରାଜ୍ୟସ୍ତରୀୟ ସମନ୍ବୟ ବୈଠକ, ୪ ବର୍ଷରେ ଖର୍ଚ୍ଚ ହେବ ୪୦୦ କୋଟି

ଭୁବନେଶ୍ବର : କୃଷି ବିଭାଗ ପକ୍ଷରୁ ପଞ୍ଚାୟତିରାଜ ବିଭାଗ, ସ୍ବେଚ୍ଛାସେବୀ ସଂସ୍ଥା ‘ଭାରତ ରୁରାଲ୍‌ ଲାଇଭ୍‌ଲିହୁଡ୍‌ ଫାଉଣ୍ଡେସନ୍‌’ ଓ ‘ପ୍ରଦାନ’ର ମିଳିତ ସହଯୋଗରେ ରାଜ୍ୟର ଜନଜାତି ବହୁଳ ୧୨ଟି ଜିଲ୍ଲାର ୪୦ଟି ବ୍ଲକ୍‌ରେ ‘କୃଷି ଉତ୍ପାଦନ କ୍ଲଷ୍ଟର୍‌’ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏଥିରେ ଆଗାମୀ ୪ ବର୍ଷରେ ୪୦୧.୬ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ଦ୍ବାରା ୧ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟ ଦ୍ବିଗୁଣିତ ହୋଇପାରିବ ବୋଲି କୃଷି ବିଭାଗ ଆକଳନ କରିଛି। ଆଜି ଏହି ପ୍ରକଳ୍ପର ଦ୍ବିତୀୟ ରାଜ୍ୟସ୍ତରୀୟ ସମନ୍ବୟ ବୈଠକ ଆଜି କୃଷି ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରକଳ୍ପ ଅଧୀନରେ ଉଦ୍ୟାନ କୃଷି, ଫଳଚାଷ ଓ ଫଳ ବଗିଚାର ନିମନ୍ତେ ଚାରା ରୋପଣ, ବିଭିନ୍ନ ଯୋଜନାରେ ଜଳସେଚନର ସୁବିଧା, ଛେଳି ଓ ବାଡ଼ି ଅଗଣାରେ କୁକୁଡ଼ା ଚାଷ ନିମନ୍ତେ ଘର ନିର୍ମାଣ, କୃଷି ଉଦ୍ୟୋଗୀ ସୃଷ୍ଟି ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ବୈଠକରେ ଅଧ୍ୟକ୍ଷତା କରି କୃଷି ଉତ୍ପାଦନ କମିସନର୍‌ ପ୍ରଦୀପ୍ତ କୁମାର ମହାପାତ୍ର ଢିପ ଜମି ଥିବା ରାଜ୍ୟର ଜନଜାତି ବହୁଳ ଜିଲ୍ଲାରେ ପ୍ରକଳ୍ପଟି କାର୍ଯ୍ୟକାରୀ ‌ହେଉଥିବା ବେଳେ ଏହାର ସଫଳତା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଏକ ଉଦାହରଣ ସୃଷ୍ଟି କରିବ ବୋଲି କହିଥି‌େଲ। ଏଥି ସହିତ ଜନଜାତି ବହୁଳ ଅଞ୍ଚଳ‌େର ଏହା କୃଷି ଉଦ୍ୟୋଗୀଙ୍କ ନିମନ୍ତେ ଏକ ମଡେଲ୍‌ ସାବ୍ୟସ୍ତ ହୋଇପାରିବ ବୋଲି ସେ ଆଶାପ୍ରକଟ କରିଥିଲେ। କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ କହିଥିଲେ, ଏହି ପ୍ରକଳ୍ପରେ ଉନ୍ନତ ଜ୍ଞାନକୌଶଳର ଉପଯୋଗ ଦ୍ବାରା ଉତ୍ପାଦନ ବୃଦ୍ଧି ପାଇବା ସହିତ ଚାଷୀମାନେ ବହୁଳ ଭାବେ ଉପକୃତ ହୋଇପାରିବେ। ଉନ୍ନତ ଜ୍ଞାନକୌଶଳକୁ ମଧ୍ୟ ଟ୍ରେଲିଜ୍, ପଲି ହାଉସ୍ ଓ ନର୍ସରି ଆଦି କ୍ଷେତ୍ରରେ ବହୁଳ ବ୍ୟବହାର ପାଇଁ ସେ ପରାମର୍ଶ ଦେଇଥିଲେ।

‘କୃଷି ଉତ୍ପାଦନ କ୍ଲଷ୍ଟର୍‌’ ପ୍ରକଳ୍ପରେ ୬୫୦ ଉତ୍ପାଦକ ଗୋଷ୍ଠୀ ଓ ୩୦ଟି ଉତ୍ପାଦନ କମ୍ପାନି ଗଠନ କରାଯିବ। ସେହିପରି ୭୫୦ ଜଣ ବଜାର ସଂଯୋଜକ କୃଷି ଉଦ୍ୟୋଗୀ ସୃଷ୍ଟି କରାଯିବ। ଏହି ଯୋଜନା ଅନ୍ତର୍ଗତ ୪୦ ପ୍ରତିଶତ ଜମିରେ ବିନା କୀଟନାଶକରେ ଫସଲ ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ୪୦ ହଜାର ଚାଷୀ ପରିବାରର ଆୟ ବୃଦ୍ଧି ପାଇଁ ଆନୁଷଙ୍ଗିକ କୃଷି, ଛେଳି, ମେଣ୍ଢା, କୁକୁଡ଼ା ଆଦି ପାଳନ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି। ଜୀବିକା ନିର୍ବାହ ନିମନ୍ତେ ୧୬ ହଜାର ଏକର ଜମିରେ ଜଳସେଚନ, ୮ ହଜାର ଏକର ଜମିରେ ଫଳ ବଗିଚା, ୭୦ ହଜାର ଏକର ଜମିରେ କୃଷି ଯନ୍ତ୍ରପାତି ବ୍ୟବହାରର ସୁବିଧା ଯୋଗାଇଦେବା ସହିତ ଛେଳି, ମେଣ୍ଢା ଓ କୁକୁଡ଼ା ଚାଷ ନିମ‌ନ୍ତେ ପ୍ରାୟ ୩୦ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଏହି ଯୋଜନାରେ ସଂଶ୍ଳିଷ୍ଟ କରାଯାଉଛି। ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ କମିସନର୍ ଏମ୍ ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କ ସମେତ ଓର୍‌ମାସ୍, ଆପିକଲ୍‌, ଓଏଲ୍‌ଆଇସି, ବିଆର୍‌ଏଲ୍‌ଏଫ୍‌ ଓ ପ୍ରଦାନ ଆଦି ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର