କୃଷି ସାମଗ୍ରୀ ପରିବହନକୁ କଟକଣା ମୁକ୍ତ କରିଛନ୍ତି ରାଜ୍ୟ ସରକାର: ସୌରଭ ଗର୍ଗ

ଚାଷ ସଂପର୍କୀତ ସହାୟତା ପାଇଁ ଟୋଲ ଫ୍ରି ନମ୍ବର ୧୮୦୦୧୦୨୫୧୬୬ରେ ଯୋଗାଯୋଗ କରନ୍ତୁ ଚାଷୀ

ଭୁବନେଶ୍ୱର: ଲକଡାଉନ ଜାରି ରହିଥିବା ବେଳେ ରାଜ୍ୟ ସରକାର କୃଷି ସାମଗ୍ରୀ ପରିବହନକୁ କଟକଣା ମୁକ୍ତ କରିଛନ୍ତି । ସେହିପରି ସରକାର କୃଷି କାର୍ଯ୍ୟକୁ ମଧ୍ୟ ଲଗଡାଉନରୁ ବାଦ ଦେଇଛନ୍ତି । ଏଥି ସହ ଚାଷୀଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାରଙ୍କ ପ୍ରମୁଖ କୃଷି ସଚିବ ସୌରଭ ଗର୍ଗ ଆଜି ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । ରାଜ୍ୟର ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭର କରୁଛନ୍ତି । ତେଣୁ ସରକାର ଚାଷ ଓ ଚାଷୀଙ୍କ ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏଥି ସହିତ ସେ କହିଛନ୍ତି, ଚାଷୀମାନେ ଇ-ସମୃଦ୍ଧି ଜରିଆରେ ନିଜର ନାମ ପଞ୍ଜୀକରଣ କରିପାରିବେ । ଚାଷ ସଂପର୍କିତ ସହାୟତା ପାଇଁ ଚାଷୀ ଟୋଲ ଫ୍ରି ନମ୍ବର (୧୮୦୦୧୦୨୫୧୬୬)ରେ କୃଷକ ସଶକ୍ତିକରଣ ବିଭାଗକୁ ଯୋଗାଯୋଗ କରନ୍ତୁ ବୋଲି ସେ କହିଛନ୍ତି ।

କୃଷି ସଚିବ କହିଛନ୍ତି ବିଭିନ୍ନ କୃଷି କାର୍ଯ୍ୟ ଯଥା ଚାଷ ପାଇଁ ଜମି ପ୍ରସ୍ତୁତ କରିବା, ଧାନ ରୋଇବା, ଜମି ପ୍ରସ୍ତୁତି ଓ ଫସଲ ଅମଲ କରିବାରେ କୌଣସି ଅସୁବିଧା ନାହିଁ । କୃଷି ସାମଗ୍ରୀ ବିକ୍ରି ସମ୍ବନ୍ଧୀତ ଦୋକାନଗୁଡ଼ିକ ଖୋଲାରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ସାମଗ୍ରୀଗୁଡ଼ିକ ଉପଲବ୍ଧ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି କୃଷି ଯନ୍ତ୍ରପାତିର ମରାମତି ଦୋକାନଗୁଡ଼ିକ ଖୋଲା ରଖିବା ପାଇଁ ଅନୁମତି ଦିଆଯାଇଛି । ଜିଲ୍ଲା, ପଂଚାୟତ ସ୍ତରରେ କୃଷି ସମ୍ବନ୍ଧୀତ ଦୋକାନଗୁଡ଼ିକ ଖୋଲା ରହିବ । କୃଷି ଅଧିକାରୀମାନେ ଚାଷୀମାନଙ୍କୁ ପରାମର୍ଶ ଦେବେ । ରାଜ୍ୟ ବିହନ ନିଗମ, ରାଜ୍ୟ କୃଷି ନିଗମ, ଓୟୁଏଟି ବିଜ୍ଞାନ କେନ୍ଦ୍ର ଖୋଲା ରହିବ ବୋଲି ଶ୍ରୀ ଗର୍ଗ କହିଛନ୍ତି ।

କୃଷି ସଚିବ କହିଛନ୍ତି, ଋବି ଋତୁରେ ଓଡ଼ିଶାରେ ୨୬.୬୬ ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଛି । ଚାଷୀମାନଙ୍କ ପରିଶ୍ରମ ଯୋଗୁଁ ୧୫ ଲକ୍ଷ ମେଟ୍ରିିକ ଟନ ଫସଲ ଉପୁଜିବ । ଏଥିରେ ଧାନ, ଚିନାବାଦାମ, ସୋରିଷ, ସୂର୍ଯ୍ୟମୁଖୀ, ଡାଲିଜାତିୟ ଖାଦ୍ୟ ଆଦି ଫସଲ ସାମିଲ ଅଛି । ସରକାର ଚାଷୀଙ୍କୁ ସର୍ବନମ୍ନ ସହାୟତା ରାଶି ଦେବେ । ଚାଷୀମାନେ ଅନଲାଇନନ ମାଧ୍ୟମରେ ନିଜ ନାମ ପଂଜୀକରଣ କରିପାରିବେ । ଆଳୁ ଚାଷୀମାନଙ୍କୁ ସେମାନଙ୍କର ଆଳୁକୁ ଶୀତଲଭଣ୍ଡାରରେ ରଖିବାକୁ ପରାମର୍ଶ ଦିଆଯାଉଛି । ଲଙ୍କା ଚାଷୀମାନେ ଲଙ୍କାକୁ ଏବେ ଖରାରେ ଶୁଖାଇ ପରେ ବିକ୍ରି କରିପାରିବେ । ଚାଷୀମାନେ ଫସଲ ଅମଲ ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ବାଲେଶ୍ୱର, ପୁରୀ ଓ ଜଗତସିଂହପୁରରେ ପାନ ଚାଷୀଙ୍କ ପାଇଁ ସରକାର ମଧ୍ୟ ବ୍ୟବସ୍ଥା ରଖିଥିବା ସେ କହିଛନ୍ତି ।

ସମ୍ବନ୍ଧିତ ଖବର