ଭୁବନେଶ୍ବର: ଆଜ୍ଞା ନମସ୍କାର। ମୁଁ କୃଷି ବିଭାଗର କୃଷି ସମୀକ୍ଷା କେନ୍ଦ୍ରରୁ କହୁଛି। କୃଷି ସମ୍ପର୍କିତ ସୂଚନା ଦେବା ପାଇଁ ଆପଣଙ୍କୁ ଫୋନ କରିଛି। ଚାଷୀଙ୍କ ପାଖକୁ ଏହିଭଳି ଫୋନ ବିଭିନ୍ନ ସମୟରେ ଏବେ ଆସୁଛି। କମ୍ପାନି, ବ୍ୟାଙ୍କମାନଙ୍କ ପକ୍ଷରୁ ନିଜ ପ୍ରଡକ୍ଟ ବିକ୍ରି କିମ୍ବା ଋଣ ପାଇଁ ଯେଉଁଭଳି ଭାବରେ ଗ୍ରାହକଙ୍କୁ ଫୋନ କରାଯାଏ, ସେହି ଢାଞ୍ଚାରେ କୃଷି ବିଭାଗର କୃଷି ସମୀକ୍ଷା କେନ୍ଦ୍ର ପକ୍ଷରୁ ଚାଷୀମାନଙ୍କୁ ଯୋଜନା, ପାଣିପାଗ, ରୋଗପୋକ କିମ୍ବା ଯେକୌଣସି କୃଷି ସୂଚନା ସମ୍ପର୍କରେ ଅବଗତ କରାଇବା, କୃଷି ଯୋଜନା ସମ୍ପର୍କରେ ତଥ୍ୟ ସଂଗ୍ରହ, ତୃଣମୂଳ ସ୍ତରରେ ଆବଶ୍ୟକତା ପାଇଁ ଦୈନିକ ୩୦୦ରୁ ଅଧିକ ଚାଷୀଙ୍କୁ ଫୋନ କରାଯାଏ। ୧୦୦ରୁ ଅଧିକ କର୍ମଚାରୀ ଏଥିପାଇଁ କାର୍ଯ୍ୟରତ ଅଛନ୍ତି। କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀଙ୍କ ସୂଚନା ଅନୁସାରେ, ବିଲ୍ଓ ମେଲିଣ୍ଡା ଗେଟସ୍ଫାଉଣ୍ଡେସନ୍ର ସହାୟତାରେ କୃଷି ସମୀକ୍ଷା କେନ୍ଦ୍ରର କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ଓଡ଼ିଶା ଏଥିରେ ସ୍ବାବଲମ୍ବୀ ହୋଇ ସାରିଛି।
ଚାଷରେ ଯେତେ ବିପଦ ରହିଛି, ଅନ୍ୟ କୌଣସି ପେଶାରେ ନଥାଏ। ରାତାରାତି ଲେଡ଼ା ପୋକ କିମ୍ବା ଚକଡ଼ା ପୋକ ଯୋଗୁଁ ଫସଲ ନଷ୍ଟ ହୋଇ ଚାଷୀ ସର୍ବସ୍ବାନ୍ତ ହୋଇଯାଏ। ଗ୍ରାମ ସେବକ, ବ୍ଲକ, ଜିଲ୍ଲାରୁ ଫାଇଲ ଜରିଆରେ କୃଷି ବିଭାଗର ବରିଷ୍ଠ ଅଧିକାରୀଙ୍କ ପାଖକୁ ଏହି ସୂଚନା ପହଞ୍ଚିବାବେଳକୁ ବିଳମ୍ବ ହୋଇଯାଇଥାଏ। ଏଥି ଯୋଗୁଁ ବିଗତ ଦିନରେ ଚାଷୀ ଆତ୍ମହତ୍ୟାର ଘଟଣା ଘଟିଛି। ଚାଷୀଙ୍କ ସରଳତାର ଫାଇଦା ଉଠାଇ ଅନେକ କୃଷି ଯୋଜନାର ରିହାତି ଟଙ୍କା ବାଟମାରଣା ହୋଇଯାଏ। କୃଷି ବିଭାଗର ସୂଚନା ଅନୁସାରେ, ଚାଷୀ ଓ ସରକାରଙ୍କ ମଧ୍ୟରେ ବ୍ୟବଧାନ ହ୍ରାସ ପାଇଁ ୨୦୨୨ ମସିହା ସେପ୍ଟେମ୍ବର ମାସରେ କୃଷି ସମୀକ୍ଷା କେନ୍ଦ୍ରର ଆରମ୍ଭ ହୋଇଥିଲା। ଯାହାକୁ ୨୦୨୩ ମସିହା ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ। କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧରୀଙ୍କ ନେତୃତ୍ବରେ ସହକାରୀ କୃଷି ଅଧିକାରୀ ରଶ୍ମିରଞ୍ଜନ ମହାରଣା ଓ ନଭେସ ପଟ୍ଟନାୟକ ଏହାର ପରିଚାଳନା କରୁଛନ୍ତି। ପରିଚାଳନା ଅଧିକାରୀଙ୍କ ଅନୁସାରେ, କୃଷି ସମୀକ୍ଷା କେନ୍ଦ୍ର ଜରିଆରେ ଗତବର୍ଷ ସମ୍ବଲପୁର, ଝାରସୁଗୁଡ଼ାରେ ଲେଡ଼ାପୋକ ବ୍ୟାପୁଥିବାର ସାମାନ୍ୟ ସୂଚନା ପାଇ ତତ୍କ୍ଷଣାତ ଏହାର ନିରାକରଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବାରୁ ଏହା ପୂର୍ବଭଳି ବିଶେଷ ବ୍ୟାପି ପାରି ନଥିଲା। ଅନେକ ଯୋଜନାର ସମସ୍ୟା ବିଷୟରେ ଚାଷୀଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇ ତାର ନିରାକରଣ କରାଯାଉଛି। ଉଠାଜଳସେଚନ ଜରିଆରେ ଧାନରୁ ଅଣଧାନ ଚାଷ ପାଇଁ ଅନେକ ଚାଷୀଙ୍କୁ ପ୍ରବର୍ତ୍ତାଇବାରେ ସଫଳତା ମିଳିଥିବା କୁହାଯାଉଛି।
କୃଷି ବିଭାଗର ରହିଛି ୩୦ ପ୍ରକାର ପୋର୍ଟାଲ ବରିଷ୍ଠ କୃଷି ଅଧିକାରୀଙ୍କ ସୂଚନା ଅନୁସାରେ, କୃଷି ବିଭାଗରେ ପ୍ରଯୁକ୍ତି ବ୍ୟବହାର ବଢ଼ିବାରେ ଲାଗିଛି। ଫାଇଲ ଅପେକ୍ଷା ପୋର୍ଟାଲ ଜରିଆରେ ତୃଣମୂଳ ସ୍ତରର କର୍ମଚାରୀ ସିଧାସଳଖ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଓ ନିର୍ଦେଶକଙ୍କୁ ଜଣାଉଛନ୍ତି। ଏହି କ୍ରମରେ ବିଗତ ଦିନରେ ଚାଷୀଙ୍କ ସବିସ୍ତୃତ ବିବରଣୀ ସଂଗ୍ରହ ପାଇଁ ୯୫ ପ୍ରକାର ତଥ୍ୟ ସହିତ କୃଷକ ଓଡ଼ିଶା ପୋର୍ଟାଲ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ୫୭ ପ୍ରକାର ଯୋଜନା ସମ୍ପର୍କରେ ଅବଗତ ଏବଂ ପଞ୍ଜୀକରଣ ପାଇଁ ଗୋସୁଗମ ଓ ଋଣ ପାଇଁ ସଫଳ ପୋର୍ଟାଲ ରହିଛି। ଏହା ବାଦ୍ କୃଷି ଅଧିକାରୀଙ୍କ ଆଡପ୍ଟ ପୋର୍ଟାଲ, ମିଲେଟ ମିସନ, ପ୍ରଧାନମନ୍ତ୍ରୀ ଫସଲ ବୀମା, ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ, ରୋଗପୋକ ସମେତ କୃଷି ବିଭାଗର ୩୦ଟି ବିଭିନ୍ନ ପ୍ରକାର ପୋର୍ଟାଲ ରହିଛି। ଏହି ସମସ୍ତ ପୋର୍ଟାଲରୁ ମିଳୁଥିବା ସୂଚନାକୁ ଆଧାର କରି ଚାଷୀଙ୍କ ପାଖକୁ ପହଞ୍ଚିବାରେ କୃଷି ସମୀକ୍ଷା କେନ୍ଦ୍ର କାର୍ଯ୍ୟ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/farmer-ddddnnnnnn.jpg)