ଭୁବନେଶ୍ବର : ଚ‌ାଷୀଙ୍କ ଉନ୍ନତି ଲାଗି ରାଜ୍ୟ ସରକାର ସ୍ବତନ୍ତ୍ର କୃଷି ବଜେଟ୍‌ ଓ କୃଷି କ୍ୟାବିନେଟ୍ କରିଛନ୍ତି। ବିନା ସୁଧରେ ଋଣ ସାଙ୍ଗକୁ ‘କାଳିଆ’ ଯୋଜନାରେ ଚାଷୀଙ୍କୁ ଆର୍ଥିକ ସହାୟତା ବି ପ୍ରଦାନ କରାଯାଉଛି। ମାତ୍ର ଏତେସବୁ ପଦକ୍ଷେପ ସତ୍ତ୍ବେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଚାଷୀଙ୍କ ଆୟ କମ୍। ହେକ୍ଟର ପିଛା ଉତ୍ପାଦନ ଖର୍ଚ୍ଚ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ ଅଧିକ। ଧୀରେ ଧୀରେ ରାଜ୍ୟରେ ଚାଷ ଜମିର ପରିମାଣ କମୁଥିବାବେଳେ ଭୂମିହୀନ ଶ୍ରମିକମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ଓଡ଼ିଶା ସରକାର ଚାଷୀଙ୍କ ଆୟ ବୃଦ୍ଧି କରିବାକୁ ଖୁବଶୀଘ୍ର ନୂଆ କୃଷି ନୀତି-୨୦୧୯ ଆଣିବାକୁ ଯାଉଛନ୍ତି। କୃଷି ଓ କୃଷକର ବିକାଶରେ ବାଧକ ହେଉଥିବା ୧୪ଟି କାରଣକୁ ସରକାର ଚିହ୍ନଟ କରିଛନ୍ତି। ଆଉ ଏହାର ନିରାକରଣ ଲାଗି ‘ସମୃଦ୍ଧି’ ଜରିଆରେ ସମାଧାନ ବାହାର କରିବାକୁ ଚିନ୍ତା କରିଛନ୍ତି। ଯଦିଓ ବିଧିବଦ୍ଧ ଭାବେ ଏହି କୃଷି ନୀତି ଏଯାଏ ଚୂଡ଼ାନ୍ତ ହୋଇନାହିଁ, କିନ୍ତୁ ଏହାର ଚିଠା ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି। ଏହି ପ୍ରସଙ୍ଗରେ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ପ୍ରସ୍ତାବିତ ଚିଠା କୃଷିନୀତି ସର୍ବସାଧାରଣ ମତାମତ ପାଇଁ େଵବସାଇଟରେ ଉପଲବ୍ଧ କରାଯିବ। ଲୋକଙ୍କ ମତାମତକୁ ତର୍ଜମା କରାଯାଇ ପ୍ରସ୍ତାବିତ ଚିଠାନୀତିରେ ଆବଶ୍ୟକ ସଂଶୋଧନ ମଧ୍ୟ କରାଯିବ।

Advertisment

ସରକାରଙ୍କ ପ୍ରସ୍ତାବିତ କୃଷି ନୀତିର ଆଧାର ହେଉଛି ‘ସମୃଦ୍ଧି’। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ଜଳବାୟୁ ପରିବର୍ତ୍ତନ ସହ ନିଜକୁ ଖାପ ଖୁଆଇବା, ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ବଜାର ସୁବିଧା ସୃଷ୍ଟି, ଅଧିକ ଉତ୍ପାଦନ ପାଇଁ ଉପଲବ୍ଧ ପୁଞ୍ଜିର ସଠିକ ବିନିଯୋଗ, ଭିତ୍ତିଭୂମି ସୃଷ୍ଟି, ମାନବ ସମ୍ବଳର ଦକ୍ଷତା ବୃଦ୍ଧି ସହ ଅନୁଷ୍ଠାନର ଦକ୍ଷତା ବୃଦ୍ଧି କରିବାକୁ ଆଧାର କରି ଯୋଜନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ। ନୂତନ ଚିଠା ନୀତିରେ ଚାଷୀଙ୍କ ନିରନ୍ତର ଆୟ ବୃଦ୍ଧି କରିବା ଲକ୍ଷ୍ୟରେ କ୍ଷୁଦ୍ର, ନାମମାତ୍ର ଚାଷୀଙ୍କ ରୋଜଗାର ବୃଦ୍ଧି ଏବଂ କୃଷି ଅଭିବୃଦ୍ଧିକୁ ତ୍ବାରାନ୍ବିତ କରିବାକୁ ଗୁରୁତ୍ବ ଦିଆଯାଇଛି।

କୃଷି ନୀତି-୨୦୧୯ର ଚିଠା ଅନୁଯାୟୀ, ୨୦୦୦-୨୦୦୧ରୁ ୨୦୧୬-୨୦୧୭ ଭିତରେ ରାଜ୍ୟରେ କୃଷି କ୍ଷେତ୍ରରେ ୪.୫% ଅଭିବୃଦ୍ଧି ଘଟିଛି। ଯାହାକି ଜାତୀୟ ହାର ୩.୧%ଠାରୁ ଅଧିକ। ଚାଷୀଙ୍କ ଆୟ କିନ୍ତୁ ସେହି ଅନୁପାତରେ ବଢ଼ିନାହିଁ। କୃଷି ଶ୍ରମିକଙ୍କୁ ଯେତିକି ମଜୁରୀ ପ୍ରଦାନ କରାଯାଏ ଅମଳ ପରେ ତାର ଭରଣା ଚାଷୀ କରିପାରେନି। ବଜାର ସୁବିଧା ମଧ୍ୟ ନାହିଁ। ୨୦୧୫-୧୬ ନାବାର୍ଡ଼ ସର୍ଭେ ଅନୁଯାୟୀ ରାଜ୍ୟରେ ଚାଷୀଙ୍କ ମାସିକ ଆୟ ହାରାହାରି ୭ ହଜାର ୭୩୧ ଟଙ୍କା। ଯାହାକି ଅନ୍ୟ ରାଜ୍ୟ ତୁଳନାରେ କମ୍। ୨୦୦୧-୨୦୧୧ ଜନଗଣନା ଭିତରେ ରାଜ୍ୟରେ କୃଷି ଶ୍ରମିକମାନଙ୍କ ସଂଖ୍ୟା ୯.୨ ମିଲିୟନରୁ ୧୦.୮ ମିଲିୟନରେ ପହଞ୍ଚିଛି। ଅଥଚ ଜମି ମାଲିକମାନଙ୍କ ସଂଖ୍ୟା ୪.୨ ମିଲିୟନରୁ ୪.୧ ମିଲିୟନକୁ ହ୍ରାସ ପାଇଛି। ସେହିପରି ଭୂମିହୀନ ଶ୍ରମିକମାନଙ୍କ ସଂଖ୍ୟା ୫ ମିଲିୟନରୁ ୬.୭ ମିଲିୟନକୁ ବୃଦ୍ଧି ପାଇଛି।

ଅନ୍ୟ ରାଜ୍ୟ ତୁଳନାରେ ରାଜ୍ୟରେ ଥିବା ଚାଷୀଙ୍କ ଆୟରେ ଅନେକ ତାରତମ୍ୟ ରହିଛି। ୩୦ଟି ଜିଲ୍ଲାରୁ ୧୭ଟି ଜିଲ୍ଲାରେ ଚାଷୀଙ୍କ ଆୟ ରାଜ୍ୟର ଚାଷୀଙ୍କ ଆୟଠାରୁ କମ୍। ସେହିପରି ଜଳସେଚନ ସୁବିଧା ମଧ୍ୟ ସବୁ ଜିଲ୍ଲାର ସବୁ ବ୍ଲକକୁ ସମାନୁପାତରେ ପହଞ୍ଚି ପାରିନି। ଜଳସେଚନ ପାଇଁ ସରକାର ପ୍ରତିବର୍ଷ ହଜାର ହଜାର କୋଟି ଖର୍ଚ୍ଚ କରୁଥିଲେ ବି ବରଗଡ଼, ମାଲକାନଗିରି, କୋରାପୁଟ, ସମ୍ବଲପୁର ଏବଂ ଭଦ୍ରକ ଜିଲ୍ଲାରେ କମ ଜମିକୁ ଜଳସେଚନ କରାଯାଇପାରିଛି। ଅଧିକାଂଶ ଅଞ୍ଚଳରେ ଏବେ ବି ଚାଷ ପାଇଁ ମୁଖ୍ୟତଃ ବର୍ଷା ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ଅନିୟମିତ ବର୍ଷା ଫସଲ ଉତ୍ପାଦନ ଉପରେ ପ୍ରଭାବ ପକାଉଛି। ଧାନକୁ ଛାଡ଼ିଦେଲେ ଡାଲି, ପନିପରିବା, ଦୁଗ୍ଧଜାତ ପଦାର୍ଥ, ଅଣ୍ଡା ଓ ମାଂସ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏବେ ଚାଷୀଙ୍କ ଭିତରେ କୃଷି ସମ୍ବନ୍ଧୀୟ ସଚେତନତା ଅଭାବରୁ ଚାଷ କାର୍ଯ୍ୟରେ ସାର ବ୍ୟବହାର ଜାତୀୟ ହାରଠାରୁ କମ ରହିଛି। ବଜାରରେ ଅଭାବି ବିକ୍ରି, କୃଷି ଶ୍ରମିକଙ୍କ ମଜୁରି ବୃଦ୍ଧି ଯୋଗୁଁ ଚାଷୀଟି ତାର ଉତ୍ପାଦନର ଲାଭ ପାଇପାରୁନି। ପଶୁପାଳନ କରି ଜୀବିକା ନିର୍ବାହ କରୁଥିବା ଚାଷୀଙ୍କ ଆୟ ମଧ୍ୟ ସେତେଟା ଉତ୍ସାହଜନକ ନୁହେଁ। ବିଗତ କିଛି ବର୍ଷ ଭିତରେ ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ସଫଳତା ପାଇଥିଲେ ବି ରାଜ୍ୟର କୌଣସି ବନ୍ଦରରୁ ମତ୍ସ୍ୟ ରପ୍ତାନି ସୁବିଧା ନଥିବାରୁ ଆନ୍ଧ୍ର ପ୍ରଦେଶକୁ ଯାଇ ରପ୍ତାନି କରିବାରେ ଚାଷୀ ଓ ବ୍ୟବସାୟୀଙ୍କୁୁ ବହୁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ସେହିପରି ବିହାର, ୟୁପି ଓ ଆନ୍ଧ୍ର ପ୍ରଦେଶ ତୁଳନାରେ ରାଜ୍ୟର ମତ୍ସ୍ୟ ଉତ୍ପାଦନ ଉତ୍ସାହଜନକ ନୁହେଁ ବୋଲି ପ୍ରସ୍ତାବିତ ଚିଠା ନୀତିରେ ଦର୍ଶାଯାଇଛି।

‘କାଳିଆ’ ଯୋଜନାକୁ ଆହୁରି ୫ ବର୍ଷ ପର୍ଯ୍ୟନ୍ତ ଲାଗୁ କରାଯିବାକୁ ଚିଠା କୃଷି ନୀତିରେ ପ୍ରସ୍ତାବ ରଖାଯାଇଛି। ଏହାସହିତ ମହିଳା ଚାଷୀଙ୍କ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଏହି ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କ ପାଇଁ ବୀମା ସୁବିଧା ସରକାର ଯୋଗାଇଦେବେ। ପ୍ରସ୍ତାବିତ ଚିଠା ନୀତି ଅନୁଯାୟୀ ୧୮ରୁ ୫୦ ବର୍ଷ ବୟସର ଚାଷୀଙ୍କ ପାଇଁ ୨ ଲକ୍ଷ ଟଙ୍କାର ଜୀବନବୀମା ସୁବିଧା ସୁଲଭ ପ୍ରମିୟମରେ ମିଳିବ। ଏବାବଦକୁ ସରକାର ପ୍ରିମିୟର କିଛି ଅଂଶ ପ୍ରଦାନ କରିବେ। ଏହାସହିତ ଏହିବର୍ଷ ବୟସର ଚାଷୀଙ୍କ ବ୍ୟାଙ୍କ ସଞ୍ଚୟ ଖାତା ଉପରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ଦୁର୍ଘଟଣା ବୀମା ସୁବିଧା ବି ଉପଲବ୍ଧ କରାଯିବ। ୫୧ ବର୍ଷରୁ ୭୦ ବର୍ଷ ବୟସ୍କ ଚାଷୀଙ୍କ ଜୀବନବୀମା ପ୍ରିମିୟମ ଅର୍ଥ ସରକାର ସମ୍ପୂର୍ଣ୍ଣ ବହନ କରିବାକୁ ପ୍ରସ୍ତାବ ରହିଛି।

ତେବେ ‘କାଳିଆ’ ଯୋଜନାରେ ସହାୟତା ପାଉଥିବା ଚାଷୀ ସେଇ ଅର୍ଥକୁ ଚାଷ କାର୍ଯ୍ୟରେ ବିନିଯୋଗ କରୁଛି କି ନାହିଁ ସେ ନେଇ ଅନୁଧ୍ୟାନ କରିବା ପାଇଁ ଏକ ଦଳ ଗଠନ କରାଯିବ। ଏହାସହିତ କାଳିଆ ସହାୟତାରେ ଚାଷରେ ଉନ୍ନତି ଆଣିଥିବା ଚାଷୀଙ୍କୁ ସରକାର ପୁରସ୍କୃତ କରିବାକୁ ପ୍ରସ୍ତାବ ରହିଛି। ମହିଳା ଚାଷୀଙ୍କୁ ସରକାର ଗୁରୁତ୍ବ ଦେଇଆସିଛନ୍ତି। ଏବେସୁଦ୍ଧା ରାଜ୍ୟରେ ମୋଟ ଶ୍ରମିକମାନଙ୍କ ଭିତରୁ ୪୮% ମହିଳା ଶ୍ରମିକ। ସେମାନଙ୍କ ଆର୍ଥିକ ବିକାଶକୁ ଗୁରୁତ୍ବ ଦେଇ ସରକାର ଚିଠା ପ୍ରସ୍ତାବରେ ବହୁ କଲ୍ୟାଣମୂଳକ ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି। ରାଜ୍ୟରେ ଭୂମିହୀନ ମହିଳା କୃଷି ଶ୍ରମିକଙ୍କ ସଂଖ୍ୟା ୫ ଲକ୍ଷ। ସେମାନଙ୍କ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ନୂଆ ଚିଠା ନୀତିରେ ବ୍ୟବସ୍ଥା କରାଯାଇଛି। ମହିଳା ଚାଷୀଙ୍କ ଉତ୍ପାଦର ବିକ୍ରିବଟା ପାଇଁ ବଜାର ସୁବିଧା କରିବାକୁ ସରକାରଙ୍କ ନୂଆ କୃଷି ନୀତିରେ ବ୍ୟବସ୍ଥା କରାଯିବା ସହ ମହିଳା ଚାଷୀଙ୍କୁ ତାଲିମ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ଅଧିକରୁ ଅଧିକ ଉଦ୍ୟାନ କୃଷି ଓ ପଶୁ ପାଳନ ଯୋଜନାରେ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।