ଆଗେଇ ପାରୁନି ଚାଷ କାମ, ହାତବାନ୍ଧି ବସିଛି ଚାଷୀ

ଭଦ୍ରକ: ଅଖି ତୃତୀୟା ଗଲାଣି। ଜିଲ୍ଲାରେ ଚାଷ କାମ ଯେଭଳି ଭାବେ ଆଗକୁ ଯିବା କଥା ତାହା ହୋଇପାରୁ ନାହିଁ। କାରୋନା କଟକଣା ଓ ଲକ୍ ଡାଉନ୍ ପାଇଁ କେହି ଘରୁ ବା ହାରକୁ ବାହାରୁ ନଥିଲେ। ଏବେ ଲକ୍ ଡାଉନ୍ କଟକଣା କୋହଳ ହେବା ପରେ ଚାଷ କାମ କରାଯିବା ନେଇ ସରକାର ନିର୍ଦ୍ଦେଶ ଦେଲେ। ମାତ୍ର ଚାଷୀ ପାଖରେ ବିହନ ନଥିବାରୁ ସେ ବୁଣା କାମ ଆରମ୍ଭ କରିପାରୁ ନାହିଁ। କେବଳ ସରକାରୀ ବିହନ ସମସ୍ୟା ନୁହେଁ। ଲକ୍ ଡାଉନ୍ କଟକଣା ଉଠିବା ପରେ ଜିଲ୍ଲାରେ ପ୍ରତି ଦିନ କାଳ ବୈଶାଖି ବର୍ଷା ଲାଗି ରହିଛି।

ବିଲରେ ପାଣି ଠିଆ ହୋଇଛି। କାଳ ବୈଶାଖି ବର୍ଷାରେ ଜିଲ୍ଲାରେ ଅଧିକାଂଶ ପରିବା ଚାଷୀଙ୍କର ପରିବା ଚାଷ ନଷ୍ଟ ‌ ହୋଇଛି। ସେହିପରି ଚଳିତ ଖରିଫ୍ ଚାଷ ପାଇଁ କ୍ଷେତ ପ୍ରସ୍ତୁତି କାମ ମଧ୍ୟ ଆରମ୍ଭ କରାଯାଇ ପାରୁ ନାହିଁ। ବିଲକୁ ହଳ ଲଙ୍ଗଳ ବାହାରି ନାହିଁ। ଅଧିକାଂଶ ଚାଷୀ ଏବେ ଟ୍ରାକ୍ଟରରେ ହଳ କରୁଥିବା ବେଳେ ବିଲରେ ବର୍ଷା ପାଣି ଠିଆ ହୋଇ ରହିଥିବାରୁ ବିଲକୁ ଟ୍ରାକ୍ଟର ଯାଇ ପାରୁ ନାହିଁ। ଧାନ ବୁଣା କାମ ପ୍ରତିବର୍ଷ ଅଖି ତୃତୀୟାଠାରୁ ଆରମ୍ଭ ହୁଏ। ଏବର୍ଷ ତାହା ସମ୍ଭବ ହେଲା ନାହିଁ। ତେଣୁ ଲୋକେ ତଳି ପକା ଉପରେ ଅଧିକ ନିର୍ଭର କରିବେ। ଅନ୍ୟପକ୍ଷରେ ଜିଲ୍ଲାରେ ଅଖିମୁଠି ଅନୁକୂଳ ହୋଇଥିଲେ ମଧ୍ୟ କୃଷି ବିଭାଗ ଗୋଟିଏ ବସ୍ତା ସରକାରୀ ଧାନ ବିହନ ଚାଷୀଙ୍କୁ ଯୋଗାଇ ପାରି ନାହିଁ। ।

ଜିଲ୍ଲା କୃଷି ବିଭାଗର ଅଧିକାରୀ କିରଣ କୁମାର ପରିଡାଙ୍କ ତଥ୍ୟ କହୁଛି, ଜିଲ୍ଲାରେ ଚଳିତ ବର୍ଷ ୧ ଲକ୍ଷ ୭୪ ହଜାର ହେକ୍ଟର ଚାଷ ଜମିରେ ଖରିଫ ଧାନ ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଇ ଲକ୍ଷ୍ୟ ନେଇ ସରକାର କୃଷି ବିଭାଗ ମାଧ୍ୟମରେ ପ୍ରତିବର୍ଷ ୫ ହଜାରରୁ ୬ ହଜାର କୁଇଣ୍ଟାଲର ଉନ୍ନତମାନର ସରକାରୀ ବିହନ କୃଷକମାନଙ୍କୁ ଯୋଗାଇ ଦେଇଥାଏ।

ରାଜ୍ୟ ବିହନ ନିଗମ ଏଇ ବିହନକୁ ଜିଲ୍ଲା ବିହନ ନିଗମର ପଣ୍ୟଗାରକୁ ଏଇ ବିହନ ମାର୍ଚ୍ଚ ମାସ ସୁଦ୍ଧା ଯୋଗାଇ ଦେଇଥାନ୍ତି। ମାତ୍ର ମାର୍ଚ୍ଚ ମାସରେ କରୋନା କଟକଣା ଓ ଜିଲ୍ଲାରେ ଲକ୍ ଡାଉନ୍ ଯୋଗୁଁ ସରକାରୀ ବିହନ ଆସି ନଥିବାରୁ ଚାଷୀଙ୍କୁ ବିହନ ଯୋଗାଣ ହୋଇ ପରି ନାହିଁ ବୋଲି ଜିଲ୍ଲା କୃଷି ଅଧିକାରୀ ଶ୍ରୀ ପରିଡା ସମ୍ବାଦକୁ କହିଛନ୍ତି। ଚଳିତ ବର୍ଷ ୭ ହଜାର କୁଇଣ୍ଟାଲ ଧାନ ବିହନ ଚାଷୀଙ୍କୁ କୃଷି ବିଭାଗ ମାଧ୍ୟରେ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି।

ଏପ୍ରିଲ୍ ମାସ ଶେଷ ବେଳକୁ କୃଷି ବିଭାଗକୁ ବିହନ ଆସିଯିବାର ଥିଲା। ଏବେ ମେ ମାସ ଚାଲିଲାଣି। ତଥାପି ସରକାରୀ ବିହନ ଆସି ନାହିଁ। ଚଳିତ ବର୍ଷ ପାଇଁ କୃଷକମାନଙ୍କୁ ସରକାରୀ ବିହନ ମାଗଣାରେ ଯୋଗାଇ ଦିଆଯାଉ ବୋଲି ଜିଲ୍ଲାର କୃଷକ ନେତା ଚନ୍ଦ୍ରଶେଖର ନାୟକ, ତ୍ରିଲୋଚନ ପଣ୍ଡା, ହୃଦାନନ୍ଦ ରାଉତ, ସୀତାକାନ୍ତ ସାହୁ ପ୍ରମୁଖ ଦାବି କରିଛନ୍ତି। ବିନା ସୁଧରେ ସମବାୟ ବ୍ୟାଙ୍କରୁ କୃଷି ଋଣ ଯୋଗାଇ ଦେବାକୁ ଦାବି କରିଛନ୍ତି। ସେହିପରି କିଛି ଚାଷୀ ମଧ୍ୟ ପୁରୁଣା କୃଷି ଋଣ ଛାଡ କରିବାକୁ ଦାବି କରିଛନ୍ତି। ଋଣ ଛାଡ ନକଲେ ଚାଷୀ ଏଥର କିଭଳି ଚାଷ କରିବ ବୋଲି ଅଧିକାଂଶ ଚାଷୀ ପ୍ରଶ୍ନ ଉଠାଇଛନ୍ତି। କୃଷକମାନଙ୍କ ସ୍ବାର୍ଥ ରକ୍ଷା ଦିଗରେ ସରକାର ଆଗକୁ କଣ ପଦକ୍ଷେପ ନେବେ ତାହା ଉପରେ ଚାଷୀଙ୍କ ଭାଗ୍ୟ ନିର୍ଭର କରୁଛି।

ସମ୍ବନ୍ଧିତ ଖବର