ବିପଦ‌ରେ ‘ଦକ୍ଷତା’ : ମୋବାଇଲ ବର୍ଜନ କରିବେ କୃଷି କର୍ମଚାରୀ

ଭୁବନେଶ୍ୱର : କୃଷି ବିଭାଗର ‘ଦକ୍ଷତା’ କାର୍ଯ୍ୟକ୍ରମ ପ୍ରତି ବିପଦ ଦେଖାଦେଇଛି। ଏହି ଯୋଜନା ମୋବାଇଲ ଆପ୍‌ ଜରିଆରେ କାର୍ଯ୍ୟକ୍ଷମ ହେଉଥିବାରୁ ସମସ୍ତ କର୍ମଚାରୀ ନିଜର ଆଣ୍ଡ୍ରଏଡ୍‌ ମୋବାଇଲ ବ୍ୟବହାର କରୁଛନ୍ତି। ଦରମା ୧୨ହଜାର ପାଉଥିବା ବେଳେ ଏହି ଆପ୍‌ରେ କାମ କରିବା ପାଇଁ ୨୦ ହଜାର ଟଙ୍କାର ମୋବାଇଲ କିଣିବାକୁ ବାଧ୍ୟ ହେଉଛନ୍ତି। ବିଭିନ୍ନ ସମୟରେ ମରାମତି ପାଇଁ ମଧ୍ୟ ଏଥିରେ ଖର୍ଚ୍ଚ କରିବାକୁ ହେଉଛି। କରୋନା ସଙ୍କଟରେ ଏହା ସେମାନଙ୍କୁ ଆର୍ଥିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଆଗାମୀ ଦିନରେ ମୋବାଇଲ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି ଗ୍ରାମ୍ୟ କୃଷି କର୍ମଚାରୀ ସଂଘ। ଏଣୁ ଏହି ଯୋଜନା ପ୍ରତି ବିପଦ ଥିବା ଆଶଙ୍କା କରାଯାଉଛି।

ସଂଘର ସାଧାରଣ ସମ୍ପାଦକ ଅମୟ କୁମାର ରାଉତ ଏକ ପ୍ରେସ୍‌ ବିବୃତିରେ ଅଭିଯୋଗ କରିଛନ୍ତ, ୨୫ବର୍ଷ ଚାକିରି କାଳରେ ପଦୋନ୍ନତି ନ ମିଳିବା ସହ ଅନ୍ୟାନ୍ୟ ହକ୍‌ ପୂରଣ ହେଉନାହିଁ। ଏ ନେଇ ବାରମ୍ବାର ଆନ୍ଦୋଳନ ହେବା ସହ ପ୍ରତିଶ୍ରୁତି ମିଳିଛି। ଏବେ ଏହି ଦକ୍ଷତା ଆପ୍‌ରେ କାମ କରିବାକୁ ଦାମୀ ମୋବାଇଲ କିଣିବା ଅନେକ କର୍ମଚାରୀଙ୍କ ପାଇଁ ସମ୍ଭବ ହେଉନାହିଁ। ଏଣୁ ଅସେନ୍ତାଷ ବୃଦ୍ଧି ପାଇଛି। ଉପସଭାପତି ତୁଷାରକାନ୍ତି ମହାନ୍ତି କହିଛନ୍ତି, କୌତୂହଳପ୍ରଦ ହେଉଛି, ମୋବାଇଲ ପରିଚାଳନାରେ ଜ୍ଞାନ କମ୍‌ ଥିବା କେତେକ କର୍ମଚାରୀମାନେ କାଳିଆ ଓ ପ୍ରଧାନମନ୍ତ୍ରୀଙ୍କ କିଷାନ ନିଧି ଯୋଜନା କାର୍ଯ୍ୟ ପାଇଁ ଶିକ୍ଷିତ ଯୁବକଙ୍କ ଜରିଆରେ ମାସିକ ଦରମା ଦେଇ କାର୍ଯ୍ୟ କରାଇ ଆସୁଛନ୍ତି। ଯେଉଁ କାମ କମ୍ପ୍ୟୁଟର୍‌ରେ କରିବା କାଠିକର ପାଠ ହେଉଛି, ତାହାକୁ ମୋବାଇଲରେ କରିବା ପାଇଁ ବାଧ୍ୟ କରାଯାଉଛି। ଏଣୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାରେ କର୍ମଚାରୀମାନେ ଜଟିଳ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି।

ସୂଚନାଯୋଗ୍ୟ, ୨୦୨୦ ମେ’ ମାସର ହିସାବ ଅନୁସାରେ, ମୋଟ କୃଷି ଓଭରସିୟର ପଦ ୧୫୬୮ ମଧ୍ୟରୁ ୪୨୦ ଅର୍ଥାତ ଏକ ଚତୁର୍ଥାଂଶ ପଦ ଖାଲି ରହିଛି। ସଂଘର ଦାବି ସତ୍ତ୍ୱେ ପଦୋନ୍ନତି ଦିଆଯାଉନାହିଁ। ୧୯୮୧ ମସିହାରେ ୪୦% କୃଷି ଓଭରସିୟର କୃଷି ଅଧିକାରୀ ଭାବେ ପଦୋନ୍ନତି ପାଉଥିବା ବେଳେ ପରବର୍ତ୍ତୀ ସମୟରେ ୨୦%, ୨୦୧୨ ମସିହାରେ ୫% ପଦୋନ୍ନତି ମିଳିବା ବ୍ୟବସ୍ଥା ଥିଲେ ମଧ୍ୟ କାର୍ଯ୍ୟକାରୀ ହେଉ ନାହିଁ। ଏଭଳି ସ୍ଥିତିରେ ଦକ୍ଷତା ଯୋଜନା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ପଦର ନାମ ପରିବର୍ତ୍ତନ, ଗ୍ରାମ୍ୟ କୃଷି କର୍ମଚାରୀ ଓ କୃଷି ଓଭରସିୟର ପଦକୁ ସାରା ରାଜ୍ୟରେ ସମାନୁପାତିକ ବଣ୍ଟନ କରିବା ପ୍ରଭୃତି ଦାବିଗୁଡ଼ିକୁ ବିଭାଗୀୟ ନିର୍ଦେଶକ ଓ ସଚିବଙ୍କ ପ୍ରତିଶ୍ରୁତି ସତ୍ତ୍ଵେ କାର୍ଯ୍ୟକାରୀ ହେଉନଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର