ଭୁବନେଶ୍ବର : ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ରେ ଓଡ଼ିଶାେର କୃଷି ଋଣ ପାଇଁ ସମୁଦାୟ ୪୧,୩୨୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା। ତାହା ମଧ୍ୟରୁ ପ୍ରଥମ ୯ ମାସରେ ଅର୍ଥାତ ୨୦୧୯ ଡିସେମ୍ବର ୩୧ ତାରିଖ ସୁଦ୍ଧା ୧୮,୮୭୧.୨୭ କୋଟି ଟଙ୍କା କୃଷି ଋଣ ପ୍ରଦାନ କରାଯାଇଛି। ଏହା ଧାର୍ଯ୍ୟ ରାଶିର ୪୫.୬୭%।
ବିଧାନସଭାରେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ତଥ୍ୟ ଦେଇଛନ୍ତି। ଘରୋଇ ବ୍ୟାଙ୍କଗୁଡ଼ିକର ଋଣ ପ୍ରଦାନ ହାର ସମ୍ପୂର୍ଣ୍ଣ ନୈରାଶ୍ୟଜନକ ରହିଛି। ଘରୋଇ ବ୍ୟାଙ୍କଗୁଡ଼ିକ ୩୭୭୮.୦୨ କୋଟି ଟଙ୍କା ଋଣ ଦେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ବେଳେ ୯ ମାସରେ ଦେଇଛନ୍ତି ମାତ୍ର ୧୨୧୭.୫୭ କୋଟି ଅର୍ଥାତ ୩୨.୨୩%। ସେହିପରି ପବ୍ଲିକ୍ ସେକ୍ଟର୍ ବ୍ୟାଙ୍କ୍ଗୁଡ଼ିକର ଋଣ ପ୍ରଦାନ ମଧ୍ୟ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଯଥେଷ୍ଟ ପଛରେ ରହିଛି। ଏହି ବ୍ୟାଙ୍କଗୁଡ଼ିକ ଧାର୍ଯ୍ୟ ଲକ୍ଷ୍ୟର ୩୫.୮୭ ପ୍ରତିଶତ ଋଣ ଦେଇଛନ୍ତି। ଋଣ ପ୍ରଦାନରେ ଛୋଟ ଛୋଟ ଆର୍ଥିକ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କ ଆଗରେ ରହିଛନ୍ତି। ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକର ମଧ୍ୟ ଋଣ ପ୍ରଦାନ ହାର ଉତ୍ସାହଜନକ ରହିଛି।
ବ୍ୟାଙ୍କଗୁଡ଼ିକର ନୈରାଶ୍ୟଜନକ ସହଯୋଗ ଦୃଷ୍ଟିରୁ ସରକାରଙ୍କ ପ୍ରତିକାଳମୂଳକ ପଦକ୍ଷେପ ସମ୍ପର୍କରେ ଶ୍ରୀ ପଟ୍ଟନାୟକ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, କୃଷି ଋଣ କିପରି ଅଧିକରୁ ଅଧିକ ଆବଣ୍ଟିତ ହୋଇପାରିବ ସେଥି ପାଇଁ ସରକାର ସଚେତନ ଅଛନ୍ତି। ନିୟମିତ ଭାବେ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି(ଏସ୍ଏଲ୍ବିସି) ଏବଂ ଏହାର କୃଷି ସବ୍ କମିଟିରେ ସମସ୍ତ ସଦସ୍ୟ ତଥା ବ୍ୟାଙ୍କଗୁଡ଼ିକର ଆଞ୍ଚଳିକ ମୁଖ୍ୟମାନଙ୍କୁ ଡକାଯାଇ କୃଷି ଋଣ ପ୍ରଦାନ କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟାକୁ ବିଶ୍ଳେଷଣ କରାଯାଇ ସମାଧାନ ଦିଗରେ ପଦକ୍ଷେପ ନିଆଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/loan.jpeg)