ଢିପ ଜମିରେ ଉତ୍ପାଦନ ବଢ଼ିବ

ଆରମ୍ଭ ହେଲା କୃଷି ଉତ୍ପାଦନ କ୍ଲଷ୍ଟର୍ ଯୋଜନା, ଲକ୍ଷେ ଚାଷୀଙ୍କ ଆୟ ସ୍ଥାୟୀ ଭାବେ ବୃଦ୍ଧି ହେବ

ଭୁବନେଶ୍ବର : ରାଜ୍ୟରେ କୃଷି ଉତ୍ପାଦନ କ୍ଲଷ୍ଟର୍ ଯୋଜନା ଆରମ୍ଭ ହୋଇଛି। ଢିପ ଜମି ଥିବା ଅଞ୍ଚଳରେ ଏହି କ୍ଲଷ୍ଟର୍ ନିର୍ମାଣ ହେବ। ଏହି ଯୋଜନାରେ ଆସନ୍ତା ୪ ବର୍ଷ ମଧ୍ୟରେ ଢିପ ଜମି ଥିବା ଜନଜାତି ବହୁଳ ୧୨ଟି ଜିଲ୍ଲାର ୪୦ଟି ପଛୁ୍ଆ ବ୍ଲକ୍‌ରେ କ୍ଲଷ୍ଟର୍ ପ୍ରତିଷ୍ଠା କରାଯାଇ ପ୍ରାୟ ୧ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଆୟକୁ ସ୍ଥାୟୀ ଭାବେ ବୃଦ୍ଧି କରାଯିବ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଆରମ୍ଭ ହେଉଥିବା ଏହି ଯୋଜନା ପାଇଁ ଆବଶ୍ୟକ ଅର୍ଥ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ଅଧୀନରେ ଥିବା ଓଡ଼ିଶା ଜୀବିକା ମିସନ୍, ଆପିକଲ୍, ଭାରତ ରୁରାଲ୍ ଲାଇଭ୍‌ଲିହୁଡ୍‌ ଫାଉ‌େଣ୍ଡସନ୍ ଯୋଗାଇ ଦେବେ। ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, ଜୀବିକା ମିସନ୍, ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ଉଠା ଜଳସେଚନ ନିଗମ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବିଭାଗରେ ଉପଲବ୍ଧ ଥିବା ଯୋଜନାଗୁଡ଼ିକୁ ଏହି ଅଞ୍ଚଳରେ ଆବଶ୍ୟକ ଜୀବିକା ଭିତ୍ତିଭୂମି ପ୍ରତିଷ୍ଠା ନିମନ୍ତେ ସହଯୋଗ କରାଯିବ।

ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଜନାର ଶୁଭାରମ୍ଭ କରିଥିଲେ। କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ଉଦ୍ୟାନ କୃଷି ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ, ରାଜ୍ୟ ଜୀବିକା ମିସନ୍‌ର ନିର୍ଦ୍ଦେଶକ ଏସ୍ ଆର୍ ପ୍ରଧାନ, ଭାରତ ରୁରାଲ୍ ଲାଇଭ୍‌ଲିହୁଡ୍‌ ଫାଉ‌େଣ୍ଡସନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମଥେଶ ଆମ୍‌ବାସ୍ଥା, ସ୍ବେଚ୍ଛାସେବୀ ସଂସ୍ଥା ‘ପ୍ରଦାନ’ର ନିର୍ବାହୀ ନିର୍ଦ୍ଦେଶକ ଡି ନରେନ୍ଦ୍ରନାଥ ପ୍ରମୁଖ ଉପସ୍ଥିତ ଥିଲେ। ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ୩୦୦ ଜଣ ଚାଷୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଏହି ଯୋଜନାରେ ୧୫୦ ଜଣ ଚାଷୀଙ୍କୁ ନେଇ ଉତ୍ପାଦକ ଗୋଷ୍ଠୀ ଗଠନ କରାଯିବ ଏବଂ ଏମାନଙ୍କୁ ବଜାର ଅନୁବନ୍ଧିତ ଭିତ୍ତିରେ ବଛାଯିବ। ୪୦ ଏକର ପରିମିତ ଜମିରେ ମୁଖ୍ୟତଃ ଉଦ୍ୟାନ କୃଷି ଭିତ୍ତିକ ଫସଲ ଚାଷ କରିବାକୁ ସୁବିଧା ପ୍ରଦାନ କରାଯିବ। ଏହି ଉତ୍ପାଦକ ଗୋଷ୍ଠୀଗୁଡ଼ିକରେ ୪୦୦୦-୫୦୦୦ ଚାଷୀଙ୍କୁ ନେଇ କୃଷି ଉତ୍ପାଦନ କ୍ଲଷ୍ଟର୍ ବା ଉତ୍ପାଦକ କମ୍ପାନି ନିର୍ଦ୍ଦିଷ୍ଟ ସ୍ତରରେ ପ୍ରତିଷ୍ଠା କରାଯିବ। ରାଜ୍ୟରେ ୪୦ଟି ବ୍ଲକ୍‌ରେ ୬୫୦ଟି ଉତ୍ପାଦକ ଗୋଷ୍ଠୀ ମାଧ୍ୟମରେ ୧ ଲକ୍ଷ ଚାଷୀଙ୍କୁ ନେଇ ୩୦ଟି ଉତ୍ପାଦକ କମ୍ପାନି ପ୍ରତିଷ୍ଠା କରାଯିବ। ସେହିପରି ୭୫୦ ଜଣ ବଜାର ସଂଯୋଗକାରୀ କୃଷି ଉଦ୍ୟୋଗୀଙ୍କୁ ସୃଷ୍ଟି କରି ଏହି ଅଞ୍ଚଳରେ ମୂଲ୍ୟ ଶୃଙ୍ଖଳ ସହାୟକ ଭାବେ ଅବସ୍ଥାପିତ କରାଯିବ। ଚିରସ୍ଥାୟୀ ହିସାବରେ ପ୍ରାୟ ୪୦ ପ୍ରତିଶତ ଜମିରେ ବିନା କୀଟନାଶକ ଫସଲ ପରିଚାଳନା ପଦ୍ଧତ୍ତି ଆରମ୍ଭ କରାଯିବ।

ଏଥି ସହିତ ଚାଷୀମାନଙ୍କ ଜୀବିକା ବୃଦ୍ଧି ପାଇଁ କ୍ଲଷ୍ଟର୍‌ଗୁଡ଼ିକର ୪୦ ହଜାର ପରିବାରକୁ ଛେଳି, ମେଣ୍ଢା ଓ କୁକୁଡ଼ା ପାଳନ ପାଇଁ ସହାୟତା ପ୍ରଦାନ କରାଯିବ। ଏହା ବାଦ୍ ଏହି ଅଞ୍ଚଳରେ ନିର୍ଦ୍ଦିଷ୍ଟ କୃଷି ଉତ୍ପାଦନର ବିକ୍ରିବଟା ପାଇଁ ବଜାର ପ୍ରଶସ୍ତ କରାଯିବ। ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ୧୬ ହଜାର ଏକର ଜମିରେ ଜଳସେଚନ, ୪୦୦୦ ଏକର ଜମିରେ ଫଳଚାଷ, ୭୦୦୦ ଚାଷୀଙ୍କୁ କୃଷି ଯନ୍ତ୍ରର ସୁବିଧା ଓ ପ୍ରାୟ ୩୦ ହଜାର ଚାଷୀଙ୍କୁ ଛେଳି, ମେଣ୍ଢା ଓ କୁକୁଡ଼ା ପାଳନ ପାଇଁ ସରକାରଙ୍କ ପ୍ରଚଳିତ କାର୍ଯ୍ୟକ୍ରମ ମାଧ୍ୟମରେ ସୁବିଧା ପ୍ରଦାନ କରାଯିବ। ଭାରତ ରୁରାଲ୍ ଲାଇଭ୍‌ଲିହୁଡ୍‌ ଫାଉ‌େଣ୍ଡସନ୍ ଓ ଏହାର ସହାୟକ ସ୍ବେଚ୍ଛାସେବୀ ସଂସ୍ଥା ପ୍ରଦାନ ସହାୟତାରେ ବ୍ଲକ୍ ଓ ଜିଲ୍ଲା ସ୍ତରରେ କୃଷି ବୈଷୟିକ ପରିଚାଳନା ସଂସ୍ଥା(ଆତ୍ମା) ସହଯୋଗରେ ଗୋଷ୍ଠୀ ଜାଗରଣ, ଉତ୍ପାଦକ ଅନୁଷ୍ଠାନଗୁଡ଼ିକର ସୁଦୃଢ଼ୀକରଣ ତଥା ବିଭାଗୀୟ ଯୋଜନା କାର୍ଯ୍ୟ କରିବାରେ ସହାୟତା କରିବ।

ଏହି ଯୋଜନା ପାଇଁ ୪୦୧.୬୦ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି। ତାହା ମଧ୍ୟରୁ ଓଡ଼ିଶା ଜୀବିକା ମିସନ୍‌ ୭୦.୦୬ କୋଟି ଟଙ୍କା, ଆପିକଲ୍‌ ୧୭.୮୦ କୋଟି ଟଙ୍କା, ବିଆର୍‌ଏଲ୍‌ଏଫ୍‌ ଓ ଏହାର ସହଯୋଗୀ ସଂସ୍ଥା ୨୦.୩୪ କୋଟି ଏବଂ ରାଜ୍ୟର କୃଷି ଓ ଆନୁଷଙ୍ଗିକ ବିଭାଗଗୁଡ଼ିକ ପ୍ରାୟ ୨୯୩.୪୦ କୋଟି ଟଙ୍କା ସେମାନଙ୍କ ପ୍ରଚଳିତ ଯୋଜନାଗୁଡ଼ିକ ମାଧ୍ୟମରେ ଯୋଗାଇଦେବେ।

ସମ୍ବନ୍ଧିତ ଖବର