ଭୁବନେଶ୍ୱର : ଦେଶରେ ଥିବା ୧୩୦ଟି କୃଷି ଜଳବାୟୁ ଜୋନ୍‌ରେ ୧୩୦ଟି ଆଗ୍ରୋ-ଫାର୍ମିଂ ୟୁନିଟ୍‌(ଏଏଫ୍‌ୟୁ) କାର୍ଯ୍ୟକାରୀ ହେଉଛି। ଫଳରେ ଚାଷୀମାନଙ୍କୁ ପାଣିପାଗ ସମ୍ପର୍କିତ ସୂଚନା ଶୀଘ୍ର ପ୍ରଦାନ କରାଯାଇ ପାରୁଛି। ଏହି ବ୍ୟବସ୍ଥାକୁ ବ୍ୟପକ କରିବା ସହ ଜିଲ୍ଲାସ୍ତରରେ ଚାଷୀଙ୍କୁ ଉପଦେଶ ଦେବା ଲାଗି ଡିଷ୍ଟ୍ରିକ୍ଟ ଆଗ୍ରୋମେଟ୍‌ ୟୁନିଟ୍‌(ଡିଏୟୁ) ପ୍ରତିଷ୍ଠା କରାଯିବ। ୨୦୨୨ ସୁଦ୍ଧା ଓଡ଼ିଶାର ୩୧ଟି କୃଷି ବିଜ୍ଞାନ କେନ୍ଦ୍ର ତଥା ପ୍ରତି ଜିଲ୍ଲାରେ ଡିଏୟୁ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ୪ଟି ପ୍ରତିଷ୍ଠା ହେବ। ଏଥିସହ ୨୦୧୮-୧୯ ଆର୍ଥିକ ବର୍ଷରେ ଆଉ ୧୦ଟି ଜିଲ୍ଲାରେ ଏହି ୟୁନିଟ୍‌ କରିବା ଦିଗରେ ପଦକ୍ଷେପ ନିଆଯିବ। ଏବେ ଜିଲ୍ଲାସ୍ତରରେ ପାଣିପାଗ ସମ୍ପର୍କିତ ପୂର୍ବାନୁମାନ କରାଯାଉଥିଲେ ମଧ୍ୟ ଉପଦେଶ ଦିଆଯାଇପାରୁନି। ପ୍ରତି ୟୁନିଟ୍‌ରେ ଜଣେ ବୈଜ୍ଞାନିକଙ୍କୁ ନିଯୁକ୍ତି ଦିଆଯିବ। ଏହାଦ୍ୱାରା ସଠିକ୍‌ ସମୟରେ ଉପଦେଶ ମିଳିପାରିବ ବୋଲି ନୂଆଦିଲ୍ଲୀସ୍ଥିତ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. କେ.ଜେ. ରମେଶ କହିଛନ୍ତି।

Advertisment

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ରୁ ସମ୍ମାନସୂଚକ ଡକ୍ଟରେଟ୍‌ ଗ୍ରହଣ କରିବା ଅବସରରେ ଆଜି ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେଇ ସେ ଏହା କହିଛନ୍ତି। ଡ. ରମେଶ କହିଲେ, ଜଳବାୟୁ ପରିବର୍ତନ ସାରା ବିଶ୍ୱ ଲାଗି ଏବେ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଜନସଂଖ୍ୟା ଓ ଶିଳ୍ପ ସଂସ୍ଥା ସଂଖ୍ୟା ବଢ଼ୁଥିବାରୁ ଜଳ ପରିଚାଳନା ଆହ୍ଵାନ ହୋଇଛି। ତାହାକୁ ଦୃଷ୍ଟିରେ ରଖି ଜଳର ସୁପରିଚାଳନା, ବର୍ଷା ଜଳକୁ ସଂରକ୍ଷଣ ରଖି ଭୂତଳ ଜଳର ମାତ୍ରା ବୃଦ୍ଧି କରିବାକୁ ହେବ। ବର୍ଷାର ଅନିୟମିତତା ଦେଖାଦେଉଥିବାରୁ ଶସ୍ୟ ଅନୁଯାୟୀ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ପାଣିପାଗ କ୍ୟାଲେଣ୍ଡର ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ଲୋକଙ୍କୁ ପାଣିପାଗ ସମ୍ପର୍କରେ ତୁରନ୍ତ ସୂଚନା ଦେବା ଲାଗି ଡପଲର୍‌ ରାଡାର ପ୍ରତିଷ୍ଠା ହେଉଛି। ପ୍ରାକୃତିକ ବିପର୍ଯ୍ୟୟ ଆସିବାର ବହୁ ପୂର୍ବରୁ ଜିଲ୍ଲା ଓ ବ୍ଲକସ୍ତରରେ ଯେପରି ସୂଚନା ପହଞ୍ଚିପାରିବ ସେ ଦିଗରେ ପଦକ୍ଷେପ ନିଆଯାଉଥିବା କହିଥିଲେ।

ସେ ଆହୁରି କହିଲେ, ଆଗାମୀ ଦିନରେ ଦେଶରେ ବର୍ଷା ଦିନ ସଂଖ୍ୟା କମିବ। ତେଣୁ ପ୍ରବଳ କିମ୍ବା ଅତିପ୍ରବଳ ବର୍ଷା ସଂଖ୍ୟା ବଢ଼ିବ। ଶୁଖିଲା ଦିନ ସଂଖ୍ୟା ଅଧିକ ରହିବ। ଗ୍ରୀଷ୍ମ ପ୍ରବହ ମଧ୍ୟ ବଢ଼ିବ। ତେଣୁ ଓୟୁଏଟିର ବୈଜ୍ଞାନିକ ଆବଶ୍ୟକ ଗବେଷଣା କରି ଉପଯୁକ୍ତ କିସମ, ବର୍ଷା ଜଳର ସଂରକ୍ଷଣ ଏବଂ ନୂତନ ରୋଗପୋକକୁ କିଭଳି ଦମନ କରିହେବ ସେଦିଗରେ ପଦକ୍ଷେପ ନେବାକୁ ସେ ବୈଜ୍ଞାନିକମାନଙ୍କୁ ଆହ୍ଵାନ ଦେଇଥିଲେ।

ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଲେ, ଜଳବାୟୁ ଏବଂ କୃଷି ବିଜ୍ଞାନ ଭାରତୀୟ ପରମ୍ପରାରେ ସର୍ବପୁରାତନ ବିଜ୍ଞାନ। ବର୍ତମାନ ପରିସ୍ଥିତିରେ ଜଳବାୟୁ ପରିବର୍ତନ କ୍ରମଶଃ ତୀବ୍ର ହେବାରେ ଲାଗିଛି। ଜଳବାୟୁ ଏବଂ କୃଷି କ୍ଷେତ୍ରରେ ଘଟୁଥିବା ଏହି ପରିବର୍ତନ କ୍ରମଶଃ ଶିଳ୍ପ ଏବଂ ଅନ୍ୟାନ୍ୟ ପ୍ରଗତିଶୀଳ ବ୍ୟବସ୍ଥାକୁ ପ୍ରଭାବିତ କରିବା ସହିତ ସମାଜରେ ଏକ ପରିବର୍ତନ ଆଣିପାରେ। ତେଣୁ ସହନଶୀଳ ବ୍ୟବସ୍ଥାର ବିକାଶ ନିତାନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଲଳିତ ମୋହନ ଗଡ଼ନାୟକ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ।