ବଲାଙ୍ଗୀର: ନବଜାତ ଶିଶୁପୁତ୍ରକୁ ନିଜେ ମା’ହତ୍ୟା କରିଥିବା ଅଭିଯୋଗ କରି ବଲାଙ୍ଗୀର ଟାଉନ ଥାନା ବିଜାଖମନ ଗାଁର ଜଣେ ମହିଳାଙ୍କୁ ଗ୍ରାମବାସୀ ଘେରିଥିଲେ। ପୁଲିସ ତଦନ୍ତ ପରେ ଅଭିଯୋଗ ମିଥ୍ୟା ପ୍ରମାଣିତ ହୋଇଛି।

Advertisment

ପ୍ରକାଶ ଯେ ନବଜାତ ଶିଶୁପୁତ୍ରକୁ ନିଜେ ମା’ ହତ୍ୟା କରିଥିବା ଅଭିଯୋଗ କରି ଉକ୍ତ ମହିଳାଙ୍କୁ ଗାଁ ଲୋକ ଘେରାଉ କରି ରଖିଥିଲେ। ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳକୁ ଆସି ମହିଳାଙ୍କୁ ଉଦ୍ଧାର କରିଥିଲା। ମହିଳାଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରିଥିଲା ପୁଲିସ। ଗତ ୨୫ ତାରିଖ ବିଜାଖମନ ଖେଳପଡ଼ିଆ ନିକଟରୁ କପଡ଼ାରେ ଘୋଡ଼ାହୋଇଥିବା ଅବସ୍ଥାରେ ଏକ ମୃତ ଶିଶୁପୁତ୍ରକୁ ଠାବ କରିଥିଲେ ଗାଁ ଲୋକେ। ପୁଲିସ ଶିଶୁର ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଥିଲା। ସେହି ଦିନଠାରୁ ଉକ୍ତ ମହିଳାଙ୍କୁ ଗାଁ ଲୋକେ ସନ୍ଦେହ କରୁଥିଲେ।

ସୋମବାର ଗାଁ ଲୋକେ ମହିଳାଙ୍କୁ ତାଙ୍କ ଘରେ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ମହିଳା ଜଣକ ବିଧବା ହୋଇଥିବା ବେଳେ ତାଙ୍କର ଦୁଇ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ତଥାପି ମହିଳାଙ୍କୁ କଣ ପାଇଁ ଗାଁ ଲୋକେ ସନ୍ଦେହ କଲେ ଜଣାପଡୁନାହିଁ। ଅନ୍ୟ ପୁରୁଷ ସହ ଅନୈତିକ ସଂପର୍କ ରଖି ମହିଳା ଜଣକ ଅନ୍ତଃସତ୍ତ୍ୱା ହେବା ପରେ ଲୋକଲଜ୍ଜା ଭୟରେ ଜନ୍ମିତ ପୁଅକୁ ମାରି ଫିଙ୍ଗି ଦେଇଥିବା ଗାଁ ଲୋକେ ସନ୍ଦେହ କରୁଛନ୍ତି। ଅନ୍ୟପଟେ ପୁଲିସ ସବୁ ଘଟଣା ତଦନ୍ତ ପରେ ଏହା ମିଥ୍ୟା ଅଭିଯୋଗ ବୋଲି ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି। ମହିଳାଙ୍କୁ ପଚରାଉଚୁରା ପରେ ପୁଲିସ ଛାଡ଼ି ଦେଇଥିବା ସେ ପ୍ରକାଶ କରିଛନ୍ତି।