ଆସନ୍ତାକାଲି ରଥକୁ ବିଜେ ହେବ ଆଜ୍ଞାମାଳ

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ନେଇ ଆସନ୍ତାକାଲି ସୁପ୍ରିମ୍‌ କୋର୍ଟରେ ଶୁଣାଣି ହେବାକୁ ଥିବା ବେଳେ ଶ୍ରୀଜିଉମାନଙ୍କର ରଥକୁ ଆଜ୍ଞାମାଳ ବିଜେ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ରଥମାନଙ୍କରେ ଆଜ୍ଞାମାଳ ବିଜେ ହେବ ବୋଲି ଜଣାଯାଇଛି। ସେହିପରି ବିନା ଭକ୍ତରେ ରଥଯାତ୍ରା କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅନୁରୋଧ କରିଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ କମିଟିର ସଦସ୍ୟ କହିଛନ୍ତି, ଆସନ୍ତାକାଲି ରଥକୁ ଆଜ୍ଞାମାଳ ବିଜେ ନୀତି ପରଂପରା ମୁତାବକ ଅନୁଷ୍ଠିତ ହେବ।

କାଲି ସକାଳ ଧୂପ ପରେ ଆଜ୍ଞାମାଳ ବିଜେ ନୀତି ଆୟୋଜିତ ହେବ। ଆଜ୍ଞାମାଳ ଆସିବା ପରେ ରଥ ନଗଡ଼ିଲେ ନୀତି ବନ୍ଦ ହେବାର ଆଶଙ୍କା ରହିଛି। ତେଣୁ ରଥଯାତ୍ରା ଆୟୋଜନ ପାଇଁ ସରକାର ନିଜ ପକ୍ଷରୁ ଉଦ୍ୟମ କରନ୍ତୁ। କମିଟି ପକ୍ଷରୁ କୁହାଯାଇଛି ରଥଯାତ୍ରା ପାଇଁ ଛତିଶା ନିଯୋଗ ସମସ୍ତ ସହଯୋଗ କରିବ। ରଥଯାତ୍ରାର କୌଣସି ବିକଳ୍ପ ନାହିଁ। ତେଣୁ ଏଥିରେ ସରକାର ହସ୍ତଖେଫ କଲେ ଭଲ। ରାଜ୍ୟ ସରକାର ଚାହିଁଲେ ଅଧ୍ୟାଦେଶ ଆଣି ରଥଯାତ୍ରା କରିପାରିବେ। ସେହିପରି ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇପାରିବେ ବୋଲି କମିଟି ସଦସ୍ୟ କହିଛନ୍ତି।

ଅନ୍ୟପଟରେ ଦଇତାପତି ନିଯୋଗ କହିଛି, କୋଭିଡ୍‌ ନିୟମ ମାନି ରଥଯାତ୍ରା ହେଉ। ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ ଦୃଷ୍ଟିରେ ରଖି ରଥାଯାତ୍ରା କରାଯାଉ।

ସମ୍ବନ୍ଧିତ ଖବର