‘ଆହାର’ ପ୍ରହସନ, ପ୍ରତିଦିନ ପୋଖରୀରେ ଫିଙ୍ଗୁଛନ୍ତି ୫୦ରୁ ଅଧିକ ମିଲ୍

ତଦାରଖ ନାହିଁ, ସରକାରୀ ତହବିଲ୍‌ରୁ ଅର୍ଥ ବରବାଦ୍‌

ଚିକିଟି : ଗରିବ ଓ ଅସହାୟଙ୍କୁ ୫ ଟଙ୍କାରେ ଭାତଡାଲମା ଯୋଗାଇ ଦେବାକୁ ରାଜ୍ୟ ସରକାର ଖୋଲିଥିବା ‘ଆହାର’ କେନ୍ଦ୍ର କିଭଳି ଢଙ୍ଗରେ ପରିଚାଳିତ ହେଉଛି, ଏହାର ତଦାରଖ ପାଇଁ ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀମାନଙ୍କ ଚିନ୍ତା ନାହିଁ। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଚିକିଟି ଏନ୍‌ଏସିରେ। ଗୋଟିଏ ପଟେ ‌ଲୋକେ ମୁଠାଏ ଖାଇବାକୁ ସଂଘର୍ଷ କରୁଥିବା ଅନ୍ୟପଟେ ଏଠାରେ ଥିବା ଆହାର କେନ୍ଦ୍ରରୁ ପ୍ରତିଦିନ ୫୦ ଜଣଙ୍କ ମିଲ୍ ପୋଖରୀକୁ ନେଇ ମାଛଙ୍କ ପାଇଁ ଫୋପଡ଼ା ଯାଉଛି। ସରକାରୀ ତହବିଲ୍‌ରୁ ଏଭଳି ଅର୍ଥ ବରବାଦ୍‌ ହେଉଥିବା ଅନେକଙ୍କୁ ବ୍ୟଥିତ କରିଛି।

ପୂର୍ବରୁ ଏହି ଆହାର କେନ୍ଦ୍ର ଚିକିଟିପେଣ୍ଠ ବସ୍‌ଷ୍ଟାଣ୍ଡ୍‌ରେ ଥିଲା। ଦୈନିକ ୧୫୦ ଜଣଙ୍କ ପାଇଁ ବ୍ରହ୍ମପୁରରୁ ଭ୍ୟାନ୍‌ରେ ଖାଦ୍ୟ ଆସୁଥିଲା। ଚିକିଟିପେଣ୍ଠ ଏକ ବ୍ୟାବସାୟିକ ପେଣ୍ଠସ୍ଥଳୀ ହୋଇଥିବାରୁ ଖାଦ୍ୟ ସରିଯାଉଥିଲା। କିନ୍ତୁ ଖାଦ୍ୟ ପାତ୍ର ସଫାସୁତରା ଓ ଡ୍ରେନେଜ୍ ସମସ୍ୟା ସମେତ ବିଭିନ୍ନ ଅବ୍ୟବସ୍ଥାର ଆଳ ଦେଖାଇ ଏହି କେନ୍ଦ୍ରଟିକୁ ଚିକିଟିଗଡ଼ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ସଂଲଗ୍ନ ଏକ ଘରକୁ ଏନ୍‌ଏସି ପକ୍ଷରୁ ସ୍ଥାନାନ୍ତର କରିଦିଆଗଲା। ଜିଲ୍ଲାପାଳ ଓ ବିଧାୟିକା ଏହାକୁ ଉଦ୍‌ଘାଟନ କରିଥିଲେ। ଚିକିଟି ଡାକ୍ତରଖାନାକୁ ଦୂରଦୂରାନ୍ତରୁ ଆସୁଥିବା ରୋଗୀଙ୍କ ସଂପର୍କୀୟଙ୍କ ସମେତ ବିଭିନ୍ନ ଶ୍ରେଣୀର ଲୋକେ ଏହାଦ୍ବାରା ଉପକୃତ ହେବେ ବୋଲି ଲକ୍ଷ୍ୟ ରହିଥିଲା।
କିନ୍ତୁ କ୍ଷୋଭର ବିଷୟ ହେଲା, ଏହି ଉଦ୍ଦେଶ୍ୟ ସାଧିତ ହୋଇପାରୁନି। କେନ୍ଦ୍ରର ପରିଚାଳନା ଦାୟିତ୍ବ ଏକ ସ୍ବୟଂ ସହାୟିକା ଗୋଷ୍ଠୀ ଉପରେ ନ୍ୟସ୍ତ ରହିଛି। ଆଉ ପ୍ରତିଦିନି ୫୦ରୁ ଅଧିକ ‌ଲୋକଙ୍କ ମିଲ୍ ବଳକା ରହୁଛି।  ଆଉ ସମସ୍ତ ଖାଦ୍ୟ ମାଛ ଚାଷ ହେଉଥିବା ପୋଖରୀରେ ଫୋପଡ଼ାଯାଉଛି ବୋଲି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ କହିଛନ୍ତି। ସେହିପରି ସରକାରୀ ଛୁଟି ପଡ଼ିଗଲେ ୭୦ରୁ ୮୦ ମିଲ୍ ଫୋପଡ଼ାଯାଉଥିବା ସୂଚନା ମିଳିଛି।

ସେମାନଙ୍କ କହିବାନୁସାରେ, ପ୍ରତିଦିନ ୧୫୦ ଜଣଙ୍କ ପାଇଁ ଖାଦ୍ୟ ଆସୁଛି। ଚିକିଟି କଲେଜ ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟାନ୍ୟ ଲୋକ ଏହି କେନ୍ଦ୍ରରେ ଭାତଡାଲମା ଖାଉଛନ୍ତି। ସାଧାରଣ ଦିନରେ ୧୦୦ଟି ମିଲ୍ ସରିଯାଉଥିବା ବେଳେ ୫୦ ମିଲ୍ ବଳକା ରହୁଛି। ତେବେ ଛୁଟିଦିନ ପଡ଼ିଗଲେ ୭୦ରୁ ୮୦ ଜଣଙ୍କ ଖାଦ୍ୟ ବଳକା ରହୁଛି। ସମସ୍ତ ବଳକା ଖାଦ୍ୟକୁ ଖଜୁରିଆ ଏବଂ ‌ଢେପଗାଁ ପୋଖରୀକୁ ମାଛ ଖାଇବା ଲାଗି ଫୋପାଡ଼ି ଦିଆଯାଉଛି। ପ୍ରତିମାସରେ ରବିବାରକୁ ଛାଡ଼ିଦେଲେ ବାକି ୨୬ଟି କାର୍ଯ୍ୟଦିବସରେ ଖାଦ୍ୟ ଏଭଳି ଭାବେ ଫୋପଡ଼ାଯାଉଥିବା ଦେଖିବାକୁ ମିଳିଛି।
ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ କୁହାଯାଇଛି, ଏହି କେନ୍ଦ୍ରରେ ତିନିଜଣ ମହିଳା ଖାଦ୍ୟ ବିତରଣ ସମେତ ବିଭିନ୍ନ କାମରେ ନିୟୋଜିତ ରହିଛନ୍ତି। ଏନଏସି ପକ୍ଷରୁ ଜଣକ ପିଛା ପ୍ରତିଦିନ ୩୦୦ ଟଙ୍କା ‌ଲେଖାଏଁ ପାରିଶ୍ରମିକ ଦିଆଯାଉଛି। କିନ୍ତୁ ଖାଦ୍ୟ ବଳକା ବିଷୟରେ ସେମାନେ କିଛି କହିପାରିବେ ନାହିଁ। ଅନ୍ୟପକ୍ଷରେ ବ୍ରହ୍ମପୁରରୁ ଖାଦ୍ୟ ଧରିଯାଉଥିବା ଯୋଗାଣକାରୀ ସଂସ୍ଥାର ଗାଡ଼ିଚାଳକ କହିଛନ୍ତି, ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଇବା କେବଳ ଆମ ଦାୟିତ୍ବ। ବାକିସବୁ ଏନ୍‌ଏସି ପ୍ରଶାସନ ବୁଝନ୍ତି।

ତେବ‌େ ପ୍ରତିଦିନ ବଳକା ସତ୍ତ୍ବେ ଖାଦ୍ୟର ପରିମାଣ କାହିଁକି କମାଯାଉନି ? ଏଥିପାଇଁ ଦାୟୀ କିଏ ? ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି କେନ୍ଦ୍ରରେ ପ୍ରତିଦିନ ବିଭାଗୀୟ ଅଧିକାରୀ ତଦାରଖ କରୁ ନଥିବାରୁ ଏଭଳି ଅବ୍ୟବସ୍ଥା ଉପୁଜିଥିବା ମତପ୍ରକାଶ ପାଇଛି। ଏନ୍‌ଏସି ପଦାଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନଥିବାରୁ ପ୍ରତିକ୍ରିୟା ହସ୍ତଗତ ହୋଇପାରିନି।

ସମ୍ବନ୍ଧିତ ଖବର