ଜୟପୁର: ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିସରରେ ଥିବା ରାଜ୍ୟ ସରକାରଙ୍କ ୫ଟଙ୍କିଆ ଡାଲମା , ଭାତ, ଆଚାର ‘‘ଆହାର’’ କେନ୍ଦ୍ର ଏବେ ଅବ୍ୟବସ୍ଥାରେ । କେନ୍ଦ୍ର ତିଆରି ହେବାର ୩ ବର୍ଷ ପରେ ବି ଏଠାକୁ ସିଧାସଳଖ ପାନୀୟ ଜଳ ସଂଯୋଗ ବ୍ୟବସ୍ଥା ହୋଇ ପାରିନାହିଁ। ଫଳରେ ପାଣିର ଅଭାବ ପାଇଁ କେନ୍ଦ୍ର ପରିସର ବଦଳରେ କେନ୍ଦ୍ର ବାହାରେ ଆଜି ଖାଦ୍ୟ ବିତରଣ କରାଯାଉଥିବା ଦେଖିବାକୁ ମିଳିଛି। ସେଭଳି ଏହା ପରିସରରେ ଥିବା ମହିଳା ଓ ପୁରୁଷ ଶୌଚାଳୟରେ ଚାବି ପଡ଼ିଥିବା ଦେଖିବାକୁ ମିଳିଛି। ଏହି ଶୌଚାଳୟର ପାଣି ସଂଯୋଗ ଠିକରେ କାମ କରୁ ନଥିବା ସୂଚନା ମିଳିଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଏବଂ ସଂଧ୍ୟା ୭ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ଆହାର କେନ୍ଦ୍ର ଖୋଲିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ତେବେ ଏହି କେନ୍ଦ୍ରଟି ପୂର୍ବାହ୍ନ ୧୧ଟା ବଦଳରେ ୧୨ଟା ପରେ ଖୋଲୁଥିବା ଦେଖିବାକୁ ମିଳିଥିଲା।
କେନ୍ଦ୍ରକୁ ସିଧାସଳଖ ଭାବେ ପାନୀୟ ଜଳ ସଂଯୋଗ ଆସୁ ନାହିଁ। ଖାଦ୍ୟ ତାଳି ସଫେଇ କରିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ବି ହେବାକୁ ପଡ଼ୁଛି ବୋଲି କହିଛନ୍ତି କେନ୍ଦ୍ର ପରିଚାଳନା କରୁଥିବା ମହିଳା ସ୍ବୟଂ ସହାୟକ ଦଳର କର୍ମକର୍ତ୍ତା। ବିଦ୍ୟୁତ ସଂଯୋଗ ନଥିଲେ ପାଣି ବି ଆସୁନି। ଚକ୍ଷୁ ୱାର୍ଡରୁ ପାଣି ଆସିବା ପରେ ଆହାର କେନ୍ଦ୍ର ଚାଳୁଥିବା ଏମାନେ କହିଛନ୍ତି। ତା ସହ ଶୌଚାଳୟର ଅବସ୍ଥା ଶୋଚନୀୟ। ଶୌଚାଳୟର ପାଇପ୍ ପିଟିଂ କିଛି ଲାଗି ନଥିବାରୁ ଏହା ଆରମ୍ଭ ପର ଠାରୁ ହିଁ ବ୍ୟବହାର ନହୋଇ ତାଲା ପକାଇ ସେଭଳି ରହିଛି। ଏଭଳି ଅବ୍ୟବସ୍ଥା ଲାଗି ରହିଥିବା ବେଳେ ପୂର୍ବରୁ ଯେଭଳି ତଦାରଖ, ଦେଖାରଖା ଏବଂ ତ୍ରୁଟି ସୁଧାର କରଯାଉଥିଲା ସେଭଳି କିଛି ହେଉ ନଥିବା ଅଭିଯୋଗ ହୋଇଛି।