‘ଆହେ ନୀଳଶଇଳ’ ଉଦ୍‌ଯାପିତ: ଟିକେଟ୍‌ କିଣି ନାଟକ ଦେଖିବାର ପ୍ରବୃତ୍ତି ଜାଗ୍ରତ ହେଉ

ଭୁବନେଶ୍ବର: ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ୪ ଦିନ ଧରି ମଞ୍ଚସ୍ଥ ହୋଇଥିବା ନାଟକ ‘ଆହେ ନୀଳଶଇଳ’ ଆଜି ଉଦ୍‌ଯାପିତ ହୋଇଯାଇଛି। ଆଜି ସଂଧ୍ୟାରେ ସମ୍ବାଦ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଶିଷ୍ଟ ଶିଳ୍ପପତି ମିତେଶ ଖିମ୍‌ଜୀ, ‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ନାଟ୍ୟ ନିର୍ଦ୍ଦେଶକ ଲାଲା ବୀରେନ୍ ରାୟ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଲେ, ଏହି ନାଟକ, ଦର୍ଶକଙ୍କୁ ଜଗନ୍ନାଥଙ୍କ ସହ ଯୋଡ଼ିଛି। ମହାପ୍ରଭୁଙ୍କ ସହ ଏମିତି ଯୋଡ଼ି ହୋଇ ଓଡ଼ିଆ ଜାତିକୁ ଆଗେଇ ନେବାକୁ ସେ ଉପସ୍ଥିତ ଦର୍ଶକଙ୍କୁ ଆହ୍ବାନ ଦେଇଥିଲେ। ଶ୍ରୀ ଖିମ୍‌ଜୀ କହିଲେ, ଜଗନ୍ନାଥଙ୍କ କାମରେ ଯୋଡ଼ି ହେବା ମୋ ପାଇଁ ଅତ୍ୟନ୍ତ ସୌଭାଗ୍ୟର କଥା। ୪ ଦିନ ଯାକ ପୂର୍ଣ୍ଣ ପ୍ରେକ୍ଷାଳୟ‌ରେ ନାଟକ ମଞ୍ଚସ୍ଥ ହେବା ହିଁ ଦର୍ଶାଉଛି ଯେ ଏହା କେତେ ଉଚ୍ଚକୋଟୀର ନାଟକ। ଏହାର ପୂରା ଶ୍ରେୟ ସେ ସମ୍ବାଦ ସଂପାଦକ ଶ୍ରୀ ପଟ୍ଟନାୟକ ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ପଟ୍ଟନାୟକଙ୍କୁ ଦେଇଥିଲେ। ଏଥିସହ‌ ନାଟକର ଆଗାମୀ ସଂସ୍କରଣରେ ମଧ୍ୟ ସେ ସବୁପ୍ରକାର ସହାୟତା ଯୋଗାଇଦେ‌େବ‌ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହି ଅବସରରେ ନାଟକର ଲେଖକ ଶଙ୍କର ତ୍ରିପାଠୀ କହିଥିଲେ ଯେ ଓଡ଼ିଆ ନାଟ୍ୟ ଜଗତରେ ‘ଆହେ ନୀଳଶଇଳ’ ଏକ ନୂତନ ଆବିଷ୍କାର। ଏଇଠାରୁ ଓଡ଼ିଆ ନାଟକର ମୋଡ଼ ବଦଳିବ ବୋଲି ସେ ଆଶାବାଦୀ ରହିଥିବା କହିଥିଲେ। ଶ୍ରୀମତୀ ପଟ୍ଟନାୟକ କହିଥିଲେ ଯେ ଆମ ମଞ୍ଚ ନାଟକ ଅତ୍ୟନ୍ତ ଉଚ୍ଚକୋଟୀର। ଏହାକୁ ବଞ୍ଚାଇ ରଖିବାକୁ ହେଲେ ଓଡ଼ିଶାବାସୀଙ୍କ ସହଯୋଗ ଆବଶ୍ୟକ। ଅନ୍ୟ ରାଜ୍ୟ ଭଳି ଓଡ଼ିଶାବାସୀଙ୍କ ମଧ୍ୟରେ ବି ଟିକେଟ୍‌ କିଣି ନାଟକ ଦେଖିବାର ପ୍ରବୃତ୍ତି ଜାଗ୍ରତ ହେଉ। ଏପରି ହେଲେ ଓଡ଼ିଆ ମଞ୍ଚ ନାଟକ ଦୀର୍ଘାୟୁ ହେବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ।

ସମ୍ବନ୍ଧିତ ଖବର