ଭୁବନେଶ୍ବର : ଦର୍ଶକଙ୍କ ଅନୁରୋଧ କ୍ରମେ ପୁଣି ଥରେ ମଞ୍ଚସ୍ଥ ହେବ ବହୁଚର୍ଚ୍ଚିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’। ଓଡ଼ିଆ ଜାତିର ଆତ୍ମା ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଏହି ନାଟକକୁ ରଥଯାତ୍ରା ସମୟରେ ଶ୍ରୀଜିଉଙ୍କ ସଂଧ୍ୟାଦର୍ଶନ, ବାହୁଡା ଓ ସୁନାବେଶ ଦିନ ମଞ୍ଚସ୍ଥ କରିବାକୁ ଏହାର ପ୍ରଯୋଜନା ସଂସ୍ଥା ‘ଚକଲେଟ୍ ପ୍ରଡକସନ୍ସ’ ପକ୍ଷରୁ ସ୍ଥିର କରାଯାଇଛି। ଆସନ୍ତା ଜୁଲାଇ ୮ରୁ ୧୦ ତାରିଖ, ତିନି ଦିନ ଧରି ପୂର୍ବ ଭଳି ଏହା ଭୁବନେଶ୍ବରର ରବୀନ୍ଦ୍ର ମଣ୍ଡପରେ ସଂଧ୍ୟା ୬ଟାରେ ମଞ୍ଚସ୍ଥ ହେବ। ଆଗ୍ରହୀ ଦର୍ଶକଙ୍କ ଲାଗି ‘ବୁକ୍ ମାଇଁ ସୋ’ ୱେବସାଇଟ୍ ମାଧ୍ୟମରେ ନାଟକର ଅଗ୍ରିମ ଟିକେଟ୍ ଉପଲବ୍ଧ ହେଉଛି। ଏଥର ପ୍ରତି ଟିକେଟର ମୂଲ୍ୟ ୩୦୦ ଟଙ୍କା ରହିଛି। ଏହା ବ୍ୟତୀତ ୯୮୫୩୦୩୫୧୦୪ ନମ୍ବରକୁ ଯୋଗାଯୋଗ କରି ନାଟକର ଅଗ୍ରିମ ଟିକେଟ କ୍ରୟ କରିହେବ।
ଉଲ୍ଲେଖଯୋଗ୍ୟ, ୨୦୨୨ ଏପ୍ରିଲ ୭ରୁ ୧୦ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ପ୍ରଦର୍ଶିତ ହୋଇ ‘ଆହେ ନୀଳଶଇଳ’ ବିପୁଳ ଦର୍ଶକ ସମର୍ଥନ ହାସଲ କରିଥିଲା। ତେବେ ବହୁ ଆଗ୍ରହୀ ଦର୍ଶକ ନାଟକ ଦେଖିବାରୁ ବଞ୍ଚିତ ହୋଇଥିଲେ। ସେବେଠାରୁ ପୁଣି ଥରେ ‘ଆହେ ନୀଳଶଇଳ’ର ପ୍ରଦର୍ଶନ ଲାଗି ନାଟ୍ୟପ୍ରେମୀ ମହଲରୁ ଅନୁରୋଧ ହୋଇ ଆସୁଥିଲା। ଏହାକୁ ସମ୍ମାନ ଜଣାଇ ପୁଣି ଥରେ ୩ ଦିନ ଲାଗି ‘ଆହେ ନୀଳଶଇଳ’ ପରିବେଷଣ କରାଯାଉଛି।
ଅଷ୍ଟାଦଶ ଶତାବ୍ଦୀ ଓଡ଼ିଶାର ଏକ ଚର୍ଚ୍ଚିତ ଅଧ୍ୟାୟକୁ ଆଧାର କରି ‘ଚକଲେଟ୍ ପ୍ରଡକ୍ସସନ୍ସ’ ପକ୍ଷରୁ ‘ଆହେ ନୀଳଶଇଳ’ ନାଟକ ପ୍ରସ୍ତୁତ କରାଯାଇଛି। ମୋଗଲ ଶାସନାଧୀନ ଓଡ଼ିଶାରେ ହିନ୍ଦୁ ବିଦ୍ବେଷୀ ନାଏବ ନଜିମର ବିଷଦୃଷ୍ଟିରୁ କିଭଳି ମହାପ୍ରଭୁଙ୍କ ମାନରକ୍ଷା ଲାଗି ତତ୍କାଳୀନ ଗଜପତି ରାମଚନ୍ଦ୍ର ଦେବ ବହୁ କଷ୍ଟ ସ୍ବୀକାର କରିବା ସହ ଅକଥନୀୟ ଅତ୍ୟାଚାରର ଶିକାର ହୋଇଛନ୍ତି ତାହା ନାଟକରେ ଉପସ୍ଥାପନ ହୋଇଛି। ଏହାର କାହାଣୀ କଥାସମ୍ରାଟ୍ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରସିଦ୍ଧ ଉପନ୍ୟାସ ‘ନୀଳଶୈଳ’ ଦ୍ବାରା ଆଂଶିକ ଭାବେ ଅନୁପ୍ରେରିତ।
ଖିମଜୀ ଜୁଏଲର୍ସ ଉପସ୍ଥାପିତ ‘ଆହେ ନୀଳଶଇଳ’ ନାଟକ ରଚନା କରିଛନ୍ତି ବିଶିଷ୍ଟ ନାଟ୍ୟକାର ଶଙ୍କର ତ୍ରିପାଠୀ ଓ ଡ.ପ୍ରତିମା ହୋତା। ନିର୍ଦ୍ଦେଶନା ଦେଇଛନ୍ତି ଲାଲା ବୀରେନ୍ ରାୟ। ଏଥିରେ ଅଭିନେତା ଲରେନ୍ସ ଗଜପତି ରାମଚନ୍ଦ୍ର ଦେବ, ସୋଫିଆ ଆଲମ୍ ମହାରାଣୀ, ପ୍ରକାଶ ଜେନା ତକି ଖାଁ, ଶ୍ରଦ୍ଧା ପାଣିଗ୍ରାହୀ ରେଜିଆ ଓ ମନୀଷା ରଥ ସରଦେଈ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ହାସ୍ୟାଭିନେତା ହାଡୁ ଷଣ୍ଢ ସୁଆର ଭୂମିକାରେ ନଜର ଆସିଥିବା ବେଳେ ଆରଜେ କେପି ମୁରାଦ ଅଲ୍ଲୀ ଚରିତ୍ର ନିଭାଇଛନ୍ତି। ଏହାବାଦ୍ ନିଶାନ୍ତ, ପାର୍ଥ, ଚିନ୍ମୟ, ଶମ୍ଭୁ ହୋତା, ଗୋବିନ୍ଦ ମହାପାତ୍ର, ଉମା, ରଘୁନାଥ, ବିନୁ, ପ୍ରଭାତ, ସୁନୀଲ ଓ ରାକେଶ ପ୍ରମୁଖ କଳାକାର ଅନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ନିର୍ଦ୍ଦେଶନାରେ ସହଯୋଗ କରିଛନ୍ତି ଅନନ୍ତ, ସୁବାସ ଓ ଜିତୁ।