ଭୁବନେଶ୍ବର: ଭାବର ଠାକୁର ସେ। ତାଙ୍କୁ ଥରେ ଭାବରେ ଡାକି ଦେଲେ ରତ୍ନସିଂହାସନ ଛାଡ଼ି ଧାଇଁ ଆସନ୍ତି ସେ। ଶରଧାରେ କିଛି ଯାଚିଲେ ହାତ ବଢ଼େଇ କୋଳେଇ ନିଅନ୍ତି ସେ। ସେଇ ଭାବଭକ୍ତିରେ ଜୁଡ଼ୁବୁଡ଼ୁ ଆମ ଠାକୁର, ଆମ ଇତିହାସ, ଆମ କାହାଣୀକୁ ନେଇ ପୁଣି ଥରେ ମଞ୍ଚସ୍ଥ ହେବାକୁ ଯାଉଛି ଓଡ଼ିଆ ଜାତିର ଆତ୍ମା ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’। ସାରା ଓଡ଼ିଶାର ନାଟ୍ୟପ୍ରେମୀ ଦର୍ଶକ ଓ ଜନସାଧାରଣଙ୍କ ଅନୁରୋଧକ୍ରମେ ଆସନ୍ତା ଏପ୍ରିଲ ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଭୁବନେଶ୍ବରର ରବୀନ୍ଦ୍ର ମଣ୍ଡପରେ ସଂଧ୍ୟା ୬ଟାରେ ପ୍ରଦର୍ଶିତ ହେବାକୁ ଯାଉଛି ନାଟକ ‘ଆହେ ନୀଳଶଇଳ’। ଗୋଟିଏ ପଟେ କଳାକାରମାନେ ରିହରସାଲ୍ରେ ବୁଡ଼ି ରହିଛନ୍ତି। ଉଚ୍ଚାଙ୍ଗ ସଂଳାପରେ କମ୍ପୁଛି ଅଭ୍ୟାସ ସ୍ଥଳ। ଅନ୍ୟପଟେ ଅଗ୍ରୀମ ଟିକେଟ୍ ବୁକିଂ କଳାକାରଙ୍କ ଭିତରେ ଅଧିକ ଉତ୍ସାହ ଭରିଛି।
‘ବୁକ୍ ମାଇଁ ସୋ’ରେ ଉତ୍ସାହଜନକ ଟିକେଟ୍ ବୁକିଂ
ଜମୁଛି କଳାକାରଙ୍କ ରିହରସାଲ୍
ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା ଇତିହାସର ଅନନ୍ୟ ଅଧ୍ୟାୟକୁ ଆଧାର କରି ‘ଚକଲେଟ୍ ପ୍ରଡକ୍ସସନ୍ସ’ ପ୍ରସ୍ତୁତ କରୁଛି ଐତିହାସିକ ନାଟକ ‘ଆହେ ନୀଳଶଇଳ’। ମୋଗଲ ଶାସନାଧୀନ ଓଡ଼ିଶାରେ ହିନ୍ଦୁ ବିଦ୍ବେଷୀ ନାଏବ ନଜିମ୍ର ବିଷ ଦୃଷ୍ଟିରୁ କିଭଳି ମହାପ୍ରଭୁଙ୍କ ମାନରକ୍ଷା ଲାଗି ତତ୍କାଳୀନ ଗଜପତି ରାମଚନ୍ଦ୍ର ଦେବ ବହୁ କଷ୍ଟ ସହିଛନ୍ତି ଏବଂ ଅତ୍ୟାଚାରର ଶିକାର ହୋଇଛନ୍ତି ତାହା ଉପସ୍ଥାପିତ ହୋଇଛି ‘ଆହେ ନୀଳଶଇଳ’ରେ। ଏହାର କାହାଣୀ କଥାସମ୍ରାଟ୍ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରସିଦ୍ଧ ଉପନ୍ୟାସ ‘ନୀଳଶୈଳ’ ଦ୍ବାରା ଆଂଶିକ ଭାବେ ଅନୁପ୍ରେରିତ ହୋଇଥିବା ବେଳେ ନାଟକର ରଚନା କରିଛନ୍ତି ଶଙ୍କର ତ୍ରିପାଠୀ ଓ ଡ. ପ୍ରତିମା ହୋତା। ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଲାଲା ବୀରେନ୍ ରାୟ। ମଞ୍ଚରେ ମହାପ୍ରଭୁଙ୍କ ଲୀଳା ଖେଳାକୁ ସ୍ବଚକ୍ଷୁରେ ଦେଖିବା ପାଇଁ ଯେମିତି ଚାତକ ପରି ଚାହିଁ ରହିଛନ୍ତି ଦର୍ଶକ।
ରାଜ୍ୟରେ ଓ ରାଜ୍ୟ ବାହାରେ ‘ଆହେ ନୀଳଶଇଳ’ର ୨୪ଟି ସୋ’ ଅନୁଷ୍ଠିତ ହୋଇ ସାରିଥିଲେ ହେଁ ନାଟକ ଦେଖିବା ଲାଗି ଦର୍ଶକଙ୍କ ଆଗ୍ରହ ଓ ଉତ୍କଣ୍ଠା ଟିକେଟ୍ ବୁକିଂରୁ ବାରି ହୋଇ ପଡ଼ିଛି। ବୁକ୍ ମାଇଁ ସୋ’ ୱେବ୍ସାଇଟ୍ରେ ଆଗ୍ରହୀ ଦର୍ଶକ ଏବେ ସୁଦ୍ଧା ଅଧିକାଂଶ ଟିକେଟ୍ ବୁକ୍ କରି ସାରିଛନ୍ତି। ଯାହା ବେଶ୍ ଉତ୍ସାହଜନକ। ତେବେ ନାଟକ ସମ୍ପର୍କରେ ଜାଣିବା ପାଇଁ ୯୮୫୩୦୩୫୧୦୪ ଓ ୬୩୭୨୯୦୪୭୧୭ ନମ୍ବରରେ ଯୋଗାଯୋଗ କରିବାକୁ ଚକ୍ଲେଟ୍ ପ୍ରଡକ୍ସନ୍ସ ପକ୍ଷରୁ ନିବେଦନ କରାଯାଇଛି।