ଏପ୍ରିଲ ୫ରୁ ପୁଣିଥରେ ‘ଆହେ ନୀଳଶଇଳ’

୧୬ ଥର ପ୍ରଦର୍ଶିତ ହେବା ପରେ ବି କମିନି ଦର୍ଶକଙ୍କ ଆଗ୍ରହ, ‘ବୁକ୍ ମାଇଁ ସୋ’ରେ ଉପଲବ୍ଧ ଅଗ୍ରିମ ଟିକେଟ୍

ଭୁବନେଶ୍ବର : ମଞ୍ଚ ନାଟକଠାରୁ ଓଡ଼ିଆ ଦର୍ଶକ ମୁହଁ ଫେରାଇ ନେଉଛନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ବାରମ୍ବାର ପୂର୍ଣ୍ଣ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇ ଏ କଥାକୁ ଭୁଲ୍‌ ପ୍ରମାଣିତ କରିଛି ‘ଚକଲେଟ୍ ପ୍ରଡକସନ୍ସ’ ପ୍ରଯୋଜିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’। ରାଜ୍ୟରେ ଓ ରାଜ୍ୟ ବାହାରେ ‘ଆହେ ନୀଳଶଇଳ’ର ୧୬ଟି ସୋ’ ଅନୁଷ୍ଠିତ ହୋଇ ସାରିଥିଲେ ହେଁ ପୁଣିଥରେ ନାଟକ ଦେଖିବା ଲାଗି ଦର୍ଶକଙ୍କ ଆଗ୍ରହ ଓ ଉତ୍କଣ୍ଠା ପୂର୍ବବତ୍ ଅତୁଟ ରହିଛି। ଏସବୁକୁ ଦୃଷ୍ଟିରେ ରଖି ଏବଂ ନାଟ୍ୟପ୍ରେମୀ ଦର୍ଶକ ଓ ଜନସାଧାରଣଙ୍କ ଅନୁରୋଧକ୍ରମେ ଆସନ୍ତା ଏପ୍ରିଲ ୫ରୁ ୯ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଭୁବନେଶ୍ବରର ରବୀନ୍ଦ୍ର ମଣ୍ଡପରେ ସଂଧ୍ୟା ୬ଟାରେ ପ୍ରଦର୍ଶିତ ହେବାକୁ ଯାଉଛି ଓଡ଼ିଆ ଜାତିର ଆତ୍ମା ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ନାଟକ ‘ଆହେ ନୀଳଶଇଳ’। ଗୁରୁବାର ଦିନ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନିରେ ଏହା ଘୋଷଣା କରିଛି ଚକଲେଟ୍‌ ପ୍ରଡକସନ୍ସ। ଆଗ୍ରହୀ ଦର୍ଶକଙ୍କ ଲାଗି ଅନ୍‌ଲାଇନରେ ନାଟକର ଅଗ୍ରିମ ଟିକେଟ୍ ଉପଲବ୍ଧ ହୋଇସାରିଛି। ବର୍ତ୍ତମାନ ‘ବୁକ୍ ମାଇଁ ସୋ’ ୱେବସାଇଟ୍‌ ମାଧ୍ୟମରେ ଟିକେଟ୍ ବୁକିଂ ଜାରି ରହିଛି। ଟିକେଟ୍ ପାଇବାରେ କୌଣସି ସମସ୍ୟା ହେଲେ ୯୮୫୩୦୩୫୧୦୪ ଓ ୮୯୦୮୦୨୦୧୦୪ ନମ୍ବରରେ ଯୋଗାଯୋଗ କରିବାକୁ ଚକଲେଟ୍ ପ୍ରଡକସନ୍ସ ପକ୍ଷରୁ ନିବେଦନ କରାଯାଇଛି।

ସାମ୍ବାଦିକ ସମ୍ମିଳନୀରେ ନାଟକର ରୂପକାର ତଥା ‘ସମ୍ବାଦ ଗ୍ରୁପ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କହିଲେ, ‘ଆହେ ନୀଳଶଇଳ’ ପୁଣିଥରେ ୫ ଦିନ ପାଇଁ ମଞ୍ଚସ୍ଥ ହେଉଥିବାରୁ ମୁଁ ବହୁତ ଖୁସି। ଆନନ୍ଦର ବିଷୟ ହେଲା, ଦର୍ଶକଙ୍କ ଭଲପାଇବା ଓ ଅନୁରୋଧ ହେତୁ ଆମକୁ ବାରମ୍ବାର ନାଟକ ପ୍ରଦର୍ଶନ କରିବାକୁ ପଡ଼ୁଛି। ମୁଁ ଆଶା କରୁଛି, ଯେଉଁମାନେ ନାଟକ ଦେଖିପାରି ନାହାନ୍ତି ଏଥର ସେମାନେ ନିଶ୍ଚୟ ଦେଖିବାର ସୁଯୋଗ ନେବେ। ‘ଆହେ ନୀଳଶଇଳ’ ନାଟକ ମାଧ୍ୟମରେ ଚକଲେଟ୍ ପ୍ରଡକସନ୍ସ ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର କରୁଥିବାରୁ ମୁଁ ଆନନ୍ଦିତ।’

ଭୁବନେଶ୍ବର, ବେଙ୍ଗାଲୁରୁ ଓ ନୂଆଦିଲ୍ଲୀରେ ପ୍ରଦର୍ଶିତ ହୋଇ ଓଡ଼ିଆ ମଞ୍ଚନାଟକ କ୍ଷେତ୍ରରେ ଚହଳ ସୃଷ୍ଟି କରିଛି ‘ଆହେ ନୀଳଶଇଳ’। ଅଷ୍ଟାଦଶ ଶତାବ୍ଦୀ ଓଡ଼ିଶା ଇତିହାସର ଏକ ଅନନ୍ୟ ଅଧ୍ୟାୟକୁ ନେଇ ଏହି ନାଟକ ରଚନା କରିଛନ୍ତି ବିଶିଷ୍ଟ ନାଟ୍ୟକାର ଶଙ୍କର ତ୍ରିପାଠୀ ଓ ଡ. ପ୍ରତିମା ହୋତା। ନିର୍ଦ୍ଦେଶନାରେ ଅଛନ୍ତି ମଞ୍ଚ ଓ ଯାତ୍ରା ଦୁନିଆର ସଫଳ ନିର୍ଦ୍ଦେଶକ ଲାଲା ବୀରେନ୍ ରାୟ। ଏଥିରେ ଓଡ଼ିଆ ସିନେମା ଓ ଛୋଟ ପରଦାର ଅନେକ ଜଣାଶୁଣା କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଅଭିନେତା ଲରେନ୍ସ ଗଜପତି ରାମଚନ୍ଦ୍ର ଦେବ, ସୋଫିଆ ଆଲମ୍ ମହାରାଣୀ, ପ୍ରକାଶ ଜେନା ତକୀ ଖାଁ, ରାଜେନ୍ଦ୍ର ସ୍ବାଇଁ ବକ୍ସି, ଶ୍ରଦ୍ଧା ପାଣିଗ୍ରାହୀ ରେଜିଆ ଓ ମନୀଷା ରଥ ସରଦେଈ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ହାସ୍ୟାଭିନେତା ହାଡୁ ଷଣ୍ଢ ସୁଆର ଭୂମିକାରେ ନଜର ଆସିଥିବା ବେଳେ ଆରଜେ କେପି ମୁରାଦ ଅଲ୍ଲୀ ଚରିତ୍ର ନିଭାଇଛନ୍ତି। ଏହାବାଦ୍ ଲଳିତ ମୋହନ ପଣ୍ଡା, ପାର୍ଥ, ଚିନ୍ମୟ, ଶମ୍ଭୁ ହୋତା, ଗୋବିନ୍ଦ ମହାପାତ୍ର, ଉମା, ରଘୁନାଥ, ପ୍ରଭାତ, ସୁନୀଲ, ସୁଜିତ, କେକେ, ଚିତ୍ରସେନ, ସତ୍ୟ ଓ ରାକେଶ ପ୍ରମୁଖ କଳାକାର ଅନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ବିପ୍ରଞ୍ଜୟ ପ୍ରଡକସନ୍‌ରେ ସହାୟତା କରିଥିବା ବେଳେ ନିର୍ଦ୍ଦେଶନାରେ ସହଯୋଗ କରିଛନ୍ତି ଅନନ୍ତ ଓ ଜିତୁ।

ଉଲ୍ଲେଖଯୋଗ୍ୟ, ୨୦୨୨ରେ ପ୍ରଥମେ ଏପ୍ରିଲ୍ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଭୁବନେଶ୍ବରରେ ମଞ୍ଚସ୍ଥ ହୋଇଥିଲା ‘ଆହେ ନୀଳଶଇଳ’। ଦର୍ଶକଙ୍କ ଅନୁରୋଧ କ୍ରମେ ପୁଣି ଜୁଲାଇରେ କ୍ରମାଗତ ୩ ଦିନ ନାଟକ ପରିବେଷିତ ହେଲା। ଏହାପରେ ଅକ୍ଟୋବର ୧୪ରେ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବେଙ୍ଗାଲୁରୁର ରବୀନ୍ଦ୍ର କଳାକ୍ଷେତ୍ର ପ୍ରେକ୍ଷାଳୟରେ ମଞ୍ଚସ୍ଥ ହୋଇ ପ୍ରବାସୀ ଓଡ଼ିଆ ଓ ସ୍ଥାନୀୟ ଦର୍ଶକଙ୍କ ମନ ମୋହିଥିଲା। ତେବେ ବହୁ ଦର୍ଶକ ନାଟକ ଦେଖିବାର ସୁଯୋଗରୁ ବଞ୍ଚିତ ହୋଇଥିବାରୁ ପୁଣି ନଭେମ୍ବରରେ ୫ ଦିନ ଧରି ପ୍ରଦର୍ଶିତ ହୋଇଥିଲା। ‘ଆହେ ନୀଳଶଇଳ’କୁ ନେଇ ଦର୍ଶକ ମହଲରେ ଏତେ ମାତ୍ରାରେ ଉତ୍ସାହ ଦେଖାଦେଇଥିଲା ଯେ ସେମାନଙ୍କ ଅନୁରୋଧକ୍ରମେ ଚକଲେଟ୍ ପ୍ରଡକସନ୍ସ ପକ୍ଷରୁ ଅନ୍ତିମ ଦିବସରେ ଦୁଇଟି ସୋ’ କରାଯାଇଥିଲା। ମାର୍ଚ୍ଚ ୨୪ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ‘ଓଡ଼ିଶା ପର୍ବ’ର ପ୍ରଥମ ସଂଧ୍ୟାରେ ‘ଆହେ ନୀଳଶଇଳ’ ମଞ୍ଚସ୍ଥ ହୋଇ ଉଚ୍ଚପ୍ରଶଂସିତ ହୋଇଥିଲା।

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ଲାଲା ବୀରେନ୍ ରାୟ, ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ, ଅଭିନେତା ହାଡ଼ୁ କିଶୋର ଓ ପ୍ରକାଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର