ଭୁବନେଶ୍ବର: ସାରା ଓଡ଼ିଶାର ନାଟ୍ୟପ୍ରେମୀ ଓ ଜନସାଧାରଣଙ୍କ ଅନୁରୋଧକ୍ରମେ ଓଡ଼ିଆ ଜାତିର ଆତ୍ମା ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେଉଛି। ଆଜି ଦ୍ବିତୀୟ ଦିନରେ ମଧ୍ୟ ପୂର୍ଣ୍ଣ ପ୍ରେକ୍ଷାଳୟରେ ନାଟକ ମଞ୍ଚସ୍ଥ ହୋଇଥିଲା। ଅତିଥି ଭାବେ ଆଇନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ମନ୍ତ୍ରୀ ନିଜ ବକ୍ତବ୍ୟରେ କହିଲେ, ‘ଆହେ ନୀଳଶଇଳ’ ନାଟକ ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ବୀରତ୍ବର ଗାଥାକୁ ପ୍ରଦର୍ଶିତ କରୁଛି। ଏହି ନାଟକ ଆମର ଗୌରବମୟ ଅତୀତକୁ ସ୍ମରଣ କରିବା ସହ ଆଗାମୀ ଦିନରେ ନୂଆ ରାସ୍ତା ଦେଖାଇବ। ମହାପ୍ରଭୁଙ୍କ ଆଶୀର୍ବାଦ ଏ ଜାତି ଉପରେ ଅଛି। ଏହି ନାଟକ ମାଧ୍ୟମରେ ଓଡ଼ିଆଙ୍କୁ ଜାଗରଣ କରିବାକୁ ଈଶ୍ବର ‘ସମ୍ବାଦ’ ପରିବାରକୁ ଆଶୀର୍ବାଦ କରନ୍ତୁ ବୋଲି ମନ୍ତ୍ରୀ କହିଥିଲେ।
ପୂର୍ବ ପରି ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରେକ୍ଷାଳୟର ସମସ୍ତ ସିଟ୍ ଭରି ଯାଇଥିଲା। ମଞ୍ଚରେ ମହାପ୍ରଭୁଙ୍କ ଲୀଳା ଖେଳାକୁ ସ୍ବଚକ୍ଷୁରେ ଦେଖି ଦର୍ଶକମାନେ ଭାବବିହ୍ବଳ ହୋଇ ଯାଇଥିଲେ। ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା ଇତିହାସର ଅନନ୍ୟ ଅଧ୍ୟାୟକୁ ଆଧାର କରି ‘ଚକଲେଟ୍ ପ୍ରଡକ୍ସନ୍ସ’ ପକ୍ଷରୁ ମଞ୍ଚସ୍ଥ ହେଉଥିବା ଏହି ନାଟକରେ ମୋଗଲ ଶାସନାଧୀନ ଓଡ଼ିଶାରେ ହିନ୍ଦୁ ବିଦ୍ବେଷୀ ନାଏବ ନଜିମ୍ର ତକୀ ଖାଁ ବିଷ ଦୃଷ୍ଟିରୁ କିଭଳି ମହାପ୍ରଭୁଙ୍କ ମାନରକ୍ଷା ଲାଗି ତତ୍କାଳୀନ ଗଜପତି ରାମଚନ୍ଦ୍ର ଦେବ ବହୁ କଷ୍ଟ ସହିଛନ୍ତି, ଅତ୍ୟାଚାରର ଶିକାର ହୋଇଛନ୍ତି ଏବଂ ତାଙ୍କ ପାଇଁ କିଭଳି ସିଂହଦ୍ବାରରେ ପତିତପାବନ ପ୍ରତିଷ୍ଠା ହୋଇଛନ୍ତି ତାହା ନାଟକରେ ଉପସ୍ଥାପିତ ହୋଇଛି। ନାଟକରେ ନାଏବ ନଜିମ୍, ମହାପ୍ରଭୁ ଓ ରାଜା ରାମଚନ୍ଦ୍ର ଦେବଙ୍କୁ ଗାଳି ଦେବା ବେଳେ ଅନେକ ଦର୍ଶକ ସହି ପାରି ନଥିଲେ। କିଛି ଦର୍ଶକ ନାଟକ ଚାଲିଥିବା ସମୟରେ ନାଏବ ନଜିମ୍ ଭୂମିକା କରୁଥିବା ଅଭିନେତାଙ୍କୁ ଗାଳି ଦେବାକୁ ପଛାଇ ନଥିଲେ। ଆସନ୍ତା ୧୨ ତାରିଖ ଯାଏ ରବୀନ୍ଦ୍ର ମଣ୍ଡପରେ ନାଟକ ମଞ୍ଚସ୍ଥ ହେବାକୁ ଥିବା ବେଳେ ଆଗାମୀ ଦିନର ସମସ୍ତ ସୋ’ର ଟିକେଟ୍ ମଧ୍ୟ ବିକ୍ରି ହୋଇସାରିଛି। ଆଜି ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ ଦର୍ଶକଙ୍କୁ ସ୍ବାଗତ କରିବା ସହ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ। ମଞ୍ଚରେ ନାଟକର ନିର୍ଦ୍ଦେଶକ ଲାଲା ବୀରେନ୍ ରାୟ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/11/4lxkDYTTFww1eJx67CWu.jpg)