ଭୁବନେଶ୍ବର: ଯିଏ ସାରା ଦୁନିଆର ରକ୍ଷକ, ସେ ପୁଣି ନିଜ ରକ୍ଷା ପାଇଁ ଧାଇଁବେ? ଏଭଳି ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଥିଲା। ମଞ୍ଚରେ ମହାପ୍ରଭୁଙ୍କ ଲୀଳା ଖେଳାକୁ ସ୍ବଚକ୍ଷୁରେ ଦେଖି ଆଖିରୁ ଝରୁଥିଲା ଆନନ୍ଦାଶ୍ରୁ। ମୁହଁରୁ ଆପେ ଆପେ ବାହାରି ଆସୁଥିଲା ଜୟ ଜଗନ୍ନାଥ…. ଜୟ ଜଗନ୍ନାଥ…। ଦୁଇ ହାତ ଟେକି ମହାପ୍ରଭୁଙ୍କ ନିକଟରେ ଯେମିତି ନିଜକୁ ସମର୍ପଣ କରୁଥିଲେ ଦର୍ଶକ। ସାରା ଓଡ଼ିଶାର ନାଟ୍ୟପ୍ରେମୀ ଦର୍ଶକ ଓ ଜନସାଧାରଣଙ୍କ ଅନୁରୋଧକ୍ରମେ ଓଡ଼ିଆ ଜାତିର ଆତ୍ମା ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ସମୟରେ ଏମିତି କିଛି ନିଆରା ଦୃଶ୍ୟ ଭାବବିହ୍ବଳ କରୁଥିଲା।
୧୨ ଯାଏଁ ସବୁ ସୋ’ ହାଉସ୍ ଫୁଲ୍
ନାଟକ ଦେଖି ନପାରି ଫେରିଲେ ଦର୍ଶକ
ଖୁବ୍ଶୀଘ୍ର ପୁଣି ମଞ୍ଚସ୍ଥ ହେବ
ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା ଇତିହାସର ଅନନ୍ୟ ଅଧ୍ୟାୟକୁ ଆଧାର କରି ‘ଚକଲେଟ୍ ପ୍ରଡକ୍ସନ୍ସ’ ପକ୍ଷରୁ ମଞ୍ଚସ୍ଥ ହେଉଛି ଐତିହାସିକ ନାଟକ ‘ଆହେ ନୀଳଶଇଳ’। ମୋଗଲ ଶାସନାଧୀନ ଓଡ଼ିଶାରେ ହିନ୍ଦୁ ବିଦ୍ବେଷୀ ନାଏବ ନଜିମ୍ର ବିଷ ଦୃଷ୍ଟିରୁ କିଭଳି ମହାପ୍ରଭୁଙ୍କ ମାନରକ୍ଷା ଲାଗି ତତ୍କାଳୀନ ଗଜପତି ରାମଚନ୍ଦ୍ର ଦେବ ବହୁ କଷ୍ଟ ସହିଛନ୍ତି, ଅତ୍ୟାଚାରର ଶିକାର ହୋଇଛନ୍ତି ଏବଂ ତାଙ୍କ ପାଇଁ କିଭଳି ସିଂହଦ୍ବାରରେ ପତିତପାବନ ପ୍ରତିଷ୍ଠା ହୋଇଛନ୍ତି ତାହା ନାଟକରେ ଉପସ୍ଥାପିତ ହୋଇଛି। ଏହାର କାହାଣୀ କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରସିଦ୍ଧ ଉପନ୍ୟାସ ‘ନୀଳଶୈଳ’ ଦ୍ବାରା ଆଂଶିକ ଭାବେ ଅନୁପ୍ରେରିତ ହୋଇଥିବା ବେଳେ ନାଟକର ରଚନା କରିଛନ୍ତି ଶଙ୍କର ତ୍ରିପାଠୀ ଓ ଡ. ପ୍ରତିମା ହୋତା। ନିର୍ଦ୍ଦେଶନା ଦେଇଛନ୍ତି ଲାଲା ବୀରେନ୍ ରାୟ।
ରାଜ୍ୟରେ ଓ ରାଜ୍ୟ ବାହାରେ ‘ଆହେ ନୀଳଶଇଳ’ର ୨୪ଟି ସୋ’ ଅନୁଷ୍ଠିତ ହୋଇ ସାରିଥିଲେ ହେଁ ନାଟକ ଦେଖିବା ଲାଗି ଦର୍ଶକଙ୍କ ଆଗ୍ରହ ଓ ଉତ୍କଣ୍ଠାକୁ ଆଧାର କରି ଆଜିଠାରୁ ୧୨ ତାରିଖ ଯାଏଁ ରବୀନ୍ଦ୍ର ମଣ୍ଡପରେ ନାଟକ ମଞ୍ଚସ୍ଥ ପାଇଁ ସ୍ଥିର ହୋଇଥିଲା। ତେବେ ଆଶ୍ଚର୍ଯ୍ୟର କଥା ଟିକେଟ୍ ବୁକିଂ ଆରମ୍ଭର କିଛି ଦିନ ଭିତରେ ସମସ୍ତ ଟିକେଟ୍ ବିକ୍ରି ହୋଇ ଯାଇଥିଲା। ଆଜି ପୂର୍ଣ୍ଣ ପ୍ରେକ୍ଷାଳୟରେ ନାଟକ ଚାଲିଥିବା ବେଳେ ଶତାଧିକ ଦର୍ଶକ ନାଟକ ଦେଖିବାକୁ ଆସି ଫେରି ଯାଇଥିଲେ। ଆଗାମୀ ଦିନର ସମସ୍ତ ସୋ’ର ଟିକେଟ୍ ମଧ୍ୟ ବିକ୍ରି ହୋଇସାରିଛି।
ଆଜି ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ ଦର୍ଶକଙ୍କୁ ସ୍ବାଗତ କରିଥିବା ବେଳେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ପ୍ରଦୀପ ପ୍ରଜ୍ବଳନ କରି ନାଟକର ଶୁଭାରମ୍ଭ କରିଥିଲେ। ଶ୍ରୀମତୀ ପଟ୍ଟନାୟକ ଦର୍ଶକଙ୍କୁ କୃତଜ୍ଞତା ଜଣାଇବା ସହ ଖୁବ୍ଶୀଘ୍ର ପୁଣି ଥରେ ନାଟକ ମଞ୍ଚସ୍ଥ ହେବ ବୋଲି କହିଥିଲେ। ତିନିବର୍ଷ ଧରି ‘ଆହେ ନୀଳଶଇଳ’କୁ ସହଯୋଗ କରି ଆସୁଥିବାରୁ ଏହି ଅବସରରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ ‘ଖିମ୍ଜୀ’କୁ ଧନ୍ୟବାଦ ଜଣାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/10/wbOoLN26EQ09idSAHQKm.jpg)