ହିନ୍ଦୀ ପୁସ୍ତକ ‘କଲ୍ୟାଣୀ’ର ଓଡ଼ିଆ ଅନୁବାଦ ପାଇଁ ମଞ୍ଜୁ ମୋଦୀଙ୍କୁ ମିଳିବ ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର

ଭୁବନେଶ୍ବର: ଘୋଷଣା ହେଲା ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ପାଇଥିବା ବିଜେତାଙ୍କ ନାଁ। ଏହି ପୁରସ୍କାର ପାଇଁ ୨୪ଜଣଙ୍କୁ ବଛାଯାଇଥିବା ବେଳେ ଓଡ଼ିଆ ଅନୁବାଦ ପାଇଁ ମଞ୍ଜୁ ମୋଦୀଙ୍କୁ ମନୋନୀତ କରାଯାଇଛି। ୨୪ଟି ଭିନ୍ନ ଭିନ୍ନ ଭାଷ‌ା ପାଇଁ ୨୪ଜଣଙ୍କୁ ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିବା ବେଳେ ସେଥିରେ ମଞ୍ଜୁ ମୋଦୀଙ୍କ ନାଁ ରହିଛି। ୨୪ଜଣ ବିଜେତାଙ୍କୁ ୫୦,୦୦୦ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ସାହିତ୍ୟ ଅକାଦେମି ପକ୍ଷରୁ କୁହାଯାଇଛି।

ମଞ୍ଜୁ ମୋଦୀ ‘କଲ୍ୟାଣୀ’ ନାମକ ଏକ ହିନ୍ଦୀ ପୁସ୍ତକର ଓଡ଼ିଆ ଅନୁବାଦ କରିଛନ୍ତି, ଯାହାକୁ ହିନ୍ଦୀ ଭାଷାରେ ଲେଖିଛନ୍ତି ଜୈନେନ୍ଦ୍ର କୁମାର। ଓଡ଼ିଆରେ ମଧ୍ୟ ପୁସ୍ତକଟିର ନାଁ ରହିଛି ‘କଲ୍ୟାଣୀ’। ପ୍ରତିଟି ଭାଷା ପାଇଁ ୩ଜଣିଆ ଚୟନ କମିଟି ଗଠନ କରାଯାଇଥିବା ବେଳେ ସେମାନଙ୍କ ସୁପାରିଶକ୍ରମେ ୨୪ଜଣଙ୍କୁ ପୁରସ୍କାର ପାଇଁ ବଛାଯାଇଛି। ଓଡ଼ିଆ ଭାଷା ପାଇଁ ଗଠନ କରାଯାଇଥିବା ୩ଜଣିଆ କମିଟିରେ ଡ. ଭି.ଏସ ଜୋଗଲେକର, ଡ. ସୂର୍ଯ୍ୟମଣୀ ଖୁଣ୍ଟିଆ ଏବଂ ପ୍ରଫେସର ଶଙ୍କର ଲାଲ ପୁରୋହିତ ଥିବା ବେଳେ ସେମାନେ ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ୨୦୨୦ ପାଇଁ ମଞ୍ଜୁ ମୋଦୀଙ୍କ ନାଁ ସୁପାରିଶ କରିଛନ୍ତିି। ଏବେ କେବଳ ନାଁଗୁଡ଼ିକ ଘୋଷଣା କରାଯାଇଥିବା ବେଳେ ପରେ ପୁରସ୍କାରଗୁଡ଼ିକ ପ୍ରଦାନ କରାଯିବ ବୋଲି ସାହିତ୍ୟ ଅକାଦେମି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର