କୁଚିଣ୍ଡା: ସମ୍ବଲପୁରଜିଲ୍ଲା କୁଚିଣ୍ଡା ନିର୍ବାଚନମଣ୍ଡଳୀରେ ଆଜି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ୭୧ ଗୋଟି ପ୍ରକଳ୍ପରେ ୧୩୫ କୋଟି ଟଙ୍କାର ନିବେଶ ହୋଇଛି, ଯାହା ଡବଲ ଇଞ୍ଜିନ ସରକାରର ଏକ ଉପହାର ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶୁକ୍ରବାର କେନ୍ଦ୍ରୀୟ ବିଦ୍ୟାଳୟ, କୁଚିଣ୍ଡାର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ସହ ମନ୍ତ୍ରିମୁଣ୍ଡା ଠାରେ ୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁଥିବା ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ କରିଛନ୍ତି। ଏଥିସହ ପ୍ରାୟ ୧୦୫ କୋଟି ଟଙ୍କା ବିନିମୟରେ ୭୧ଗୋଟି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, କୁଚିଣ୍ଡାରେ ବହୁଦିନରୁ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଲୋକମାନଙ୍କର ଅପେକ୍ଷା ରହିଥିଲା, ଯେଉଁ ଜନଆକାଂକ୍ଷାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂରଣ କରିଛନ୍ତି। ଚଳିତ ଶିକ୍ଷା ବର୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟର ଏହି ଅସ୍ଥାୟୀ କ୍ୟାମ୍ପସରେ ଶିଶୁବାଟିକା ଆରମ୍ଭ କରାଯିବ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୦୦ ଜଣରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଯିବ ଏବଂ ଆଗକୁ ଏହି ସଂଖ୍ୟା ୧୨୦୦କୁ ବଢ଼ାଇବା ପାଇଁ ଯୋଜନା କରାଯିବ।
୧୩୫ କୋଟି ଟଙ୍କାର ନିବେଶ
‘ନୂତନ କେନ୍ଦ୍ରୀୟ ବିଦ୍ୟାଳୟ କୁଚିଣ୍ଡାବାସୀଙ୍କୁ ଉପହାର’
ସେହିପରି ଆଜି କୁଚିଣ୍ଡା ନିର୍ବାଚମଣ୍ଡଳୀର ୩୩.୬୮କୋଟି ଟଙ୍କା ବିନିମୟରେ ୨୩ ଗୋଟି ପ୍ରକଳ୍ପର ଉଦ୍ଘାଟନ ଓ ୭୧.୨୪ କୋଟି ଟଙ୍କା ବିନିମୟରେ ୪୮ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ମୋଟ ପ୍ରାୟ ୧୩୫ କୋଟି ଟଙ୍କା ବିନିମୟର ଏହି ପ୍ରକଳ୍ପ ଆଗାମୀ ଦିନରେ କୁଚିଣ୍ଡାକୁ ନୂଆ ପରିଚୟ ଦେବ। ସମ୍ବଲପୁରରେ ୩ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ଏହି ଅଞ୍ଚଳରେ ୬ଟି ସ୍କୁଲକୁ ପିଏମ୍ଶ୍ରୀ ସ୍କୁଲରେ ବିକଶିତ କରିବା ପାଇଁ ମଞ୍ଜୁର ହୋଇଛି। ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନାର କଳ୍ପନା କରାଯାଇଛି। ରାଜ୍ୟରେ ଡ୍ରପ୍ଆଉଟ୍ ହାର କମାଇବା ପାଇଁ ରାଜ୍ୟ ସରକାର ‘ମାଧୋ ସିଂହ ହାତଖର୍ଚ୍ଚ’ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ସବୁ ହାଇସ୍କୁଲକୁ ଇଣ୍ଟରନେଟ୍ ଓ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇ ଦେବାର ବ୍ୟବସ୍ଥା ହେଉଛି। ଓଡ଼ିଶା ସମେତ ଭାରତବର୍ଷର ସବୁ ସ୍କୁଲରେ ପିଲାମାନଙ୍କ ଏଆଇ ଆଧାରିତ ଶିକ୍ଷା ପ୍ରଦାନ କରାଯିବାର ଯୋଜନା ହୋଇଛି।
କୁଚିଣ୍ଡାରେ ପ୍ରତିଷ୍ଠା ହେଉଥିବା ନୂଆ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ରୋଜଗାର କରିବା ପାଇଁ ନୁହେଁ ବରଂ ରୋଜଗାରଦାତା ହେବା ପାଇଁ ପ୍ରୋତ୍ସାହିତ କରିବ। ଶିକ୍ଷା କ୍ଷେତ୍ରରେ ପଛୁଆବର୍ଗଙ୍କ ସମେତ ସବୁ ବର୍ଗର ଛାତ୍ରଛାତ୍ରୀଙ୍କୁ ଅଧିକରୁ ଅଧିକ ସୁଯୋଗ ପ୍ରଦାନ କରିବା ଆମର ଲକ୍ଷ୍ୟ ରହିଛି। କୁଚିଣ୍ଡା କଲେଜ ପରିସରରେ ଅଧ୍ୟାପିକା ବେଲମତୀ କୁମୁରାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, କେନ୍ଦ୍ରୀୟ ବିଦ୍ୟାଳୟ ଯୁଗ୍ମ କମିସନର ସୁମିତ ଶ୍ରୀବାସ୍ତବ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ସମ୍ବଲପୁର ଆର୍ଡିସି ସଚିନ ଯାଦବ, ସମ୍ବଲପୁର ମହାନଗର ନିଗମ କମିସନର ବେଦଭୂଷଣ, ଡେପୁଟି କମିସନର ସିଦ୍ଧାର୍ଥ ବୋଷ ପ୍ରମୁଖ ମଞ୍ଚାସୀନ ଥିଲେ।