କଟକ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ), ଲାଇଭ୍ ବ୍ୟବସ୍ଥା, ସିସି କ୍ୟାମେରା ଭଳି ଅତ୍ୟାଧୁନିକ ବ୍ୟବସ୍ଥା ସତ୍ତ୍ବେ ଆଜି ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ମାଟ୍ରିକ୍ର ଇଂରାଜୀ ପ୍ରଶ୍ନପତ୍ର ଓ ତାର ଉତ୍ତର ଆଜି ପରୀକ୍ଷା ଆରମ୍ଭ ପୂର୍ବରୁ ସୋସିଆଲ ମିଡିଆରେ ଘୂରି ବୁଲୁଥିଲା। କେବଳ ଅବ୍ଜେକ୍ଟିଭ୍ ପ୍ରଶ୍ନପତ୍ର ଉତ୍ତର ନୁହେଁ, ସବ୍ଜେକ୍ଟିଭ୍ ବିଭାଗର ଟ୍ରାନ୍ସଲେସନ ଓ ଏହାର ଉତ୍ତର ମଧ୍ୟ ସାମାଜିକ ଗଣମାଧ୍ୟମରେ ଛାଇଯାଇଥିଲା। କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପରୀକ୍ଷା ଆରମ୍ଭ ପୂର୍ବରୁ ଏଭଳି ପ୍ରଶ୍ନପତ୍ର ବୁଲିଥିବା ସୂଚନା ମିଳିଛି। ନୋଡାଲ ସେଣ୍ଟର, ପରୀକ୍ଷା କେନ୍ଦ୍ରରେ କଡ଼ା କଟକଣା ରହିଥିବା ବେଳେ କେଉଁଠୁ ଓ କିଭଳି ଏଭଳି ବିଭ୍ରାଟ ଘଟିଲା, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବୋର୍ଡ କର୍ତ୍ତୃପକ୍ଷ କିନ୍ତୁ ଏଭଳି ଭାଇରାଲ ଘଟଣାକୁ ଅସ୍ବୀକାର କରିଛନ୍ତି। ଦ୍ବିତୀୟ ଦିନର ମାଟ୍ରିକ୍ ପରୀକ୍ଷା ଶୃ୍ଙ୍ଖଳିତ ଭାବେ ସଂପନ୍ନ ହୋଇଥିବା ବେଳେ କେହି ଦୁର୍ବୃତ୍ତ ପରୀକ୍ଷା ପରିଚାଳନାରେ ବିଭ୍ରାଟ ସୃଷ୍ଟି କରିବା ପାଇଁ ଏଭଳି କାଣ୍ଡ କରିଥିବା ବୋର୍ଡ ପକ୍ଷରୁ କୁହାଯାଇଛି।
ଆଜି ଦ୍ବିତୀୟ ଭାଷା ଇଂରାଜୀ ପରୀକ୍ଷା ସକାଳ ୯ଟାରେ ଆରମ୍ଭ ହେବାକୁ ଥିବା ବେଳେ ସକାଳ ୮ଟା ୩୬ ମିନିଟ୍ରେ କେନ୍ଦୁଝରରେ ଇଂରାଜୀ ସଂକ୍ଷିପ୍ତ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ଦ୍ବିତୀୟ ଭାଷା ଇଂରାଜୀ ‘ସେଟ୍-ସି’ର ସମସ୍ତ ଅବ୍ଜେକ୍ଟିଭ୍ ପ୍ରଶ୍ନ ସମେତ ଏହାର ଉତ୍ତର ଓ ସବ୍ଜେକ୍ଟିଭ୍ ବିଭାଗର ଟ୍ରାନ୍ସଲେସନ୍ ଏବଂ ଏହାର ଉତ୍ତର ସାମାଜିକ ଗଣମାଧ୍ୟମ ଜରିଆରେ ଲୋକେ ପାଇଯାଇଥିଲେ। ଯେଉଁମାନଙ୍କ ପାଖରେ ଏଭଳି ଭାଇରାଲ ପ୍ରଶ୍ନପତ୍ର ଓ ଉତ୍ତର ପହଞ୍ଚିଲା, ସେମାନେ ପ୍ରଥମେ ଏହାକୁ ବିଶ୍ବାସ କଲେ ନାହିଁ। ଲୋକଙ୍କୁ ବିଭ୍ରାନ୍ତ କରିବା ଓ ବୋର୍ଡ କର୍ତ୍ତୃପକ୍ଷଙ୍କୁ ବଦ୍ନାମ କରିବା ପାଇଁ ଏହା ଏକ ଚକ୍ରାନ୍ତ ବୋଲି ସେମାନେ ଭାବିଲେ। କିନ୍ତୁ ପରୀକ୍ଷା ସରିବା ପରେ ଅର୍ଥାତ୍ ସାଢ଼େ ୧୧ଟା ପରେ ପୂର୍ବରୁ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ସହିତ ବୋର୍ଡର ମୂଳ ପ୍ରଶ୍ନପତ୍ର ମିଳାଇବାରୁ ସବୁ ମେଳ ଖାଇଯାଇଥିଲା। ଏହା ପରେ ଭାଇରାଲ ଘଟଣା ସ୍ପଷ୍ଟ ହୋଇଥିଲା। ସମସ୍ତ ନୋଡାଲ ସେଣ୍ଟରରେ ଲାଇଭ୍ ବ୍ୟବସ୍ଥା କରାଯାଇଥିବା ବେଳେ ଶହେରୁ ଅଧିକ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଏଆଇ କ୍ୟାମେରା ବ୍ୟବସ୍ଥା କରାଯାଇଛି।
ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ବୁଲିଲା
ଭାଇରାଲ୍ ପ୍ରଶ୍ନପତ୍ର, ମୂଳ ପ୍ରଶ୍ନପତ୍ର ମେଳ ଖାଇଲା
ବୋର୍ଡ କର୍ତ୍ତୃପକ୍ଷଙ୍କ ଅସ୍ବୀକାର
ଏହା ବ୍ୟତୀତ ସବୁ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଖଞ୍ଜାଯାଇଛି। ପୁଣି ବୋର୍ଡ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି ଯେ, ସକାଳ ସାଢ଼େ ୭ଟା ପୂର୍ବରୁ ଜଉମୁଦ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ଓ ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟବେକ୍ଷକ, କେନ୍ଦ୍ର ସୁପରିଟେଣ୍ଡେଣ୍ଟ୍, ଅନ୍ୟ ଶିକ୍ଷକଙ୍କ ଉପସ୍ଥିତିରେ ସକାଳ ୮ଟା ୪୫ରେ ପ୍ରଶ୍ନପତ୍ର ଖୋଲାଯାଇ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ। କିନ୍ତୁ ପ୍ରଶ୍ନପତ୍ର ଖୋଲାଯିବା ପୂର୍ବରୁ ଅର୍ଥାତ୍ ସକାଳ ୮ଟା ୩୬ମିନିଟ୍ରେ ପ୍ରଶ୍ନପତ୍ର ସହିତ ଉତ୍ତର ବୁଲିବା ସମସ୍ତଙ୍କୁ ଚକିତ କରିଛି। ସକାଳ ୮ଟା ୩୬ମିନିଟରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି ଅର୍ଥାତ ସାଢ଼େ ୮ଟା ପୂର୍ବରୁ ପ୍ରଶ୍ନପତ୍ର ଖୋଲାଯାଇଛି। ଏ ସଂକ୍ରାନ୍ତରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ଯେ, ଆଜି ଦ୍ବିତୀୟ ଦିନରେ ଇଂରାଜୀ ପରୀକ୍ଷା ଶୃଙ୍ଖଳିତ ଭାବେ ଶେଷ ହୋଇଛି। ଇଂରାଜୀ ପ୍ରଶ୍ନପତ୍ର ଲିକ୍ କିମ୍ବା ଭାଇରାଲ ହୋଇନାହିଁ। କେହି ଦୁର୍ବୃତ୍ତ ବୋର୍ଡକୁ ବଦ୍ନାମ କରିବା ଉଦ୍ଦେଶ୍ୟରେ ଏଭଳି କରିଛି ବୋଲି ସଭାପତି ଶ୍ରୀ ତରାଇ କହିଛନ୍ତି। ଆଜି ଇଂରାଜୀ ପରୀକ୍ଷାରେ କପି କରି ୪୨ ଜଣ ଧରାପଡ଼ିବା ସହିତ ମାଲପ୍ରାକ୍ଟିସ୍ ହୋଇଛନ୍ତି।