ଭୁବନେଶ୍ବର: ଏଣିକି ଡ୍ରାଇଭିଂ ଟେଷ୍ଟ୍କୁ ଯାଞ୍ଚ କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ)। ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ସଷ୍ଟମ(ଏଡିଟିଏସ୍)ର ଶୁଭାରମ୍ଭ କରାଯାଇଛି। ପୂର୍ବରୁ ଡ୍ରାଇଭିଂ ଟେଷ୍ଟ୍ ମାନୁଆଲି ବା ଆର୍ଟିଓଙ୍କ ଦ୍ବାରା ଯାଞ୍ଚ କରାଯାଇ ଆବେଦନକାରୀଙ୍କୁ ଲାଇସେନ୍ସ ଦିଆଯାଉଥିଲା। ଫଳରେ ଭଲଭାବେ ଗାଡ଼ି ଚଳାଇ ଶିଖିନଥିଲେ ବି କେଉଁଠି ନା କେଉଁଠି ହାତଗୁଞ୍ଜା ଦେଇ ଚାଳକ ଲାଇସେନ୍ସ ହାତଉଥିଲେ। ହେଲେ ଆଉ ଏସବୁ ଚଳିବ ନାହିଁ। ଚାଳକ ପଡ଼ିଆରେ ଗାଡ଼ି ଟେଷ୍ଟ ଦେବାଠାରୁ ଏହାର ଟିକିନିଖି କାଗଜପତ୍ର ଏଆଇ ଯାଞ୍ଚ କରିବ। ଯାହାଦ୍ବାରା ପ୍ରକୃତ ଚାଳକ ହିଁ ଲାଇସେନ୍ସ ପାଇପାରିବେ। ରାଜ୍ୟର ଡ୍ରାଇଭିଂ ଲାଇସେନ୍ସ ପ୍ରଦାନରେ ପକ୍ଷପାତ ହେଉଥିବା ଅଭିଯୋଗ ଉଠିବା ପରେ ଏବେ ଏଭଳି ପଦ୍ଧତି ଆପଣାଇଛି ପରିବହନ ବିଭାଗ। ଏନେଇ ପ୍ରଥମ ପର୍ଯ୍ୟାୟରେ ଆଜି ଗଞ୍ଜାମ, ଚଣ୍ଡିଖୋଲ, ରାଉରକେଲା, ଅନୁଗୁଳ, ସୁନ୍ଦରଗଡ଼ ଓ କେନ୍ଦୁଝର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ୱୟଂଚାଳିତ ଗାଡ଼ିଚାଳନା ପରୀକ୍ଷା ବ୍ୟବସ୍ଥା(ଏଡିଟିଏସ୍)ର ଶୁଭାରମ୍ଭ ହୋଇଛି। ତେବେ ରାଜ୍ୟର ୩୫ଟି ଆର୍ଟିଓ ଓ ୩ଟି ଅତିରିକ୍ତ ଆର୍ଟିଓ ମୋଟ ୩୮ ଆର୍ଟିଓ ରହିଥିବା ବେଳେ ୬ଟି ଜିଲ୍ଲାରେ ଏଡିଟିଏସ୍ ଲାଗୁ କରଯାଇଛି। ଖୁବ୍ଶୀଘ୍ର ବାକି ୩୨ଟି ସ୍ଥାନରେ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ପରିବହନ କମିସନର ଅମିତାଭ ଠାକୁର କହିଛନ୍ତି।
ସେହିପରି ଗତ ୩ ବର୍ଷରେ ରାସ୍ତାକଡ଼ରେ ଗାଡ଼ି ପାର୍କିଂ ଯୋଗୁଁ ୨ ହଜାର ୨୦୭ଟି ଦୁର୍ଘଟଣା ଘଟିଛି। ଯେଉଁଥିରେ ୮୫୨ ଜଣଙ୍କ ଜୀବନ ଯାଇଛି। ଏଭଳି ସଡ଼କ ଦୁର୍ଘଟଣା କମାଇବାକୁ ରାଜ୍ୟର ୨୩ଟି ସ୍ଥାନରେ ଟ୍ରକ ଟର୍ମିନାଲ୍ ସ୍ଥାପନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଯେଉଁଥିରେ ୧୦୦ରୁ ୩୦୦ ଟ୍ରକ୍ ପାର୍କିଂ ସୁବିଧା ରହିବ। ଏହି ସବୁ ଟ୍ରକ୍ ଟର୍ମିନାଲରେ ଡ୍ରାଇଭର ଓ ଟ୍ରାନ୍ସପୋର୍ଟରଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା ରହିବ। ଟ୍ରକ ଟର୍ମିନାଲଗୁଡ଼ିକ ଆଗାମୀ ୧୨ରୁ ୧୮ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଏସବୁ ଭିତରେ ଦୁର୍ଘଟଣା ସମୟରେ ଫାଷ୍ଟ ରେସ୍ପଣ୍ଡର ଭାବେ କାର୍ଯ୍ୟ କରିବାକୁ ରାଜ୍ୟର ୬୩ ହଜାର ଏନ୍ସିସି କ୍ୟାଡେଟଙ୍କୁ ଜୁନିଅର ରକ୍ଷକ ଭାବେ ପ୍ରଶିକ୍ଷଣ ଦେବାକୁ ଆଜି ବୁଝାମଣାପତ୍ର ସ୍ୱାକ୍ଷର କରିଛି ପରିବହନ ବିଭାଗ।
ଆଜି ଲୋକସେବା ଭବନରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ପ୍ରକଳ୍ପ ଓ ସେବାର ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିସନର ଅନୁ ଗର୍ଗ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ଓପିଏଚ୍ଡବ୍ଲ୍ୟୁସିର ସିଏମ୍ଡି ସନ୍ତୋଷ ବାଲା, ପରିବହନ କମିସନର ଅମିତାଭ ଠାକୁର, ଏନ୍ସିସି ନିର୍ଦ୍ଦେଶକ ସାଗର କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/driving-test.jpg)