ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପାଇଁ ଏଆଇସିସି ପକ୍ଷରୁ ୧୪ଜଣିଆ ଷ୍ଟିୟରିଂ କମିଟି ଗଠନ କରାଯାଇଛି। ପ୍ରଭାରୀ ଅଜୟ କୁମାରଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି। ମାତ୍ର ଏହି କମିଟିରେ ୪ଜଣ ପୂର୍ବତନ ପିସିସି ସଭାପତି ବାଦ୍ ପଡ଼ିଛନ୍ତି। ଏଆଇସିସି ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁଯାୟୀ କମିଟିର ସଦସ୍ୟଭାବେ ଶ୍ରୀକାନ୍ତ ଜେନା, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ଅଶୋକ ଦାସ, ଭକ୍ତଚରଣ ଦାସ, ଅନନ୍ତ ପ୍ରସାଦ ସେଠୀ, ମହମ୍ମଦ ମୋକିମ, ଦେବାଶିଷ ପଟ୍ଟନାୟକ, ବିଶ୍ବରଂଜନ ମହାନ୍ତି, ବଳଭଦ୍ର ମାଝୀ, ସସ୍ମିତା ବେହେରା ରହିଛନ୍ତି।
ଏଆଇସିସି ସଂପାଦକ ମହମ୍ମଦ ସହନୱାଜ ଚୌଧୁରୀ କମିଟିର ଆବାହକ ରହିଛନ୍ତି। ଓଡ଼ିଶା କଂଗ୍ରେସରେ ଏବେ କେହି ପିସିସି ସଭାପତି ନାହାନ୍ତି। ଦଳର ସବୁ କମିଟିକୁ ଭାଙ୍ଗି ଦିଆଯାଇଛି। ତେଣୁ ନିୟମିତ ପିସିସି ସଭାପତି ନିଯୁକ୍ତ ହେବା ପର୍ଯ୍ୟନ୍ତ ଏହି କମିଟି ସବୁ ପିସିସିର ସବୁ କାର୍ଯ୍ୟ ଦେଖିବ। ତେବେ ଗତକାଲି ଛାତ୍ର କଂଗ୍ରେସର ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। ତେଣୁ ଖୁବଶୀଘ୍ର ଅନ୍ୟ କମିଟି ଗୁଡ଼ିକର ଘୋଷଣା ହେବ ବୋଲି ଅନୁମାନ କରାଯାଉଛି। ତେବେ ଏହି ଷ୍ଟିୟରିଂ କମିଟିରୁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଗିରିଧର ଗମାଙ୍ଗ ଓ ନିକଟରେ ସଭାପତି ପଦ ହରାଇଥିବା ଶରତ ପଟ୍ଟନାୟକ ସ୍ଥାନ ପାଇନାହାନ୍ତି। କାହାକୁ ନଜରରେ ରଖି ଏଭଳି କମିଟି ଗଠନ କରାଯାଇଛି ତାହାକୁ ନେଇ ଦଳ ଭିତରେ ଆଲୋଚନା ଆରମ୍ଭ ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/congress-bhawan.jpg)